ରାଜଧାନୀରେ ଚାଞ୍ଚଲ୍ୟ : ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

Advertisment

ଗର୍ଭ ନଷ୍ଟ ପାଇଁ ମିଳୁଛି ଧମକ, ପୋକ୍‌ସୋ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ଗର୍ଭ ନଷ୍ଟ ପାଇଁ ମିଳୁଛି ଧମକ, ପୋକ୍‌ସୋ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ରାଜଧାନୀରେ ଚାଞ୍ଚଲ୍ୟ : ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

India Today

ଭୁବନେଶ୍ୱର : ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ଆଉ ଏକ ଘଟଣା ଚାଞ୍ଚଲ୍ୟ ଖେଳାଇଛି। ଜଣେ ଓଏଏସ୍ ଅଫିସରଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଓଏଏସ୍ ଅଫିସରଙ୍କ ଶ୍ବଶୁର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହୋଇଥିବା ବେଳେ ଗର୍ଭ ନଷ୍ଟ କରିବା ପାଇଁ ସରକାରୀ ବାବୁ ଜଣଙ୍କ ଲୋକ ପଠାଇ ଧମକଚମକ ଦେଉଥିବା ନେଇ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ପୀଡ଼ିତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ପୋକ୍‌ସୋ ଦଫାରେ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଯାଜପୁର ପୋକ୍‌ସୋ କୋର୍ଟରେ ମଧ୍ୟ ବିଚାରପତିଙ୍କ ପାଖରେ ସିଆରପିସି ଧାରା-୧୬୪ ଅନୁଯାୟୀ ବୟାନ ରେକର୍ଡ କରାଯାଇଛି। ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକାଙ୍କର ଡାକ୍ତରୀମାଇନା କରାଯାଇଛି। କିନ୍ତୁ ଅଭିଯୋଗକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅନ୍ୟପକ୍ଷରେ ସରକାରୀ ବାବୁ ଜଣଙ୍କ ବେଶ୍ ପ୍ରଭାବଶାଳୀ ହୋଇଥିବା ବେଳେ ଧମକଚମକ ମିଳୁ ଥିବାରୁ ନାବାଳିକାଙ୍କ ପରିବାର ଭୟଭୀତ ଥିବା ପୁଲିସକୁ ଜଣାଇଛନ୍ତି। ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଏ ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

ଅଭିଯୋଗରୁ ଜଣାପଡ଼ିଛି ଯେ ନାବାଳିକାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ବାଲିଚନ୍ଦ୍ରପୁର ଥାନା ନାନପୁର ଅଞ୍ଚଳରେ ସେମାନେ ରହି ଆସୁଛନ୍ତି। ନାବାଳିକାଙ୍କ ବାପା ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଭୁବନେଶ୍ବରରେ କାମ କରାଇବା ପାଇଁ ତାଙ୍କ ମା’ଙ୍କୁ କହିଥିଲେ। ଖାଇବା, ରହିବା ସହ ମାସକୁ ୩ ହଜାର ଟଙ୍କା ମିଳିବ ବୋଲି ସେହି ବ୍ୟକ୍ତି ଜଣଙ୍କ କହିବା ପରେ ନାବାଳିକାଙ୍କ ମା’ ରାଜି ହୋଇଥିଲେ। ଭୁବନେଶ୍ବରର ଶୈଳଶ୍ରୀବିହାର ଅଞ୍ଚଳରେ ରହୁଥିବା ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ଘରେ ନାବାଳିକା ଦୁଇ ବର୍ଷ ହେଲା କାମ କରୁଥିଲେ। ଦଶହରା ଛୁଟିରେ ସେ ଘରକୁ ଯାଇଥିଲେ। ଝିଅର ଶାରୀରିକ ଲକ୍ଷଣ ଦେଖି ତାଙ୍କ ମା’ଙ୍କର ସନ୍ଦେହ ହୋଇଥିଲା। ସେ କାରଣ ପଚାରିବାରୁ ନାବାଳିକା ସବୁ କଥା କହିଥିଲେ। ପ୍ରାୟ ୫/୬ ମାସ ହେଲା ଓଏଏସ୍ ଅଫିସରଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରୁଥିବା କହିଥିଲେ। ସବୁ ଦିନ ତାଙ୍କ ବେଡରୁମକୁ ଆସିବା ପାଇଁ ଧମକଚମକ ଦେଉଥିଲେ। ଏ କଥା କାହା ଆଗରେ ପ୍ରକାଶ କଲେ ତାଙ୍କ ସହ ପୂରା ପରିବାରକୁ ଜୀବନରୁ ମାରି ଦେବାକୁ ମଧ୍ୟ କହିଥିଲେ। ତେବେ ସେ ଡରିଯାଇଥିଲେ ବୋଲି ନାବାଳିକା ତାଙ୍କ ମା’ଙ୍କ ଆଗରେ କହିଥିଲେ। ଥାନାରେ ଅଭିଯୋଗ କରିବା ପୂର୍ବରୁ ଡାକ୍ତରଖାନା ଯାଇ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ପୀଡ଼ିତାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ବାଲିଚନ୍ଦ୍ରପୁର ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ପୀଡ଼ିତାଙ୍କ ବୟାନ ରେକର୍ଡ, ଡାକ୍ତରୀମାଇନା ଶେଷ ହୋଇଛି। ଖୁବ୍‌ଶୀଘ୍ର ଏକ ଟିମ୍ ଭୁବନେଶ୍ବର ଯିବ ବୋଲି ସେ କହିଛନ୍ତି। ସେହିପରି ଡିସିପି ଉମାଶଙ୍କର ଦାଶ କହିଛନ୍ତି ତଦନ୍ତକାରୀ ଟିମ୍ ଯେଉଁ ସହୟତା ମାଗିବେ ତାଙ୍କୁ ସହଯୋଗ ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe