ନଭେମ୍ବର ୫ ଯାଏ ଜେଲ୍‌ରେ ରହିବେ ଅଭିଜିତ

Advertisment
ଅଭିଜିତଙ୍କୁ ୪ ଦିନ ରିମାଣ୍ଡରେ ନେଲା କୋଣାର୍କ ଥାନା ପୁଲିସ

ଭୁବନେଶ୍ବର/କୋଣାର୍କ : ଓଡ଼ିଶା, ଓଡ଼ିଶାବାସୀ ଓ କୋଣାର୍କ ମନ୍ଦିର ପ୍ରତି ଅପଶବ୍ଦ ବ୍ୟବହାର ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ପୁଣି ଝଟ୍‌କା ଲାଗିଛି। ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି କୋଣାର୍କ ଜେଏମ୍‌ଏଫସି କୋର୍ଟ ନଭେମ୍ବର ୫ ଯାଏ ତାଙ୍କୁ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଜିତଙ୍କୁ ଆଜି କୋଣାର୍କ ପୁଲିସ ୪ ଦିନ ଲାଗି ରିମାଣ୍ଡରେ ନେଇଥିବା ବେଳେ କୋ‌ଣାର୍କ ଥାନାରେ ତାଙ୍କ ନାଁ’ରେ ରୁଜୁ ହୋଇଥିବା ମାମଲାରେ ପୁଲିସ ସ୍ଥାନୀୟ ଜେଏମ୍‌ଏଫସି କୋର୍ଟରେ ତାଙ୍କୁ ହାଜର କରିଥିଲା। ସେଠାରେ ଅଭିଜିତଙ୍କ ଓକିଲ ନିଖିଲ ମେହେର ତାଙ୍କ ମହକିଲଙ୍କୁ ଜାମିନ୍ ଦେବା ଲାଗି ଯୁକ୍ତି ବାଢିଥିଲେ। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଆଇନଜୀବୀ ସୋମନାଥ ନିଶଙ୍କ ଜାମିନ୍ ଆବେଦନକୁ ଦୃଢ ବିରୋଧ କରିବା ସହ ଅଭିଜିତ କୋଣାର୍କ ମନ୍ଦିର ପ୍ରତି ଯେଉଁଭଳି ଅଶାଳୀନ ମନ୍ତବ୍ୟ ରଖିଥିଲେ ତାହା ଓଡ଼ିଶାବାସୀଙ୍କ ଭାବାବେଗକୁ ଗଭୀର ଆଘାତ ପହଞ୍ଚାଇଥିବା ଦର୍ଶାଇଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ‌ ବେଳେ ଅଭିଜିତଙ୍କୁ କୋଣାର୍କ ଥାନା ପୁଲିସ ବର୍ତ୍ତମାନ ପଚରାଉଚରା ପାଇଁ ରିମାଣ୍ଡରେ ଆଣିଛି। ଏଭଳି ସ୍ଥଳେ ତାଙ୍କୁ ଜାମିନ୍ ପ୍ରଦାନ କରାଗଲେ ତଦନ୍ତ ବାଧାପ୍ରାପ୍ତ ହେବ ବୋଲି ସରକାରୀ ଆଇନଜୀବୀ ଯୁକ୍ତି ରଖିଥିଲେ। ଉଭୟ ପକ୍ଷଙ୍କ ଜବାବ ସୁଆଲ ଶୁଣିବା ପରେ କୋଣାର୍କ ଜେଏମ୍‌ଏଫ୍‌ସି ସି.ଏ.ଦେଶପ୍ରିୟ ବାରିକ ଅଭିଜିତଙ୍କ ଜାମିନ୍ ଆବେଦନକୁ ଖାରଜ କରିବା ସହ ନଭେମ୍ବର ୫ ତାରିଖ ଯାଏ ତାଙ୍କୁ ନିମାପଡ଼ା ସବ୍‌ଜେଲରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ଆଜି ଅପରାହ୍‌ଣରେ କୋଣାର୍କ ଥାନା ପୁଲିସର ଏକ ଟିମ୍ ଫୋର୍ସ ସହ ଝାରପଡ଼ା ଜେଲ୍‌ରେ ପହଞ୍ଚିବା ପରେ ସେଠାରୁ ଅଭିଜିତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋଣାର୍କ ନେଇଥିଲେ। ସନ୍ଧ୍ୟା ସାଢେ ୬ଟାରେ ଅଭିଜିତ କୋଣାର୍କରେ ପହଞ୍ଚିବା ପରେ ତାଙ୍କୁ ଜେଏମ୍‌ଏଫସି କୋର୍ଟରେ ହାଜର କରାଯାଇଥିଲା। ଅଭିଜିତ କୋଣାର୍କ ଆସୁଥିବା ଜାଣିବା ପରେ କୋର୍ଟ ବାହାରେ ପ୍ରବଳ ଭିଡ଼ ହୋଇଥିଲା। ପ୍ରକାଶଥାଉକି, ଅଭିଜିତ କୋଣାର୍କର କଳା, ଭାସ୍କର୍ଯ୍ୟକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ଏ ନେଇ କୋଣାର୍କରେ ଉତ୍ତେଜନା ପ୍ରକାଶ ପାଇଥିଲା। କୋଣାର୍କର ପୂର୍ବତନ କାଉନସିଲର ତଥା ବରିଷ୍ଠ ନାଗରିକ ବିମ୍ବାଧର ବେଉରା ଏ ନେଇ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe