୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୨ ମୃତ, ୩୦ ଆହତ

Advertisment

ଗ୍ୟାସ କଟର୍‌ରେ କାଟି ଯାତ୍ରୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗ୍ୟାସ କଟର୍‌ରେ କାଟି ଯାତ୍ରୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଦାର୍ଜିଲିଂରେ ଦୁର୍ଘଟଣା: ଗୋଟିଏ ପରିବାରର ୫ ସମେତ ୬ ମୃତ

image source--news first

ଭଦ୍ରକ: ଶୁକ୍ରବାର ଭୋର୍‌ ୩ଟା ୪୫ରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ବନ୍ତଛକ ଓଭରବ୍ରିଜ୍ ଉପରେ ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ୧୦ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଧାମନଗର ଉର୍ସ ଉତ୍ସବରୁ ଯାତ୍ରୀଙ୍କୁ ନେଇ ଉକ୍ତ ଘରୋଇ ବସ୍‌ଟି ଭଦ୍ରକ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ପ୍ରାୟ ୩ ଘଣ୍ଟାର କସରତ୍‌ ପରେ ବସ୍‌ ଭିତରୁ ସମସ୍ତ ଯାତ୍ରୀମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିଲେ।

କଟକରେ ୧୦, ଭଦ୍ରକ ଡାକ୍ତରଖାନାରେ ୨୦ ଚିକିତ୍ସାଧୀନ
ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିରୁ ୨ ଲକ୍ଷ ସହାୟତା

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଧାମନଗରଠାରେ ଉର୍ସ ଉତ୍ସବ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଓଡ଼ିଶା ବାହାରୁ ହଜାର ହଜାର ମୁସଲିମ୍ ଭକ୍ତ ଆସିଥିଲେ। ଗତକାଲି ରାତିରେ ଉର୍ସ ଉତ୍ସବ ଶେ‌ଷ ହେବା ପରେ ମୁସଲିମ୍ ଶ୍ରଦ୍ଧାଳୁମାନେ ଧାମନଗରରୁ ‘ଉପହାର’ ନାମକ ଏକ ଘରୋଇ ବସ୍‌ରେ ଭଦ୍ରକ ଫେରିଥିଲେ। ଯାତ୍ରୀମାନଙ୍କୁ ଏହି ବସ୍ ସେବା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ଭଦ୍ରକ ରେଳଷ୍ଟେସନ୍‌ରେ ଛାଡ଼ି ବସ୍‌ଟି ଅନ୍ୟମାନଙ୍କୁ ନେଇ ବାସୁଦେବପୁର ଯାଇଥା’ନ୍ତା। ରାତି ପ୍ରାୟ ୩ଟା ୪୫ ମିନିଟ୍‌ରେ ବସ୍‌ଟି ଭଦ୍ରକ ବନ୍ତ ଛକ ଓଭରବ୍ରିଜ୍ ଉପରକୁ ଉଠୁଥିବାବେଳେ ବାଲେଶ୍ବର ଆଡୁ ଆସୁଥିବା ଏକ ଦଶଚକିଆ ଆନ୍ଧ୍ର ଟ୍ରକ୍‌ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ, ଉଭୟ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଛି। ଦୁର୍ଘଟଣା ପରେ ବସ୍‌ଟି ରାସ୍ତାକଡ ବାଡାରେ ପିଟି ହୋଇ ରହି ଯାଇଥିବାବେଳେ ଯାତ୍ରୀମାନେ ବସ୍‌ ଭତରେ ଚାପି ହୋଇ ରହିଯାଇଥିଲେ। ଉଦ୍ଧାର ପୂର୍ବରୁ ଘଟଣାସ୍ଥଳରେ ଭଦ୍ରକ ପୁରୁଣାବଜାର ଅଞ୍ଚଳର ସେକ୍ ନିଜାମଉଦ୍ଦିନ୍‌ ଓ ବିଶାଖାପାଟଣାର ସୟଦ ଇଦୁରୁସ୍ ବାଦସା ପ୍ରାଣ ହରାଇଥିଲେ। ବସ୍ ଭିତରେ ଚାପି ହୋଇ ରହିଥିବା ଅନ୍ୟ ଯାତ୍ରୀମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଗ୍ୟାସ୍‌ କଟରରେ କାଟି ବହୁ କଷ୍ଟରେ ଉଦ୍ଧାର କରିଥିଲେ। ଏଥିପାଇଁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିବା‌ବେଳେ ୩ଟି ଦମକଳ ଗାଡି ଓ ୮ଟି ଆମ୍ବୁଲାନ୍ସରେ ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୮ ଜଣିଆ ଡାକ୍ତରୀ ଟିମ୍ ଆହତମାନଙ୍କର ଚିକିତ୍ସା କରିଥିଲେ। ତନ୍ମଧ୍ୟରୁ ୧୦ ଜଣଙ୍କୁ ସ୍ବତନ୍ତ୍ର ଆମ୍ବୁଲାନସ୍ ଯୋଗେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ୨୦ ଜଣ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାକୁ ନେଇ ଆଜି ଦିନତମାମ ଭଦ୍ରକ ଡାକ୍ତରଖାନା ଓ ରାଜପଥରେ ଚାପା ଉତ୍ତେଜନା ଲାଗି ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।ଦ୍ରକର ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିବାବେଳେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe