ଆଠଗଡ଼ କୃଷି ଋଣ ଦୁର୍ନୀତି : ବିଧାନସଭା ଆଗରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

Advertisment
ଆଠଗଡ଼ କୃଷି ଋଣ ଦୁର୍ନୀତି : ବିଧାନସଭା ଆଗରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

କାବୁ କରିନେଲା ପୁଲିସ, ଅଳ୍ପକେ ବର୍ତିଗଲେ
ଚାଷୀଙ୍କ ନାମରେ ଉଠିଛି ଲକ୍ଷ ଲକ୍ଷ ଟଙ୍କାର ଋଣ
ଅଡୁଆରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲାର ଯଦୁପୁର ଗାଁର ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଥମିବାର ନାଁ ଧରୁନି। ଏହି ଘଟଣା ସରକାରଙ୍କୁ ନାକେଦମ୍ କଲାଣି। ଠିକ୍ ଏମିତି ସମୟରେ ବିଧାନସଭା ବାହାରେ ଆଜି ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ବିଷୋଦ୍‌ଗାର କରି ତିନି ତିନି ଜଣ ଚାଷୀ ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିବା ଘଟଣା ସମଗ୍ର ରାଜ୍ୟରେ କମ୍ପନ ସୃଷ୍ଟି କରିଛି। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆଣିଥିବା ତିନିଜଣ ଚାଷୀ ନିଜ ଦେହରେ କିରାସିନି ଢାଳିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ କାବୁ କରିନେଇଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନରେ ତିନି ଜଣ ଚାଷୀ କୈଳାସ ନାୟକ, କବୀନ୍ଦ୍ର ବାରିକ୍ ଓ ଚିନ୍ତାମଣି ପ୍ରଧାନ ବିଧାନସଭା ସାମ୍ନାରେ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ସେମାନଙ୍କୁ କାବୁ କରାଯାଇଥିଲା। ସେମାନଙ୍କ ଘର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୋଳଥାପଙ୍ଗି ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ଅଭିଯୋଗ କରିଛି ଯେ ୨୦୧୬-୧୮ ମଧ୍ୟରେ ସେମାନଙ୍କର ନାମରେ ଋଣ ଉଠାଇ ନିଆଯାଇଛି। ଗୁରୁଡ଼ିଝାଟିଆରେ ପ୍ରାୟ ୧କୋଟି ୯ଲକ୍ଷ ୫୦ ହଜାର ୨୯୦ ଟଙ୍କା ଏହିଭଳି ହଡ଼ପ କରାଯାଇଛି। ଚାଷୀମାନେ ଦୁଇ ତିନି ହଜାର ଋଣ ଉଠାଇଥିଲେ। କିନ୍ତୁ ଏହାକୁ ୨ଲକ୍ଷ ୩ଲକ୍ଷ ବୋଲି ଦର୍ଶାଯାଇଛି। ମନ୍ତ୍ରୀଙ୍କ ଭାଇ ବୀରେନ୍ଦ୍ର ପ୍ରତାପ ସ୍ବାଇଁ ସେହି ସମୟରେ ବ୍ୟାଙ୍କର ଅଧ୍ୟକ୍ଷ ଥିଲେ। ଏବେ ଏହି ପ୍ରସଙ୍ଗକୁ ସରକାର ଘୋଡ଼ାଉଛନ୍ତି ଓ ନ୍ୟାୟ ମିଳୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe