ଡେବ୍ରିଗଡ଼ରେ ଆରମ୍ଭ ହେଲା ଏସି ସଫାରି ସେବା, ୩ଟି ୪ ଚକିଆ ଓ ୨ଟି ମିନିବସ୍‌ ଚାଲିଲା

Advertisment

ଅଭୟାରଣ୍ୟ ବ୍ୟତୀତ ଆଖପାଖ ପର୍ଯ୍ୟଟନସ୍ଥଳ ବୁଲି ପାରିବେ ପର୍ଯ୍ୟଟକ

ଅଭୟାରଣ୍ୟ ବ୍ୟତୀତ ଆଖପାଖ ପର୍ଯ୍ୟଟନସ୍ଥଳ ବୁଲି ପାରିବେ ପର୍ଯ୍ୟଟକ

ଡେବ୍ରିଗଡ଼ରେ ଆରମ୍ଭ ହେଲା ଏସି ସଫାରି ସେବା, ୩ଟି ୪ ଚକିଆ ଓ ୨ଟି ମିନିବସ୍‌ ଚାଲିଲା

ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ୫ଟି ନୂଆ ବାତାନୁକୂଳ (ଏସି) ସଫାରି ଯାନ ଉଦ୍‌ଘାଟିତ ହୋଇଛି। ଏଥିରେ ୩ଟି ୪ ଆସନ ବିଶିଷ୍ଟ ଚାରିଚକିଆ ଏସି ଯାନ ଓ ୨ଟି ୧୨ ଆସନ ବିଶିଷ୍ଟ ଏସି ମିନି ବସ୍‌ ରହିଛି। ପୂର୍ବରୁ ୯ଟି ଅଣଏସି ସଫାରି ଯାନ ଡେବ୍ରିଗଡ଼ରେ ପର୍ଯ୍ୟଟକଙ୍କ ସେବାରେ ନିୟୋଜିତ ଥିବାବେଳେ ନୂଆ ଏସି ଯାନ ଗୁଡ଼ିକ ସାମାନ୍ୟ ଅଧିକ ଖର୍ଚ୍ଚରେ ପର୍ଯ୍ୟଟକଙ୍କୁ ଆରାମଦାୟକ ଜଙ୍ଗଲ ଭ୍ରମଣର ଅନୁଭୂତି ଦେଇ ପାରିବ ବୋଲି ହୀରାକୁଦ ବନ୍ୟାପ୍ରାଣୀ ବିଭାଗ ପକ୍ଷରୁ କହାଯାଇଛି। ବୁଧବାର ହୀରାକୁଦ ବନ୍ୟାପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ପତାକା ଦେଖାଇ ଏହି ୫ଟି ନୂଆ ଗାଡ଼ିର ଶୁଭାରମ୍ଭ କରିଥିଲେ। ୩ ପର୍ଯ୍ୟଟକ (ଡ୍ରାଇଭର୍‌ଙ୍କୁ ମିଶାଇ ୪) ବୁଲିବା ପାଇଁ ଉଦ୍ଦିଷ୍ଟ ୪ ଚକିଆ ଏସି ସଫାରି ଭ୍ରମଣ ମୂଲ୍ୟ ୨୧୦୦ (ଜିଏସ୍‌ଟି ମିଶାଇ) ଟଙ୍କା ଓ ୧୨ ପର୍ଯ୍ୟଟକ ବୁଲିବା ପାଇଁ ଏସି ମିନିବସ୍‌ ମୂଲ୍ୟ ୪,୭୨୫ (ଜିଏସ୍‌ଟି ସହିତ) ଟଙ୍କା ରଖାଯାଇଛି। ଏହି ଗାଡ଼ି ଗୁଡ଼ିକ ସହାୟତାରେ ପର୍ଯ୍ୟଟକମାନେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଓ ବାହାରେ ତଥା ବାରପାହାଡ଼ ପର୍ବତ ଚାରିପାଖରେ ଭ୍ରମଣ କରିପାରିବେ। ୪ ଚକିଆ ଗାଡ଼ି ଗୁଡ଼ିକ ପର୍ଯ୍ୟଟକ ଚାହିଁଲେ ଓପନ୍ ହୁଡ୍‌ ଜିପ୍ ଭଳି ବି ବ୍ୟବହାର କରାଯାଇ ପାରିବ।

ଡେବ୍ରିଗଡ଼ ବୁଲିବା ପାଇଁ ଦେଶର ପ୍ରାୟ ୨୦ଟି ରାଜ୍ୟରୁ ପର୍ଯ୍ୟଟକ ଆସୁଥିବାବେଳେ ସେଥିରେ ଓଡ଼ିଆ ଅତିଥିଙ୍କ ସଂଖ୍ୟା ପ୍ରାୟ ୫୦%। ଏହାବ୍ୟତୀତ ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ଏହି ପର୍ଯ୍ୟଟକଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଣଏସି ସଫାରି ଯାନ ଉପଲବ୍‌ଧ ଥିଲା। ଏସି ସଫାରି ଯାନ ପର୍ଯ୍ୟଟକଙ୍କୁ ଅଧିକ ସଂଖ୍ୟାରେ ଆକର୍ଷିତ କରିପାରିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି। ବିଶେଷ କରି ଖରା ଓ ବର୍ଷା ଦିନେ ପରିବେଶ ଉତ୍ତପ୍ତ ଥିଲାବେଳେ ଏହାର ଅଧିକ ଚାହିଦା ରହିବ। ଡେବ୍ରିଗଡ଼ ବୁଲିବା ବ୍ୟତୀତ ସେମାନେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ଯଥା ଗନ୍ଧମାର୍ଦନ ପାଦ ଦେଶରେ ଥିବା ନୃସିଂହନାଥ ଓ ବାରପାହାଡ଼ ପାଦ ଦେଶରେ ଅମ୍ବାଭନାରେ ଥିବା କେଦାରନାଥ ମନ୍ଦିର ବୁଲି ପାରିବେ। ସମ୍ବଲପୁରର ବଜାର ଓ ଚିଡ଼ିଆଖାନା ବୁଲିବା ପାଇଁ ବି ଏହି ଗାଡ଼ିର ବୁକିଂ କରିପାରିବେ ବୋଲି ହୀରାକୁଦ ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe