ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ବିରୋଧ କରାଯାଇ ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଏବିଭିପି ପକ୍ଷରୁ କୁହାଯାଇଛି ଯେ, ସଂଶୋଧନ ଆଇନ ବଳରେ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ରତା ନଷ୍ଟ ହେବ। କରୋନା ମହାମାରୀ ସମୟରେ ତରବରିଆ ଭାବେ କୌଣସି ଶିକ୍ଷାବିତ୍ ଓ ଛାତ୍ର ସଂଗଠନ ସହ ପରାମର୍ଶ ନକରି ଏହି ଆଇନ୍ ଆଣିବା ସଂପୂର୍ଣ୍ଣ ଅସାମ୍ବିଧାନିକ। ଅପରପକ୍ଷରେ ବିଶ୍ବବିଦ୍ୟାଳୟ ଉପରେ କୁଳାଧିପତିଙ୍କର ଥିବା ସାମ୍ବିଧାନିକ କ୍ଷମତାକୁ ସଙ୍କୁଚିତ କରିଦେଇ କୁଳପତି ନିଯୁକ୍ତ କରି ନିଜର ଦଳୀୟ ଲୋକଙ୍କୁ ପ୍ରୋତ୍ସାହନ ଦେଉଥିବା ଜଣାପଡ଼ୁଛି। ବିକ୍ଷୋଭ ସମୟରେ ଏହି ଗେଜେଟକୁ ପୋଡ଼ିବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭକାରୀ ବିଧାନସଭା ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇବା ସହିତ ଭ୍ୟାନରେ ବସାଇ ଥାନାକୁ ନେଇଥିଲା। ତେବେ ସାମାଜିକ ଦୂରତା ଭଙ୍ଗ ଓ ଆନ୍ଦୋଳନ ପାଇଁ କୌଣସି ଅନୁମତି ଆଣି ନଥିବାରୁ କ୍ୟାପିଟାଲ ଥାନା ପୁଲିସ ସଞ୍ଜୟ ମଲ୍ଲିକ ଓ ପ୍ରଶାନ୍ତ ପାଇକରାୟ ସମେତ ୧୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ଏବିଭିପିର ରାଜ୍ୟ ସଙ୍ଗଠନ ସଂପାଦକ ଶଶିକାନ୍ତ ମିଶ୍ର କହିଛନ୍ତି, ବିଦ୍ୟାର୍ଥୀ ପରିଷଦ କେବେ ବି ଏହି ଶିକ୍ଷା ବିରୋଧୀ ନୀତିକୁ ଲାଗୁ କରିବାକୁ ଦେବ ନାହିଁ। ଏହି ବିକ୍ଷୋଭରେ ସୁଧାଂଶୁ ସାହୁ, ପ୍ରୀତମ ଦାସ, ସୌମେଶ ଚନ୍ଦ୍ର ଦେ, ରାଜେଶ କୁମାର ପରିଡ଼ା, ସୂର୍ଯ୍ୟପ୍ରକାଶ କର, ନିଶିକାନ୍ତ ମିଶ୍ର, ଗୋପବନ୍ଧୁ ଜେନା, ମିଲନ ମହାପାତ୍ର, ରାଜିତ ନାୟକ, ଶୁଭସ୍ମିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us