ଶିକ୍ଷକ ଆନ୍ଦୋଳନ ନେଇ ଅକଳରେ ସରକାର: ପ୍ରାଥମିକ ସ୍କୁଲରେ ପଢ଼ାଇବେନି ମାଧ୍ୟମିକ ଶିକ୍ଷକ

Advertisment

ମଧ୍ୟାହ୍ନଭୋଜନ ଦାୟିତ୍ବ ନେବାକୁ ମନାକଲେ ଅଙ୍ଗନବାଡ଼ି କର୍ମୀ, ଗଣମାଧ୍ୟମକୁ ନ ଯିବାକୁ ନାଲିଆଖି ଦେଖାଇଲାଣି ବିଭାଗ

ମଧ୍ୟାହ୍ନଭୋଜନ ଦାୟିତ୍ବ ନେବାକୁ ମନାକଲେ ଅଙ୍ଗନବାଡ଼ି କର୍ମୀ, ଗଣମାଧ୍ୟମକୁ ନ ଯିବାକୁ ନାଲିଆଖି ଦେଖାଇଲାଣି ବିଭାଗ

ଶିକ୍ଷକ ଆନ୍ଦୋଳନ ନେଇ ଅକଳରେ ସରକାର: ପ୍ରାଥମିକ ସ୍କୁଲରେ ପଢ଼ାଇବେନି ମାଧ୍ୟମିକ ଶିକ୍ଷକ

????????????????????????????????????

ଭୁବନେଶ୍ବର: ପ୍ରାଣ ଚାଲିଯିବ ପଛେ ମୁଣ୍ଡ ନୁଆଁଇବୁ ନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରେ ବସି ରହିବୁ। ସ୍କୁଲ ଫେରିବୁ ନାହିଁ କି ପିଲାଙ୍କ କ୍ଲାସ ନେବୁନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛି। ସେପଟେ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିକଳ୍ପ ବ୍ୟବସ୍ଥା ବିଫଳ ହେଉଛି। ପ୍ରଥମେ ଆନ୍ଦୋଳନକ ଚାପିବାକୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧମକାଇଥିଲେ। ୨୨୦ ଦିନ ପାଠପଢ଼ା ଭୟ ଦେଖାଇବା ପରେ କେଉଁ ଶିକ୍ଷକ କେତେ ଦିନ ଅନୁପସ୍ଥିତ ରହୁଛନ୍ତି ତାହାର ତାଲିକା ପ୍ରସ୍ତୁତ କରି ପ୍ରତିଦିନ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ କହିଲେ। ତଥାପି କୌଣସି ସୁଫଳ ମିଳିଲା ନାହିଁ। ବରଂ ଆନ୍ଦୋଳନ ବ୍ୟାପକ ହେଲା। ବିକଳ୍ପ ବ୍ୟବସ୍ଥା ଭାବେ ଏବେ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ସେଥିରେ ବି ସଫଳ ହୋଇନାହାନ୍ତି।

ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବା କିମ୍ବା ମଧ୍ୟାହ୍ନଭୋଜନ କାର୍ଯ୍ୟ ବୁଝିପାରିବେ ନାହିଁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆଜି ରୋକଠୋକ୍‌ ଶୁଣାଇ ଦେଇଛି। ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ ଦାଶ ଆଜି ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ଙ୍କୁ ପତ୍ର ଲେଖି କହିଛନ୍ତି, ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟ ଦାୟିତ୍ବ ବୁଝିବା ଓ ମଧ୍ୟାହ୍ନଭୋଜନ ପରିଚାଳନା କରିବାକୁ କିଛି ଡିଇଓ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ହାଇସ୍କୁଲ ଶିକ୍ଷକ ଅନେକ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ପିଲାଙ୍କ ପାଠପଢ଼ା ପଛାଇଛି। ଯେଉଁଥିପାଇଁ ଦଶମ ଷାଣ୍ମାସିକ ପରୀକ୍ଷା ଗୋଟିଏ ମାସ ଘୁଞ୍ଚାଇ ଅକ୍ଟୋବରରେ କରିବାକୁ ନିଷ୍ପତ୍ତି ହୋଇଛି। ଏଭଳି ସ୍ଥିତିରେ ଯଦି ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବେ ତେବେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବ। ତେଣୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତିରୁ ଓହରିବା ସହ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବିଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ନିଅନ୍ତୁ। କିମ୍ବା ଅନ୍ୟ କୌଣସି ଉପାୟ ଅବଲମ୍ବନ କରନ୍ତୁ।

ଅଙ୍ଗନବାଡ଼ି କର୍ମୀଙ୍କୁ ସ୍କୁଲର ମଧ୍ୟାହ୍ନଭୋଜନ ଦାୟିତ୍ବ ଦେବାକୁ କେତେକ ଡିଇଓ ‌ଯୋଜନା କରିଥିଲେ ମଧ୍ୟ ତାହା ବିରୋଧରେ ସ୍ବର ଉଠିଲାଣି। ସ୍କୁଲରେ କାର୍ଯ୍ୟ କରିବାକୁ ଅଙ୍ଗନବାଡ଼ି କର୍ମୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସେମାନେ ଗଣଶିକ୍ଷା ବିଭାଗ ଅଧୀନରେ ଆସୁ ନଥିବାରୁ ଯଦି ସ୍କୁଲରେ କୌଣସି ଅସୁବିଧା ହେବ ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ଦାୟିତ୍ବ ନେବାକୁ ସେମାନେ ଅମଙ୍ଗ ହୋଇଛନ୍ତି।

‌ଅନ୍ୟପକ୍ଷରେ ଶିକ୍ଷକ ଆନ୍ଦୋଳନ ଭଣ୍ଡୁର କରିବାକୁ ଏବେ ସରକାରୀ ଚାପ ପଡ଼ିଛି। ଜଣେ ବିଧାୟକ ପ୍ରତିଦିନ ଶିକ୍ଷକ ନେତାମାନଙ୍କୁ ଡାକି ବିଭିନ୍ନ ପ୍ରକାର
ଧମକ ଦେଉଛନ୍ତି। ସବୁଆଡ଼ୁ ଚାପ ପକାଇ ଶିକ୍ଷକଙ୍କ ପାଟି ଚୁପ୍‌ କରିବାକୁ ଉଦ୍ୟମ ହେଉଥିବା ଖବର ସାମ୍ନାକୁ ଆସିଛି। କୌଣସି ଶିକ୍ଷକ ନେତା ଗଣମାଧ୍ୟମରେ ମତ ରଖିପାରିବେ ‌ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଅଘୋଷିତ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କିଛି କୁହନ୍ତି କିମ୍ବା କୌଣସି ବିତର୍କରେ ଭାଗ ନିଅନ୍ତି ତାହା ହେଲେ ପରବର୍ତ୍ତୀ ସମୟରେ ଅସୁବିଧାରେ ପଡ଼ିବେ ବୋଲି ଧମକ ମଧ୍ୟ ଦିଆଯାଇଛି। ଏତେ ସବୁ ପରେ ମଧ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ଜିଦ୍‌ରେ ଅଟଳ ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ନ ହଟିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ପ୍ରାଥମିକ ଶିକ୍ଷକଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି ଓଡ଼ିଶା ଅଭିଭାବକ ମହାସଂଘ। ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ସରକାରୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗୁରୁତର ପ୍ରଭାବିତ ହୋଇଛି। ତେଣୁ ତୁରନ୍ତ ଶିକ୍ଷକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସର୍ବନିମ୍ନ ଦାବି ପୂରଣ କରନ୍ତୁ। ଯଦି ଶିକ୍ଷକମାନଙ୍କ ଦାବି ପୂରଣ ନହୁଏ ତେବେ ସୋମବାରଠାରୁ ରାଜ୍ୟର ସବୁ ସ୍କୁଲରେ ଅଭିଭାବକମାନେ ସ୍କୁଲ ସାମ୍ନାରେ ଧାରଣା ଦେବେ। ସେଠାରେ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଶିକ୍ଷକ ଆନ୍ଦୋଳନକୁ ଆଜି ୟୁଟିଆ, ୬୬୨ କଲେଜ ଶିକ୍ଷକ ସଂଘ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe