ପୂର୍ବତନ ବିଧାୟକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର

Advertisment

ସୋର ବିଧାୟକଙ୍କ ନାଁରେ ଥାନାରେ ଏତଲା, ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ

ସୋର ବିଧାୟକଙ୍କ ନାଁରେ ଥାନାରେ ଏତଲା, ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ

ପୂର୍ବତନ ବିଧାୟକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ (୭୧)ଙ୍କୁ ବର୍ତ୍ତମାନର ବିଧାୟକ ପର୍ଶୁରାମ ଧଡ଼ା ଓ ତାଙ୍କ ସହଯୋଗୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଟଣାଘୋଷରା କରିଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବାଲେଶ୍ବର ଜିଲ୍ଲା କଂଗ୍ରେସ। ୪୮ ଘଣ୍ଟା ଭିତରେ ଯଦି ବିଧାୟକଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ କିମ୍ବା ବିଧାୟକ ଯଦି ଶ୍ରୀ ପ୍ରମାଣିକଙ୍କୁ ନିଃସର୍ତ୍ତ କ୍ଷମା ନମାଗନ୍ତି, ତେବେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଆଜି ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି।

ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ ପୂର୍ବତନ ବିଧାୟକ ଶ୍ରୀ ପ୍ରମାଣିକ କହିଥିଲେ, ୨୦୧୯ ମସିହାରେ ସୋର-ବାହାନଗା ରାସ୍ତା, ସ୍ଥାନୀୟ ଅଞ୍ଚଳରେ ପକ୍କା ପୋଲ ନିର୍ମାଣ ଏବଂ ପାନୀୟଜଳ ପ୍ରକଳ୍ପ ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ୍‌ ପ୍ରୋବ୍ଲେମ୍‌ ଫଣ୍ତ୍ରୁ’ ୧ କୋଟି ୩୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଗତ ୯ ତାରିଖ ମଧ୍ୟାହ୍ନରେ ବିଧାୟକ ଶ୍ରୀ ଧଡ଼ା ନିଜ ସୁରକ୍ଷାକର୍ମୀ ଓ ସହଯୋଗୀଙ୍କ ସହ ନିର୍ବାଚନ ପ୍ରଚାରରେ ଅନନ୍ତପୁର ଯାଉଥିବା ବେଳେ ସେ ବାଟରେ ବିଧାୟକଙ୍କୁ ଅଟକାଇଥିଲେ। ବିଧାୟକ ଗାଡ଼ିରୁ ଓହ୍ଲାଇ ତାଙ୍କ ପାଖକୁ ଯିବା ପରେ ସେ ଉକ୍ତ ପ୍ରକଳ୍ପ ଓ ସେ ବାବଦରେ ଆସିଥିବା ଅର୍ଥ କାହିଁକି ଫେରାଇଦେଲେ ବୋଲି ପଚାରିଥିଲେ। ଏତିକିରେ ବିଧାୟକ ରାଗିଯାଇ କଣ ଅସୁବିଧା ହେଇଗଲା ସେଇଠୁ...ସେ କଥା ଆପଣ ପଚାରିବାକୁ କିଏ...କହି ଗାଡ଼ିରେ ବସି ପଳାଇଯିବାକୁ ଉଦ୍ୟତ ହେବାରୁ ସେ ଗାଡ଼ି ଆଗରେ ଛିଡ଼ା ହୋଇ ଯାଇଥିଲେ। ଏତିକିବେଳେ ବିଧାୟକଙ୍କ ଇସାରାରେ ତାଙ୍କ ସୁରକ୍ଷାକର୍ମୀ ଓ ଦଳୀୟ କର୍ମୀ ଶ୍ରୀ ପ୍ରମାଣିକଙ୍କୁ ଗାଡ଼ି ଆଗରୁ ଘୋଷାରି ଆଣି ରାସ୍ତାତଳକୁ ନେଇ ଆସିଥିଲେ।

ବିଧାୟକଙ୍କ ଏଭଳି ଆଚରଣକୁ କଂଗ୍ରେସ ଜିଲ୍ଲା ସଭାପତି ସଂଜୀବ ଗିରି କଟୁ ସମାଲୋଚନା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବାହାନଗା ବ୍ଲକ କଂଗ୍ରେସ ସଭାପତି ମଧୁସୂଦନ ମହାପାତ୍ର, ଜିଲ୍ଲା କଂଗ୍ରେସ ସମ୍ପାଦକ ପଶୁପତି ଉପାଧ୍ୟାୟ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ ବିଧାୟକ ଶ୍ରୀ ଧଡ଼ା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe