ଅସହ୍ୟ ହେଲା ବଡ଼ ପୁଅର ନିର୍ଯାତନା : ନ୍ୟାୟ ପାଇଁ ଡିଆଇଜିଙ୍କ ଦ୍ୱାରସ୍ଥ ହେଲେ ଭିନ୍ନକ୍ଷମ ପୁଅ-ମା'

Advertisment
ଅସହ୍ୟ ହେଲା ବଡ଼ ପୁଅର ନିର୍ଯାତନା : ନ୍ୟାୟ ପାଇଁ ଡିଆଇଜିଙ୍କ ଦ୍ୱାରସ୍ଥ ହେଲେ ଭିନ୍ନକ୍ଷମ ପୁଅ-ମା'

ବ୍ରହ୍ମପୁର : ବଡ଼ପୁଅର ନିର୍ଯାତନା ସବୁୁ ସୀମା ଟପିଗଲା। ସାନପୁଅ ଓ ମା'କୁ ଘରୁ ତଡ଼ିଦେଲା। ଏହା ପରେ ମଧ୍ୟ ବଡ଼ପୁଅ ନାନା ହଇରାଣ କରି ଚାଲିଥିଲା। ଦିନକୁ ଦିନ ନିର୍ଯାତନା ଅସହ୍ୟ ହେବାରୁ ବୃଦ୍ଧା ମା' ନିଜର ସାନ ଭିନ୍ନକ୍ଷମ ପୁଅ ସହିତ ନ୍ୟାୟ ଗୁହାରି କରି ଆଜି ଦକ୍ଷିଣାଞ୍ଚଳ ‌ପୁଲିସ ରେଞ୍ଜ ଡିଆଇଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ବଡ଼ପୁଅର ଅତ୍ୟାଚାର ଯୋଗୁଁ ବର୍ତ୍ତମାନ ଉଭୟ ମା'-ପୁଅ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଉଭୟଙ୍କୁ ସୁରକ୍ଷା ସହିତ ନ୍ୟାୟ ପ୍ରଦାନ ପାଇଁ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ନିକଟରେ ଛଳଛଳ ଆଖିରେ ନିବେଦନ କରିଛନ୍ତି ୭୦ବର୍ଷୀୟ ବୃଦ୍ଧା ମା' କେ. ଜାନକୀ ରାଓ। ଡିଆଇଜି ସମସ୍ତ ଅଭିଯୋଗ ଶୁଣିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଭୟ ମା'-ପୁଅକୁ ପ୍ରତିଶ୍ରୁତି ଦେଇଛନ୍ତି।

publive-image

ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ସ୍ବର୍ଗତ କେ. ରାମମୂର୍ତ୍ତି ରାଓଙ୍କ ୩ପୁଅ ମଧ୍ୟରୁ ସାନପୁଅ କେ. ଶ୍ରୀନିବାସ ରାଓ ଜଣେ ଭିନ୍ନକ୍ଷମ। ସାନପୁଅ ସହିତ ବୃଦ୍ଧା ମା' ଜାନକୀ ରହୁଛନ୍ତି। ବଡ଼ ପୁଅ କେ. ପ୍ରକାଶ ରାଓ ଜଣେ ଅସାମାଜିକ ବ୍ୟକ୍ତି। ସେ ମଝିଆ ପୁଅ କେ. ସୀମାଞ୍ଚଳକୁ ଆଜିକୁ ପ୍ରାୟ ୧୨ବର୍ଷ ହେଲା ଘରୁ ତଡ଼ି ଦେଇଛି। ମଝିଆ ପୁଅ ଜୀବନ ଭୟରେ ଅନ୍ୟତ୍ର ରହୁଛି। ଗତବର୍ଷ ବଡ଼ପୁଅ ପ୍ରକାଶ ସାନପୁଅ ଶ୍ରୀନିବାସଙ୍କୁ ଖଣ୍ଡାକାତିରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା। ହିଂଜିଳିକାଟୁ ଥାନା ପୁଲିସ ଏହି ଘଟଣାରେ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ୍‌ରେ ଆସିବା ପରେ ସେ ପୁଣିଥରେ ଅତ୍ୟାଚାର ଆରମ୍ଭ କରି ଦେଇଥିଲା। ଜାନକୀଙ୍କୁ ଘରୁ ତଡ଼ି ଦେଇ ଘର ଓ ଜମି ସହିତ ସମସ୍ତ ସାମଗ୍ରୀ କବ୍‌ଜା କରି ନେଇଥିଲା। ଏବେ ଜାନକୀ ସାନପୁଅ ଶ୍ରୀନିବାସ ସହିତ ଏକ କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଥିବା ବେଳେ ବିଭିନ୍ନ ସମୟରେ ବଡ଼ପୁଅ ପ୍ରକାଶ କିଛି ଅସାମାଜିକଙ୍କ ସହିତ ମିଶି ନାନା ଧମକ୍‌ ଦେଇ ହଇରାଣ କରୁଛି। ଏପରିକି ଜୀବନରେ ମାରି ଦେବାକୁ ଧମକ୍‌ ଦେଉଥିବା ନେଇ ଡିଆଇଜିଙ୍କ ନିକଟରେ ମା'-ପୁଅ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ କିଛି ପଦକ୍ଷେପ ଗ୍ରହଣ କରିବାକୁ ବୃଦ୍ଧ ମା' ଓ ଭିନ୍ନକ୍ଷମ ସାନପୁଅ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe