ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ର ଏବିଡିଓ ବିଦୁଭୂଷଣ ଜେନା (୪୯)ଙ୍କ ମୃତଦେହ ଦୈତାରି-ବାଂଶପାଣି ରେଳପଥର ହରିଚନ୍ଦନପୁର ଷ୍ଟେସନ ନିକଟ ରେଳଧାରଣାରୁ ଉଦ୍ଧାର କରାଯାଇଛି। ଏହା ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା ସେନେଇ କୌଣସି ସଠିକ୍ ସୂଚନା ମିଳିପାରିନି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଶ୍ରୀ ଜେନାଙ୍କ ଘର ହାଟଡିହି ବ୍ଲକ୍ ନିସଙ୍ଗପୁର ଗ୍ରାମରେ ବୋଲି ଜଣାପଡ଼ିଛି।
ଆଜି ସକାଳେ ରେଳଧାରଣା ମଝିରେ ଏକ ମୃତଦେହ ମୁହଁମାଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେଣୁ ଶବ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ଅପରାହ୍ଣରେ ଭଦ୍ରକ ଜିଆର୍ପି ପୁଲିସ ପହଞ୍ଚି ଶବ ଉଦ୍ଧାର କରିଥିଲା।
ହରିଚନ୍ଦନପୁର ବିଡିଓ ଦୁଲାରାମ ମାରାଣ୍ଡି, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ମାଝୀ, ତହସିଲଦାର ହିମାଂଶୁ ଶେଖର ପଣ୍ଡା, ଅତିରିକ୍ତ ତହସିଲଦାର ବିରାମ କିସ୍କୋ, ବିଇଓ ଚିନ୍ମୟ କୁମାର ରାଉତଙ୍କ ସମେତ ଅନ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ମୃତଦେହ ଚିହ୍ନଟ କରିଥିଲେ। ରେଳଧାରଣା ମଝିରେ ଶବଟି ପଡ଼ିଥିବା ବେଳେ କେବଳ ମୁହଁରେ ଗଭୀର କ୍ଷତ ହୋଇଛି। ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନାହିଁ। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନ୍ୟ କେଉଁଠି ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦେବାପାଇଁ ଶବକୁ ରେଳଧାରଣାରେ ପକାଯାଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଟ୍ରେନ୍ରୁ ଖସିପଡ଼ିବା ଯୋଗୁଁ ଶ୍ରୀ ଜେନାଙ୍କ ମୃତ୍ୟୁ ଘଟିଥିବା ପୁଲିସ ସନ୍ଦେହ କରୁଛନ୍ତି।
ଜିଆର୍ପି ଥାନା ଏଏସ୍ଆଇ ସୁଶାନ୍ତ କୁମାର ସେଠୀ କେସ୍ ନମ୍ବର ୩୨/୨୪ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଶ୍ରୀ ସେଠୀ କହିଛନ୍ତି। ମୃତ ବିଦୁଭୂଷଣଙ୍କ ପତ୍ନୀ ଦୁଇଟି ଛୋଟ ଝିଅ ଅଛନ୍ତି। ବଡ଼ଭାଇ ଶଶୀଭୂଷଣ ଜେନାଙ୍କ କହିବା ଅନୁସାରେ, ସେ କେବଳ ଛୁଟିଦିନରେ ଘରକୁ ଆସନ୍ତି। ଦ୍ବିତୀୟ ଶନିବାର ଓ ରବିବାର ଛୁଟିଦିନ ଥିବାରୁ ସେ ଶୁକ୍ରବାର ଘରକୁ ଆସିବାର ଥିଲା। କିନ୍ତୁ ସେ ଆସି ନଥିଲେ। ପରିବାର ଲୋକେ ଫୋନ୍ କରିବାରୁ ବହୁତ କାମ ଅଛି, ପରେ ଘରକୁ ଯିବେ ବୋଲି କହିଥିଲେ। ମୃତଦେହ ରେଳଧାରଣା ମଝିରେ ପଡ଼ିଥିବାରୁ, ଟ୍ରେନ୍ ଧକ୍କା କିମ୍ବା ଟ୍ରେନ୍ରୁ ପଡ଼ି ମୃତ୍ୟୁ ଘଟିଥିବା ବିଷୟକୁ ସେ ବିଶ୍ୱାସ କରୁନାହାନ୍ତି। ପୁଲିସ ତଦନ୍ତ କରି ସତ୍ୟ ଉନ୍ମୋଚନ କରୁ ବୋଲି ଶଶୀଭୂଷଣ କହିଛନ୍ତି।
Follow Us