ରିମାଣ୍ଡ ଅବଧି ଶେଷ; ଝାରପଡ଼ା ଜେଲ୍‌ ଗଲେ ଅଭିଜିତ୍‌

ରିମାଣ୍ଡ ଅବଧି ଶେଷ; ଝାରପଡ଼ା ଜେଲ୍‌ ଗଲେ ଅଭିଜିତ୍‌

କୋଣାର୍କ/ପୁରୀ/ଭୁବନେଶ୍ବର : ବିଶ୍ବ ଐତିହ୍ୟ କୋଣାର୍କକୁ ନେଇ ଅରୁଚିକର ମନ୍ତବ୍ୟ ରଖିଥିବା ଦିଲ୍ଲୀର ଅଭିଜିତ ଆୟାର ମିତ୍ରଙ୍କ ଦୁଇଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଆଜି ଅଭିଜିତଙ୍କୁ କୋଣାର୍କ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍ଏଫ୍‌ସି)ଙ୍କ ନିକଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ଅଭିଜିତ୍‌ଙ୍କୁ ପୁଣି ଥରେ ଭୁବନେଶ୍ବର ଝାରପଡା ଜେଲକୁ ପଠାଇ ଦିଆଯାଇଛି।

ଓଡ଼ିଶା, ମହାପ୍ରଭୁ ଜଗନ୍ନାଥ, ବିଶ୍ବ ଐତିହ୍ୟ କୋଣାର୍କ ସମେତ ବିଧାନସଭା ସଦସ୍ୟଙ୍କ ସଂପର୍କରେ ଅପଶଦ୍ଦ ପ୍ରୟୋଗ କରି ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଅଭିଜିତ ଆୟର ଗତ ସପ୍ତାହରେ ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ। ପରେ ସହିଦନଗର ଥାନାରେ ରୁଜୁ ହୋଇଥିବା ମାମଲାରେ ପୁଲିସ ତାଙ୍କୁ ଗିରଫ କରି ଭୁବନେଶ୍ବର କୋର୍ଟରେ ହାଜର କରିଥିବା ବେଳେ ଜ‌ାମିନ୍‌ ନାମଂଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା। ଅନ୍ୟପକ୍ଷରେ ଆୟରଙ୍କ ବିରୋଧରେ କୋଣାର୍କ ଥାନା କେସ୍‌ ନଂ ୯୨/୧୮କୁ ଭିତ୍ତି କରି ପୁଲିସ ତାଙ୍କୁ ଚାରିଦିନିଆ ରିମାଣ୍ଡରେ ଆଣି ଗତ ଗୁରୁବାର ରାତିରେ କୋଣାର୍କ ଜେଏମ୍‌ଏଫସି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିଥିଲା। ସେଠାରେ ଆୟରଙ୍କ ଜା‌ମିନ୍‌କୁ ମାଜିଷ୍ଟ୍ରେଟ୍‌ ସି.ଏ.ଦେଶପ୍ରିୟ ବାରିକ ଖାରଜ କରିବା ସହ ନଭେମ୍ବର ୫ ତାରିଖ ଯାଏ ତାଙ୍କୁ ନିମାପଡ଼ା ଜେଲରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଓ ଦୁଇ ଦିନ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ। ନିମାପଡ଼ା ଜେଲକୁ ସ୍ଥାନାନ୍ତର ହେବା ପରେ କୋଣାର୍କ ପୁଲିସ ୨୬ ତାରିଖରେ ଅଭିଜିତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ଏକ ଅଜ୍ଞାତ ସ୍ଥାନରେ ଜେରା କରିଥିଲା। ସେ ଏଭଳି ମନ୍ତବ୍ୟ ଦେବା ବେଳେ ତାଙ୍କ ସହ କିଏ କିଏ ଥିଲେ? କେହି ତାଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଛି କି? ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭୂମିକା ଏଥିରେ କ’ଣ? ଏଭଳି କେତେକ ପ୍ରଶ୍ନ ଅଭିଜିତ୍‌ଙ୍କୁ ପଚରା ଯାଇଥିଲା ବୋଲି ପୁରୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ରିମାଣ୍ଡ ଅବଧି ସରିବା ପରେ ଆଜି ମଧ୍ୟାହ୍ନ ୧୨ଟା ୫୦ରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଜିତ୍‌ଙ୍କୁ କୋଣାର୍କ କୋର୍ଟର ହାଜର କରାଯାଇଥିଲା। କୋର୍ଟରେ ଦୀର୍ଘ ସମୟ ଧରି ଉଭୟ ପକ୍ଷ ଓକିଲଙ୍କ ମତାମତ ଶୁଣିବା ପରେ କୋଣାର୍କ ଜେଏମ୍‌ଏଫ୍‌ସି ଅଭିଜିତ୍‌ଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।
ତଦନୁସାରେ ପୁଲିସ ଅଭିଜିତଙ୍କୁ ଦିନ ପ୍ରାୟ ୧ଟା ୪୦ରେ କୋଣାର୍କରୁ ନେଇ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା।

ଅଭିଜିତ୍‌ଙ୍କ ସୁରକ୍ଷା ପାଇଁ ଆଜି ପୁରୀ ଜିଲ୍ଲା ଅତିରିକ୍ତ ଏସ୍‌ପି ପ୍ରତାପ କୁମାର ସ୍ବାଇଁ, ଡିଆଇବି ଡିଏସ୍‌ପି ଉମାକାନ୍ତ ମଲ୍ଲିକ, ନିମାପଡ଼ା ଏସ୍‌ଡିପିଓ ନିରଂଜନ ପାଢ଼ୀ, କୋଣାର୍କ ଥାନା ଆଇଆଇସି ସଂଜୀବ କୁମାର ପ୍ରଧାନଙ୍କ ସମେତ ପିପିଲି, ନିମାପଡ଼ା, ଗୋପ, ରାମଚଣ୍ଡୀ, ଅସ୍ତରଂଗ, କାକଟପୁର ଥାନା ଅଧିକାରୀ କୋର୍ଟ ପରିସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe