ସମ୍ବାଦ ପ୍ରଭାବ: ଏମସିଏଚରେ ଏସି ମରାମତି, ଗର୍ଭବତୀଙ୍କ ପାଇଁ ଚିଠା ଓ ଚୌକି ବ୍ୟବସ୍ଥା 

Advertisment
ସମ୍ବାଦ ପ୍ରଭାବ: ଏମସିଏଚରେ ଏସି ମରାମତି, ଗର୍ଭବତୀଙ୍କ ପାଇଁ ଚିଠା ଓ ଚୌକି ବ୍ୟବସ୍ଥା 

ସୁନ୍ଦରଗଡ଼ : ସୁନ୍ଦରଗଡ଼ ମାତୃ ଓ ଶିଶୁ ହସ୍ପିଟାଲରେ ପ୍ରାୟ ୪୦ଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଅଚଳ ହୋଇ ଯାଇଥିବା ଓ ଏହି କାରଣରୁ ଗର୍ଭବତୀ, ପ୍ରସୂତି, ନବଜାତ ଶିଶୁ ତାତିରେ ଡହଳବିକଳ ହେଉଥିବା ଏବଂ ଶନିବାର ଗର୍ଭ ଓ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିବା ୩୦ରୁ ଅଧିକ ଗର୍ଭବତୀ ସ୍ତ୍ରୀ ଓ ପ୍ରସୂତି ବହିର୍ବିଭାଗ ସମ୍ମୁଖରେ ଅଧ ଘଣ୍ଟାରୁ ୪୫ ମିନିଟ ଯନ୍ତ୍ରଣାସିକ୍ତ ଭାବେ ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଅବ୍ୟବସ୍ଥାର ଏ ଦୁଇଟି ସମ୍ବେଦନଶୀଳ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ସରୋଜ କୁମାର ମିଶ୍ର ଏହାକୁ ଗମ୍ଭୀରତା ସହ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଡ. ମିଶ୍ରଙ୍କ ଉପସ୍ଥିତିରେ ହସ୍ପିଟାଲର ଗୁରୁତ୍ବପୂର୍ଣ୍ଣ କକ୍ଷଗୁଡ଼ିକରେ ଅଚଳ ପଡ଼ିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଗୁଡ଼ିକର ମରାମତି କରାଯାଇଛି। ଏହା ସହ ରବିବାରଠାରୁ ପରୀକ୍ଷା ପାଇଁ ଆସିଥିବା ଗର୍ଭବତୀଙ୍କୁ ପୂର୍ବ ପରି କ୍ରମିକ ଚିଠା ପ୍ରଦାନ କରାଯାଇଛି। ଏ ବ୍ୟବସ୍ଥାରେ ଡାକ୍ତରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଗର୍ଭବତୀଙ୍କ ପ୍ରତୀକ୍ଷା ପାଇଁ ସ୍ତ୍ରୀ ଓ ପ୍ରସୂତି ବହିର୍ବିଭାଗ ସମ୍ମୁଖରେ ଅଧିକ ଚୌକି ପକାଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ରେ ଖରା ତାତି ଅସମ୍ଭାଳ ଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରସ୍ଥିତ ଗୁରୁତ୍ବପୂର୍ଣ୍ଣ ମା ଓ ଶିଶୁ ହସ୍ପିଟାଲ (ଏମସିଏଚ୍)ର ୪୦ରୁ ଅଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଅଚଳ ହୋଇପଡ଼ିଥିବା ଅଭିଯୋଗ ହୋଇଥିଲା। ଯାହା ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗର୍ଭବତୀ, ପ୍ରସୂତି ଓ ନବଜାତ ଶିଶୁ ଅସହ୍ୟ ତାତିରେ ସିଝୁଥିଲେ। ଅତି ସମ୍ବେଦନଶୀଳ ଅବସ୍ଥାରେ ଥିବା ଗର୍ଭବତୀ, ପ୍ରସୂତି ଓ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ପାଇଁ ଶୀତତାପ ନିୟନ୍ତ୍ରିତ କକ୍ଷ ବା ପରିବେଶ ଜରୁରୀ। କିନ୍ତୁ ଏଠାରେ ବହୁଦିନ ଧରି ସେ ବ୍ୟବସ୍ଥା କାମ କରୁ ନଥିବା ଜଣାପଡ଼ିଥିଲା। ଏପରିକି ଏ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟ ସହାୟକ ଏବଂ ମା ଓ ଶିଶୁ ହସ୍ପିଟାଲ ପରିଚାଳକ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ଅଚଳ ଯନ୍ତ୍ରଗୁଡ଼ିକର ମରାମତି କରାଯାଉ ନଥିଲା ବା କେବେ କେମିତି ମରାମତି କଲେ ମଧ୍ୟ ତାହା ଦିନେ ଦି’ଦିନ ମଧ୍ୟରେ ପୁଣି ଖରାପ ହୋଇଯାଉଥିବା ଅଭିଯୋଗ ହୋଇଥିଲା।

ସେହିପରି ଗତ ୨୭ ତାରିଖ ଶନିବାର ନିୟମିତ ବା ମାସିକ ଗର୍ଭ ପରୀକ୍ଷା ପାଇଁ ଆସିଥିବା ଗର୍ଭବତୀମାନେ ମାତୃ ଓ ଶିଶୁ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବହିର୍ବିଭାଗ ସମ୍ମୁଖରେ ବହୁ ସମୟ ଧରି ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଥିଲା। ଗର୍ଭ ବୋଝ ସହ ଅଣ୍ଟାପିଠି କଟକଟ କରୁଥିଲେ ମଧ୍ୟ ସେମାନେ ସେମିତି ବହୁ ସମୟ ଧରି ଠିଆ ହୋଇଥିଲେ। କିଛି ଦୂରରେ ଚୌକି ପଡ଼ିଥିଲେ ମଧ୍ୟ ସେମାନେ ବସି ପାରୁ ନଥିଲେ। ଡର ଥିଲା, ଧାଡ଼ିରୁ ଟିକିଏ ହଟିଲେ ଆଉ କିଏ ସେ ସ୍ଥାନ ମାଡ଼ି ବସିବ ଓ ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ଶେଷକୁ କିଏ ଅଧଘଣ୍ଟା ତ କିଏ ୪୫ ମିନିଟ୍ ପରେ ଡାକ୍ତରଙ୍କୁ ଦେଖାଇ ଶାରୀରିକ ଯନ୍ତ୍ରଣା ନେଇ ଘରକୁ ଫେରିଥିଲେ। ପୂର୍ବରୁ ଡାକ୍ତରୀ ଯାଞ୍ଚ ବା ପରୀକ୍ଷା ପାଇଁ ଆସୁଥିବା ଗର୍ଭବତୀମାନଙ୍କୁ କ୍ରମିକ ଚିଠା ଦିଆଯାଉଥିଲା। ଚିଠା ଅନୁସାରେ ଭିତରୁ ଡାକରା ଆସୁଥିଲା ଓ କ୍ରମାନ୍ବୟରେ ଗର୍ଭବତୀ ପରୀକ୍ଷା ପାଇଁ ଯାଉଥିଲେ। ହାତରେ ଚିଠା ଥିବାରୁ ସେମାନେ ବେଶ ଆରାମରେ ଚୌକିରେ ବସି ଅପେକ୍ଷା କରୁଥିଲେ। କିନ୍ତୁ କିଛି ଦିନ ହେଲା ଏ ବ୍ୟବସ୍ଥା ବନ୍ଦ କରି ଧାଡ଼ିରେ ଆସିବାକୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe