ଭୁବନେଶ୍ବର: କେରଳର ଏକ ଟିଭି ଚାନେଲ ବିତର୍କରେ ବିଜେପି ଦଳର ମୁଖପାତ୍ର ପିଣ୍ଟୁ ମହାଦେବ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସର୍ବସମ୍ମୁଖରେ ଗୁଳି ମାରି ହତ୍ୟା କରିବାକୁ ଧମକ ଦେଇଛନ୍ତି। ଏହି କାପୁରୁଷତାପୂର୍ଣ୍ଣ ଧମକକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ପିଣ୍ଟୁ ମହାଦେବଙ୍କୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ କିମ୍ବା ବିଜେପି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହା କେବଳ ଏକ ରାଜନୈତିକ ବିବୃତି ନୁହେଁ ବରଂ ଏକ ଅପରାଧିକ ଧମକ। ପ୍ରଚାର ପାଇଁ ଛୋଟ ଛୋଟ ପ୍ରସଙ୍ଗରେ ମନ୍ତବ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ନିଜ ଦଳର ମୁଖପାତ୍ରଙ୍କ ଏହି ବିପଦଜ୍ଜନକ ବିବୃତିକୁ କାହିଁକି ନିନ୍ଦା କରୁନାହାନ୍ତି ?
ଅତୀତରେ ଠିକ୍ ଏହି ବିଚାରଧାରାର ବଶବର୍ତ୍ତୀ ହୋଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଛାତିରେ ଗୁଳି ମାରି ନାଥୁରାମ ଗଡ଼ସେ ହତ୍ୟା କରିଥିଲା। ବର୍ତ୍ତମାନ ସେଇ ବିଚାରଧାରା ରାହୁଲ ଗାନ୍ଧୀଙ୍କ ଛାତିରେ ଗୁଳି ମାରିବା କଥା କହୁଛି। ସରକାରଙ୍କ ଉତ୍ତରଦାୟିତ୍ୱ ହେଉଛି ବିରୋଧୀ ଦଳ ନେତାଙ୍କୁ ସୁରକ୍ଷା ପ୍ରଦାନ କରିବା। ମାତ୍ର ସରକାରୀ ଦଳର ପ୍ରବକ୍ତା ଖୋଲାଖୋଲି ବିରୋଧୀ ଦଳ ନେତାଙ୍କୁ ଗୁଳି ମାରିବାର ଦୁଃସାହସ କରୁଛନ୍ତି। ଏଭଳି ହତ୍ୟା ଧମକ ନା ଶ୍ରୀ ଗାନ୍ଧୀ ନା କଂଗ୍ରେସ ଦଳକୁ ନିରବ କରିପାରିବ ନାହିଁ। ଗାଳି ଓ ଗୁଳିରେ ବିଶ୍ୱାସ ରଖୁଥିବା ବିଜେପି ଦଳଠାରୁ ଶାନ୍ତି ଓ ଅହିଂସା, ସମ୍ମାନ ଓ ସୁରକ୍ଷା ଆଶା କରିବା ବୃଥା। ଏହି କାପୁରୁଷତାପୂର୍ଣ୍ଣ ବୟାନକୁ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ବିଜେପି ନେତୃତ୍ୱ ଓ କେନ୍ଦ୍ର ସରକାରଙ୍କଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।
Follow Us