ThePleasantDream
ବଡ଼ଚଣା: ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କୋଣାର୍କ ଢାବା ନିକଟରେ ଆଜି ଦିନ ୧୦ ଟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୁଇଜଣ ଆହତ ହୋଇଛନ୍ତି। ମୃତବ୍ୟକ୍ତି ଧର୍ମଶାଳା ଥାନା ଆରୁହା ଗ୍ରାମର ସୁରେଶ ଚନ୍ଦ୍ର ବାରିକ (୪୧)। ସୁରେଶ ଏକ ବାଇକ୍ରେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ବଡ଼ଚଣା ଥାନା ଭୂଷଣ୍ଡପୁର ପଞ୍ଚାୟତ ମହାଖଳା ଗ୍ରାମର ଏକ ଅଟୋ ସହ ଜୋରଦାର ଧକ୍କା ହୋଇଥିଲା। ଅଟୋଟି ସେଠାରେ ଓଲଟି ପଡ଼ିଥିଲା।
ଅଟୋ ତଳେ ଚାପି ହୋଇ ବାଇକ ଚାଳକ ସୁରେଶଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଡାକ୍ତରଖାନାକୁ ପଠାଇଥିଲେ। ଆହତ ବାଲିଚନ୍ଦ୍ରପୁର ସାହାସପୁର କଲେଜର ଓଡ଼ିଆ ଅଧ୍ୟାପିକା ରୂପସିତା ସ୍ୱାଇଁ ଓ ଅଟୋ ଚାଳକ ନେତ୍ରାନନ୍ଦ ସାହୁଙ୍କୁ ମଧ୍ୟ ଡାକ୍ତରଖାନା ପଠାଯାଇଛି। ଅଧ୍ୟାପିକା ରୂପସିତା ଚଣ୍ଡିଖୋଲ ଛକରୁ ଏହି ଅଟୋରେ ବସି ଚଣ୍ଡିଖୋଲ କଲେଜକୁ ଯୁକ୍ତ ଦୁଇ ଖାତା ଦେଖିବା ପାଇଁ ଯାଉଥିଲେ। ତାଙ୍କର ବାମ ହାତ ଭାଙ୍ଗି ଯାଇଛି। ପୁଲିସ ଉଭୟ ଅଟୋ ଓ ବାଇକ ଜବତ କରି ତଦନ୍ତ କରୁଛି।
Follow Us