ନୋବେଲ ବିଜେତା ଅଭିଜିତଙ୍କ ପୁସ୍ତକରେ ଓଡ଼ିଶା ପ୍ରସଙ୍ଗ: ‘ପୁଅର୍‌ ଇକୋନୋମିକ୍ସ’ରେ ରହିଛି ଗରିବଙ୍କୁ ଶସ୍ତା ଚାଉଳ ଯୋଗାଣରୁ ଗ୍ରାମାଞ୍ଚଳର ଜଳ ଓ ପରିମଳ ସମସ୍ୟା ପର୍ଯ୍ୟନ୍ତ ଅନେକ କଥା

Advertisment
ନୋବେଲ ବିଜେତା ଅଭିଜିତଙ୍କ ପୁସ୍ତକରେ ଓଡ଼ିଶା ପ୍ରସଙ୍ଗ: ‘ପୁଅର୍‌ ଇକୋନୋମିକ୍ସ’ରେ ରହିଛି ଗରିବଙ୍କୁ ଶସ୍ତା ଚାଉଳ ଯୋଗାଣରୁ ଗ୍ରାମାଞ୍ଚଳର ଜଳ ଓ ପରିମଳ ସମସ୍ୟା ପର୍ଯ୍ୟନ୍ତ ଅନେକ କଥା

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରବାସୀ ଭାରତୀୟ ଅଭିଜିତ୍ ବାନାର୍ଜୀଙ୍କ ଓଡ଼ିଶା ସହ ସଂପର୍କ ଅଛି। ପଡ଼ୋଶୀ ପଶ୍ଚିମବଙ୍ଗରେ ଜନ୍ମିତ ଅଭିଜିତ୍ ବାନାର୍ଜୀଙ୍କ ଓଡ଼ିଶା ସହ ସଂପର୍କ ରହିବା କିଛି ଅସ୍ବାଭାବିକ ନୁହେଁ। ଏପରି କହିବାର ତାତ୍ପର୍ଯ୍ୟ ହେଲା, ଅଭିଜିତ ଲେଖିଥିବା ଗବେଷଣା ଆଧାରିତ ପୁସ୍ତକରେ ରହିଛି ଓଡ଼ିଶା ସମ୍ବନ୍ଧିତ ଅନେକ ତଥ୍ୟ।

ତାଙ୍କ ଲିଖିତ ‘ପୁଅର୍‌ ଇକୋନୋମିକ୍ସ’ ପୁସ୍ତକରେ ଓଡ଼ିଶାର ଅନେକ ଉଦାହରଣ ସ୍ଥାନ ପାଇଛି । ଗରିବଙ୍କୁ ମିଳୁଥିବା ଚାଉଳ, ନିର୍ମାଣ ଶ୍ରମିକ ଏବଂ ଜଳ ଓ ପରିମଳ ସମସ୍ୟା ସଂପର୍କରେ ଅଭିଜିତ୍ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ଏସ୍ଥର ଡୁଫ୍ଲୋ ଲେଖିଥିବା ପୁସ୍ତକ ‘ପୁଅର୍‌ ଇକୋନୋମିକ୍ସ’ରେ ବର୍ଣ୍ଣନା କରିଛନ୍ତି ।

publive-image

ଅଭିଜିତ ଏଥିରେ ଲେଖିଛନ୍ତି- ବଜାରରେ ମିଳୁଥିବା ଚାଉଳଠାରୁ ବହୁତ କମ୍ ଦାମରେ ଗରିବଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ଗରିବ ଲୋକଙ୍କୁ ମାସିକ ପ୍ରାୟ ୫୫ ପାଉଣ୍ଡ ଚାଉଳ ଦିଆଯାଉଛି । ଗୋଟିଏ ପାଉଣ୍ଡ ଚାଉଳ ପାଖାପାଖି ୪ଟଙ୍କା ଭିତରେ ମିଳିଯାଉଛି । ଏମିତି କି, ଖାଦ୍ୟ ଅଧିକାର ଆଇନ ଆଣିବାକୁ ଭାରତର ସଂସଦରେ ବିଚାର କରାଯାଉଛି ।

ଏହି ବହି ଲେଖା ହେବା ସମୟରେ ଭାରତରେ ଖାଦ୍ୟ ସୁରକ୍ଷା ଆଇନ ଆସି ନଥିଲା, ହୁଏତ ସେଥିପାଇଁ ସଂସଦରେ ଏ ଦିଗରେ ବିଚାର କରାଯାଉଛି ବୋଲି ବାନାର୍ଜୀ ଲେଖିଛନ୍ତି । ସେହିପରି ୪ଟଙ୍କାରେ ଚାଉଳ ସଂପର୍କରେ ଯେଉଁ କଥା ଲେଖିଛନ୍ତି ତାହା ଆଜିର ଟଙ୍କିକିଆ ଚାଉଳକୁ ସୂଚାଉଛି ।

ଅଭିଜିତ୍ ଓଡ଼ିଶାର ଜଳ ଓ ପରିମଳ ସୁଧାର ଦିଗରେ ସ୍ୱେଚ୍ଛାସେବୀ ସଂଗଠନ ‘ଗ୍ରାମ ବିକାଶ’ର ଭୂମିକା ସଂପର୍କରେ ମଧ୍ୟ ଲେଖିଛନ୍ତି ।  ଗ୍ରାମ ବିକାଶର ସିଇଓଙ୍କ ସହ ମଧ୍ୟ ଅଭିଜିତ୍ ଆଲୋଚନା କରିଥିଲେ । ଗ୍ରାମ ବିକାଶ ଏନଜିଓର ସିଇଓ ଜୋ ମାଡିଆଥଙ୍କୁ ଉଦ୍ଧୃତ କରି ଲେଖିଛନ୍ତି- ମହାବାତ୍ୟା ପରବର୍ତ୍ତୀ ସମୟରେ ଓଡ଼ିଶାରେ ଜଳ ଓ ପରିମଳ ସମସ୍ୟା ବେଶ ଉତ୍କଟ ହୋଇପଡ଼ିଥିଲା । ଏହି ସମୟରେ ଗ୍ରାମ ବିକାଶର କର୍ମକର୍ତାମାନେ ଏଥିରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲେ । ପ୍ରତି ଘରକୁ ପାଣି, ପାଇଖାନା, ଏବଂ ପାଇପ ଯୋଗେ ଜଳ ଯୋଗାଣର ଲକ୍ଷ୍ୟ ଥିଲା । ତେବେ ଜାତି ବିଭେଦ ଯୋଗୁଁ, ଏଥିରେ ପ୍ରଥମେ ସମସ୍ୟା ହୋଇଥିଲା । କିନ୍ତୁ ପରର୍ବର୍ତ୍ତୀ ସମୟରେ ଲୋକ ଏଥିରେ ରାଜି ହୋଇଥିଲେ ।

ସେହିପରି ଗ୍ରାମାଞ୍ଚଳରୁ ସହରକୁ ଚାଲି ଆସୁଥିବା ନିର୍ମାଣ ସଂପର୍କରେ ମଧ୍ୟ ଅଭିଜିତ୍ ଏବଂ ତାଙ୍କ ପତ୍ନୀ ଏହି ପୁସ୍ତକରେ ଲେଖିଛନ୍ତି । ନିର୍ମାଣ ଶ୍ରମିକମାନେ ବାଧ୍ୟବାଧକତାରେ ସହରାଞ୍ଚଳକୁ କାମ ଅନ୍ୱେଷଣରେ ଚାଲି ଆସୁଛନ୍ତି । କମ୍ ରୋଜଗାରରେ ପରିବାରକୁ ଆଣି ସହରରେ ରହିବା ନିର୍ମାଣ ଶ୍ରମିକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅନେକ ବିକଶିତ ସହର, ଏହି ନିର୍ମାଣ ଶ୍ରମିକମାନଙ୍କ ପାଇଁ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe