ବଡ଼ଦାଣ୍ଡରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣେ ମୃତ, ଶତାଧିକ ଅସୁସ୍ଥ

Advertisment

ରଥଚକ ତଳେ ଜୀବନ ଗଲା

ରଥଚକ ତଳେ ଜୀବନ ଗଲା

ବଡ଼ଦାଣ୍ଡରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣେ ମୃତ, ଶତାଧିକ ଅସୁସ୍ଥ

ପୁରୀ: ଆଜି ରଥଯାତ୍ରା ଭିଡ଼ରେ ଅଣନିଶ୍ବାସୀ ହୋଇ ଜ‌େଣ ଭକ୍ତ ପ୍ରାଣ ହରାଇଥିବା ବେଳେ ଶତାଧିକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ପ୍ରବଳ ଭି଼ଡ଼ ଯୋଗୁ ଅନେକ ସ୍ଥାନରେ ଠେଲାପେଲା ପରିସ୍ଥିତି ମଧ୍ୟ ଉପୁଜିଥିଲା। ଆଜି ଦିନ ପ୍ରାୟ ୪ଟା ୫୪ ମିନିଟ୍‌ ସମୟରେ ବଡ଼ଠାକୁରଙ୍କର ରଥଟଣା ଆରମ୍ଭ ହୋଇଥିଲା। ତାଳଧ୍ବଜ ରଥ କିଛି ବାଟ ଗଡ଼ିବା ପରେ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ନିକଟରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ଏଥିରେ ଅଣନିଶ୍ବାସୀ ହୋଇ ଜଣେ ବ୍ୟକ୍ତି ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପକେଟରୁ ମିଳିଥିବା ମୋବାଇଲ ଫୋନ୍‌
ଓ କିଛି ଟଙ୍କା ମିଳିଥିଲା। ଏହି ଫୋନ୍‌ରୁ ସେ ବଲାଙ୍ଗୀରର ମୁନା ବୋଲି ଜଣାପଡ଼ିଛି।

ସେହିପରି ଆଜି ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ତାଙ୍କ ମଞ୍ଚ ନିକଟକୁ ଲାଗି ରହିଥିବା ଷ୍ଟିଲ୍‌ ବ୍ୟାରିକେଡ୍‌ ପଡ଼ିଯାଇଥିଲା। ଏଠାରେ ପ୍ରବଳ ଭିଡ଼ ରହିଥିବା ବେଳେ କିଛି ଲୋକେ ବ୍ୟାରିକେଡ୍‌ ଉପରେ ଚଢ଼ିଯାଇଥିଲେ। ପୁଲିସ ମଧ୍ୟ ଏହି ବ୍ୟାରିକେଡ୍‌ ଡେଇଁବା ‌ଫଳରେ ବ୍ୟାରିକେଡ୍‌ ଭକ୍ତଙ୍କ ଉପରେ ପଡ଼ିଯାଇଥିଲା। ଏଠାରେ କିଛି ଭକ୍ତ ମଧ୍ୟ ଆହତ ହୋଇ ଡାକ୍ତରଖାନାକୁ ଆସିଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ଓଡ଼ିଶା ଆଇଆର୍‌ବି ବାଟାଲିୟନର ସିପାହୀ ନିରାକାରପୁରର ଅରୁଣ ବେହେରା(୪୨) ବଡ଼ଠାକୁରଙ୍କ ବାହାର କର୍ଡନ ରଶି ସହିତ ଆଗକୁ ଆସୁଥିଲେ। ଏହି ସମୟରେ ଜଣେ ଭକ୍ତ କର୍ଡନ ରଶିକୁ ଧରି ଟାଣିବା ସମୟରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ଶ୍ରଦ୍ଧାଳୁ ଚଢ଼ିଯାଇଥିଲେ। ଫଳରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହା ଠେଲାପେଲା ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି, ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ରହିଥିଲା। ଏହି ଭିଡ଼ ଭିତରେ ଭକ୍ତମାନେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ସେମାନଙ୍କୁ ଶ୍ରୀମନ୍ଦିର ନିକଟରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ପ୍ରାଥମିକ ଚିକିତ୍ସା ପରେ ଛଡ଼ାଯାଇଛି। ଅନ୍ୟ କିଛି ଶ୍ରଦ୍ଧାଳୁଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅଣନିଃଶ୍ବାସୀ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆମେ ଏହାର ଅଧିକ ଅନୁସନ୍ଧାନ କରୁଛୁ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଥଯାତ୍ରା ଭିଡ଼ରେ ପ୍ରାଣ ହରାଇଥିବା ଭକ୍ତଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବ‌ାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗୀର ସଇଁତଳାର ଲଳିତ ବାଗର୍ତ୍ତି ବୋଲି ଜଣାପଡ଼ିଛି।

ରଥଚକ ତଳେ ଜୀବନ ଗଲା

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା କୁକୁରଜଙ୍ଗାରେ ରଥଟଣା ବେଳେ ଅଘଟଣ ଘଟିଛି। ରଥଚକ ତଳେ ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି। ମୃତକ ହେଲେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଛତାବାହାଲ ଗ୍ରାମର ଶ୍ୟାମ ସୁନ୍ଦର କିଷାନ(୪୫)। ରବିବାର ଦିନ କୁକୁରଜଙ୍ଗାରେ ରଥଯାତ୍ରା ଉତ୍ସବ ଚାଲିଥିଲା। ସେଠାରେ ଶହଶହ ଲୋକଙ୍କ ସମାଗମ ହୋଇଥିଲା ଏବଂ ଶ୍ରଦ୍ଧାଳୁମାନେ ଆନନ୍ଦର ସହ ରଥ ଟାଣିଥିଲେ। ସନ୍ଧ୍ୟା ସମୟରେ ରଥ ହଠାତ୍‌ ଗୋଟିଏ ପାର୍ଶ୍ବକୁ ଢଳିଯାଇଥିଲା। ଶ୍ୟାମ ସୁନ୍ଦର ରଥଚକ ତଳେ ରହିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe