new indian express
ହରିପୁର: ମା’ର ଶୁଦ୍ଧିକ୍ରିୟା ସାରି କର୍ମକ୍ଷେତ୍ରକୁ ଫେରୁଥିଲେ ପୁଅ। ବାଟରେ ଗାଡ଼ି ଧକ୍କାରେ ଚାଲିଗଲା ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି କୁଆଖିଆ ଥାନା ଅଧୀନ ଏନଏଚ-୨୦ ର ବଡ଼ଗୋବିନ୍ଦପୁର ନିକଟରେ। ମୃତବ୍ୟକ୍ତି ହେଲେ ଅରୁଣ କୁମାର ବିଶ୍ବାଳ (୪୫)। ତାଙ୍କ ଘର ଯାଜପୁର ସଦର ଥାନା ଅଧୀନ ଛତିଶଦେବିଲ ପଞ୍ଚାୟତ ଋଷିପୁର ବିଲସାହିରେ।
ସେ ଟାଙ୍ଗିସ୍ଥିତ ଏକ ଗୋଖାଦ୍ୟ ମିଲ୍ରେ କାର୍ଯ୍ୟ କରୁଥିଲେ। ମା’ଙ୍କ ପରଲୋକ ପରେ ଘରକୁ ଆସି କ୍ରିୟାକର୍ମ ଓ ଶୁଦ୍ଧି ସାରିବା ପରେ ସୋମବାର ସକାଳେ କର୍ମସଂସ୍ଥାକୁ ଏକ ସ୍କୁଟରରେ ଫେରୁଥିଲେ। କୌଣସି ଏକ ଭାରୀଯାନ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ହେଲମେଟ୍ ପିନ୍ଧିଥିଲେ ବି ତାଙ୍କ ମୁଣ୍ତ ଉପରେ ଗାଡ଼ି ଚକ ଚଢ଼ିଯିବାରୁ ଗୁରୁତର ହୋଇଥିଲେ। କୁଆଖିଆ ପୁଲିସ ପହଞ୍ଚି ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅପରାହ୍ନରେ ମରଶରୀର ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। କୁଆଖିଆ ପୁଲିସ ଏନେଇ ନଂ.୨/୨୨ନମ୍ବରରେ ମାମଲା ରୁଜୁକରି ତଦନ୍ତ କରୁଛି। ବାପା ନବଘନ ବିଶ୍ବାଳଙ୍କ ବିୟୋଗ ପରେ ଅରୁଣ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ମା’ଙ୍କ ମୃତ୍ୟୁର ୧୬ ଦିନ ପରେ ପୁଅର ମୃତ୍ୟୁ ହେବା ଘଟଣା ଏ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସ୍ବାମୀଙ୍କ ଅକସ୍ମାତ ବିୟୋଗରେ ତାଙ୍କ ପତ୍ନୀ ଭାଙ୍ଗିପଡ଼ିଛନ୍ତି। ଦୁଇ ଝିଅ ଓ ଜଣେ ପୁଅଙ୍କୁ ଧରି କିପରି ଚଳିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
Follow Us