Hari Bhoomi
କେନ୍ଦୁଝର/ଝୁମ୍ପୁରା : ଝିଅର ଜନ୍ମଦିନ ପାଳନ କରିବା ପାଇଁ ପରିବାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସକାଳେ ଠାକୁର ଦର୍ଶନ ଏବଂ ସଂଧ୍ୟାରେ ଘରେ କେକ୍ କଟାଯିବ ବୋଲି ସ୍ଥିର ହୋଇଥିଲା। ବାପାମା’ ବୁଧବାର ସକାଳେ ଝିଅକୁ ମନ୍ଦିର ନେଇ ଯାଉଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା। ଚାଲିଗଲା ବାପାଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ନିଶ୍ଚିତପୁର ଗ୍ରାମରେ।
ବୁଧବାର ଦିନ ଝିଅର ଜନ୍ମଦିନ ଥିବାରୁ ଗ୍ରାମର ଜଗନ୍ନାଥ ପଲେଇ, ସ୍ତ୍ରୀ ରେଖାମଣି ଓ ଝିଅ ଜ୍ୟୋତ୍ସ୍ନାରାଣୀଙ୍କୁ ନେଇ ସକାଳେ ଏକ ବାଇକ୍ରେ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ। ରାସ୍ତାରେ ଘୁଣ୍ଟିପଶି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ବାଇକ୍ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ରେ ଥିବା ସମସ୍ତ ଆରୋହୀ ଛିଟିକି ପଡିଥିଲେ। ବାପା ଜଗନ୍ନାଥ, ମା’ ରେଖାମଣି ଗୁରୁତର ହୋଇଥିବା ବେଳେ ଝିଅ ଜ୍ୟୋତ୍ସ୍ନାରାଣୀ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ଜଗନ୍ନାଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରେଖାମଣିଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଡାକ୍ତରଖାନା ଯାଇ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
Follow Us