ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିଲା ଅଭିଜିତ୍‌

Advertisment

ଆର୍ଥିକ କାରବାରର ତଥ୍ୟ ପାଇଁ ବ୍ୟାଙ୍କକୁ ଚିଠି, ଆତଙ୍କୀ ଲିଙ୍କ୍‌ ନେଇ ଏନ୍‌ଆଇଏର ଜେରା

ଆର୍ଥିକ କାରବାରର ତଥ୍ୟ ପାଇଁ ବ୍ୟାଙ୍କକୁ ଚିଠି, ଆତଙ୍କୀ ଲିଙ୍କ୍‌ ନେଇ ଏନ୍‌ଆଇଏର ଜେରା

ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିଲା ଅଭିଜିତ୍‌

India Posts English

ଭୁବନେଶ୍ବର : ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ରିମାଣ୍ଡରେ ଆସିଥିବା ଅଭିଜିତ୍‌ ସଂଜୟ ଜାମ୍ବୁରେଠାରୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ଏସ୍‌ଟିଏଫ୍, ଏଟିଏସ୍‌ ଓ ଆଇବିର ମିଳିତ ଜେରାରୁ ଜଣାପଡ଼ିଛି ଯେ ସେ ବ୍ୟବହାର କରୁଥିବା ୫ଟି ମୋବାଇଲ୍‌ ନମ୍ବରରୁ ୩ଟିରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହୋଇଛି। ପ୍ରଥମେ ଟଙ୍କା କାରବାର କଥା ପଦାକୁ ଆସିଥିବା ବେଳେ ଏବେ ଆତଙ୍କୀଙ୍କ ସହ ଫୋନ୍‌ରେ ଯୋଗାଯୋଗ ତଦନ୍ତକୁ ଆହୁରି ସୁଦୃଢ଼ କରିଛି। ଅପରପକ୍ଷେ, ଦେଶର ସୁରକ୍ଷା ସମ୍ବନ୍ଧିତ ମାମଲା ହୋଇଥିବାରୁ ତଦନ୍ତ ପ୍ରକ୍ରିୟାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଯୋଡ଼ି ହୋଇଛି। ଏନ୍‌ଆଇଏର ଏକ ଟିମ୍‌ ଆଜି କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ମାରାଥନ ଜେରା କରିଛି। ଆସନ୍ତାକାଲି ଅଭିଜିତ୍‌ର ରିମାଣ୍ଡ ସରୁଥିବାରୁ ତାକୁ ଜେରା ପରେ କୋର୍ଟରେ ହାଜର କରାଯିବ। ଦରକାର ପଡ଼ିଲେ, ପୁଣିଥରେ ତାକୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅଭିଜିତ୍‌ କେବେ ଏବଂ କେଉଁ କେଉଁ ସମୟରେ ଆତଙ୍କୀଙ୍କ ସହ କଥା ହୋଇଥିଲା, ଅନ୍ୟ କେଉଁମାନଙ୍କୁ ଆତଙ୍କୀଙ୍କ ସହ ଯୋଡ଼ିଥିଲା; ତା’ର ତଥ୍ୟ ବାହାର କରିବା ପାଇଁ ମୋବାଇଲ ନମ୍ବରଗୁଡ଼ିକର ସିଡିଆର୍‌ ରିପୋର୍ଟ ମଗାଯାଇଛି। ସେହିପରି ତା’ର ଆର୍ଥିକ କାରବାର ତଥ୍ୟ ପାଇଁ ଠାବ ହୋଇଥିବା ବ୍ୟାଙ୍କଗୁଡ଼ିକୁ ଚିଠି କରାଯାଇଛି। କେଉଁ କେଉଁ ଆକାଉଣ୍ଟରୁ ତା’ ପାଖକୁ ଟଙ୍କା ଆସିଥିଲା? ସେ କେଉଁ କେଉଁ ଆକାଉଣ୍ଟକୁ ଟଙ୍କା ପଠାଇଥିଲା‌? ସମସ୍ତ ତଥ୍ୟ ହାତେଇବାକୁ ଏସ୍‌ଟିଏଫ୍‌ ଉଦ୍ୟମ ଚଳାଇଛି। ଏହାଛଡ଼ା ସେ ବିଦେଶ ଯାଇଥିଲା କି ନାହିଁ? ଯଦି ଯାଇଥିଲା, କେଉଁ କେଉଁ ସ୍ଥାନକୁ ଯାଇଛି? ତା’ର ପାସ୍‌ପୋର୍ଟ ଯାଞ୍ଚ ମଧ୍ୟ କରାଯାଇଛି। ତା’ର ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌ ଏବଂ ଅନ୍ୟ ସମସ୍ତ ସୋସିଆଲ୍‌ ମିଡିଆର ତଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି। ଅନ୍ୟପଟେ ଗଣମାଧ୍ୟମକୁ ଅଭିଜିତ କହିଛି ଯେ ସେ ନିର୍ଦ୍ଦୋଷ। ତା’ ଅଜାଣତରେ ତାର ସିମ୍ ବ୍ୟବହାର ହୋଇଛି। ହେଲେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କାକୁ ସେ ଏକାଧିକଥର ଟଙ୍କା ପଠାଇଥିବା ସ୍ବୀକାର କରିଛି। ଆଇଏସ୍‌ଆଇ କିମ୍ବା ପାକିସ୍ତାନ ଆର୍ମି ଇଣ୍ଟେଲିଜେନ୍ସ ବରିଷ୍ଠ ଅଧିକାରୀଙ୍କ ସହ ଲିଙ୍କ୍‌ ସଂପର୍କରେ ମୁହଁ ଖୋଲିନାହିଁ। ଆତଙ୍କୀ ଲିଙ୍କ ନେଇ ଅଭିଜିତ୍‌ ବିରୋଧରେ ପୁଳାପୁଳା ପ୍ରମାଣ ଥିବା ବେଳେ ସେ ମୁହଁ ନ ଖୋଲିବା ଘଟଣାକୁ ଜଟିଳ କରିଛି।

ଉଲ୍ଲେଖଯୋଗ୍ୟ, ମାସକୁ ୫୦ ହଜାର ଟଙ୍କା ଲୋଭରେ ନୟାଗଡ଼ ଇଟାମାଟିର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ବିଭିନ୍ନ ପ୍ରକାରରେ ସାହାଯ୍ୟ, ସହଯୋଗ କରିଆସୁଥିଲେ। ଓଟିପି ସେୟାର୍‌ କରି ସେମାନଙ୍କୁ ବିଭିନ୍ନ ସାମାଜିକ ଗଣମାଧ୍ୟମର ଆକାଉଣ୍ଟ ବିକୁଥିଲେ। ମେ’ ୧୪ରେ ପ୍ରଥମେ ଏସ୍‌ଟିଏଫ୍‌ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପ୍‌ଟପ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ପରେ ଆତଙ୍କୀ ଲିଙ୍କର ଗୁମର ପଦାକୁ ଆସିଥିଲା। ଏହାପରେ ପୁଲିସ ଜୁନ୍‌ ୮ରେ ନୟାଗଡ଼ର ପ୍ରଦ୍ୟୁମ୍ନ ସାହୁ ଓ ଜୁନ୍‌୨୧ରେ ଯାଜପୁର ଜିଲ୍ଲା ବରି ଅଞ୍ଚଳର ପ୍ରୀତମ କରକୁ ଗିରଫ କରିଥିଲା। ପରେ ସେମାନଙ୍କୁ ରିମାଣ୍ଡରେ ଆଣି ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe