ରଥଖଳାରେ ଅଘଟଣ : ଓଲଟିଲା ତୁମ୍ବଖୋଳା ମେସିନ୍‌, ଶିଶୁ ଆହତ, ସାଇକେଲ ଚୂର୍‌ମାର୍‌

Advertisment
ରଥଖଳାରେ ଅଘଟଣ : ଓଲଟିଲା ତୁମ୍ବଖୋଳା ମେସିନ୍‌, ଶିଶୁ ଆହତ, ସାଇକେଲ ଚୂର୍‌ମାର୍‌

ପୁରୀ : ରଥଖଳାରେ ଆଜି ରାତିରେ ଏକ ଅଘଟଣ ଘଟିଛି। ରଥଖଳାରେ ତୁମ୍ବ ବିନ୍ଧ (ଅଖ କାମ ପାଇଁ) ମେସିନ୍‌ ତୁମ୍ବ ସହ ଓଲଟି ପଡ଼ିବାରୁ ଏଥିରେ ଜଣେ ଶିଶୁ ଆହତ ହୋଇଛି। ମେସିନ୍‌ଟି ଶିଶୁ ଉପରେ ପଡ଼ିଥିଲେ ବି ସେ ସାମାନ୍ୟ ନଇଁ ପଡ଼ିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତିଯାଇଛି। ଶିଶୁର ମୁଣ୍ଡରେ ଆଘାତ ଲାଗିଥିବାରୁ ତାକୁ ଏକ ଘରୋଇ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ମେସିନ୍‌ ନିକଟରେ ଥିବା ଏକ ସାଇକେଲ୍‌ ମେସିନ୍‌ ତଳେ ଚାପି ହୋଇ ରହିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ଆଜି ରାତି ପ୍ରାୟ ୧୦ରୁ ସାଢ଼େ ୧୦ଟା ଭିତରେ ରଥଖଳାରେ ରହିଥିବା ତୁମ୍ବଖୋଳା ମେସିନ୍‌ଟି କୌଣସି କାରଣରୁ ଓଲଟି ପଡ଼ିଥିଲା। ଏହି ସମୟରେ ପାଖରେ ଥିବା ୯ ବର୍ଷର ଜଣେ ଶିଶୁ ଆହତ ହୋଇଥିଲା। ମେସିନ୍‌ର କୌଣସି ଅଂଶ ଶିଶୁଟିର ମୁଣ୍ଡରେ ବାଜିବାରୁ ତା’ ମୁଣ୍ଡ ଫାଟି ଯାଇଥିଲା। ଶିଶୁ ଜଣକର ପରିଚୟ ମିଳିନଥିଲେ ବି ସେ ହାଡ଼ଗୋଡ଼ିଆ ସାହି ନିକଟ ଅଞ୍ଚଳର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମେସିନ୍‌ ପାଖରେ ଥିବା ଏକ ସାଇକେଲ ଚାପି ହୋଇରହିଛି। ମେସିନ୍‌ରେ ସୁଭଦ୍ରାଙ୍କ ତୁମ୍ବ ଅଧା ବିନ୍ଧ ଅବସ୍ଥାରେ ରଖି ମହାରଣା ସେବକମାନେ ଆଜି କାମ ସାରି ଘରକୁ ଯାଇଥିଲେ। ଏଣୁ ମେସିନ୍‌ରେ ତୁମ୍ବ ଅଧାଖୋଳା ଅବସ୍ଥାରେ ଲାଗି ରହିଥିଲା। ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe