ଆଉ ମାତ୍ର ୪ କିମି ପରେ ପହଞ୍ଚିଥାଆନ୍ତେ ଘରେ; ପରିବାରର ୮ ସଦସ୍ୟଙ୍କ ଠିକଣା ପାଲଟିଲା ମଶାଣିଭୂଇଁ

Advertisment
ଆଉ ମାତ୍ର ୪ କିମି ପରେ ପହଞ୍ଚିଥାଆନ୍ତେ ଘରେ; ପରିବାରର ୮ ସଦସ୍ୟଙ୍କ ଠିକଣା ପାଲଟିଲା ମଶାଣିଭୂଇଁ

ବ୍ରହ୍ମପୁର : ବାହାଘର ସରିଲା ଖୁସିବାସୀରେ। ଝିଅ ବିଦା ହୋଇଗଲା ଶଶୁର ଘର। ଖୁସିରେ ରିସେପ୍‌ସନ୍‌ ଭୋଜି ଖାଇବାକୁ ଯାଇଥିଲେ କନ୍ୟାପକ୍ଷର ସଂପର୍କୀୟ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳିରୁ ପ୍ରଧାନ ପରିବାରର ସଦସ୍ୟ ଯାଇଥିଲେ ବ୍ରହ୍ମପୁର। ମଜାମଉଜ କଲେ, ଭୋଜି ଖାଇଲେ, ‌ସାଥୀ ହୋଇ ଫଟୋ ଉଠାଇଲେ। ସବୁ ସରିବା ପରେ ବରକନ୍ୟାଙ୍କଠୁ ମେଲାଣି ନେଇ ଘରକୁ ଫେରିଲେ ଘରକୁ। ହେଲେ ସହିଲାନି ଭାଗ୍ୟ। ବିଧିର ବିଧାନ ଥିଲା କିଛି ଭିନ୍ନ। ଘରବାହୁଡା ରହିଗଲା ଅଧାରେ। ବସ ହେଲା ଦୁର୍ଘଟଣାଗ୍ରସ୍ତ। ୧୧ ଜଣ ଯାତ୍ରୀଙ୍କ ଶେଷ ଠିକଣା ପାଲଟିଲା ମଶାଣି ଭୂଇଁ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କନ୍ୟାର ୨ ବଡ଼ ଉଭଣୀଙ୍କ ସମେତ ପ୍ରଧାନ ପରିବାରର ୮ ସଦସ୍ୟ ଆଖିବୁଜିଲେ। ଆନନ୍ଦର ମୁହୂର୍ତ୍ତ କ୍ଷଣିକେ ପାଲଟିଲା ଆତଙ୍କ ଓ ଅବସାଦର ସମୟ। ପୂରା ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼।

publive-image  ଅକାଳରେ ଟାଣିନେଲା ଯମ:  ସୁଜ୍ଞାନୀ ଏବଂ ଶିବାନୀ (କନ୍ୟାର ବଡ଼ ଓ ମଝିଆ ଭଉଣୀ)

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳିର ସୋନାଲି ପ୍ରଧାନଙ୍କର ବାହାଘର ହେଉଥିଲା। ବର ଉମେଶ ପ୍ରଧାନ ବ୍ରହ୍ମପୁର ବାପୁଜୀ ନଗର ବ୍ୟାଙ୍କ୍‌ କଲୋନିର ବାସିନ୍ଦା। ବର ରବିବାର ଦିନ ବାହାହେବାକୁ ଖଣ୍ଡଦେଉଳି ଆସିଥିଲେ। ବିବାହ ପରେ ବର-କନ୍ୟା ଘରକୁ ଫେରି ଯାଇଥିଲେ। ସଂଧ୍ୟାରେ ରିସେପ୍‌ସନ ଥିଲା ବ୍ରହ୍ମପୁରର ହାତୀବନ୍ଧ ସାହିସ୍ଥିତ ବିନାୟକ୍‌ ସେଲିବ୍ରେସନ୍‌ କଲ୍ୟାଣ ମଣ୍ଡପରେ। ସେହି ରିସେପ୍‌ସନରେ ଯୋଗ ଦେବାକୁ ଖଣ୍ଡଦେଉଳି ଗାଁରୁ ଏକ ମିନି ବସ୍‌ ଯୋଗେ କନ୍ୟାର ପରିବାର ଲୋକ ଓ ଅନ୍ୟ କିଛି ସଂପର୍କୀୟ ମିଶି ପ୍ରାୟ ୩୦ ଜଣ ଯାଇଥିଲେ କଲ୍ୟାଣ ମଣ୍ଡପ। ସେଠାରେ ଢେର୍‌ ମଜାମସ୍ତି କରିଥିଲେ। ପରିବାର ଓ ସଂପର୍କୀୟଙ୍କୁ ପାଖରେ ପାଇ କନ୍ୟା ବି ବେଶ୍‌ ଖୁସିଥିଲେ। ହେଲେ ସେ ଖୁସି ବେଶି ସମୟ ରହିଲା ନାହିଁ। ସେଠୁ ବସ୍‌ରେ ଘରକୁ ଫେରିବା ବାଟରେ ଜଗିଥିଲା ଯମ। ନିମିଷକରେ ଛାରଖାର କରିଦେଲା ସବୁକିଛି। କନ୍ୟାର ବଡ଼ଭଉଣୀ ସୁଜ୍ଞାନୀ  ଓ ସାନଭଉଣୀ ଶିବାନୀଙ୍କର ଅକାଳରେ ମୃତ୍ୟୁ ହୋଇଗଲା। ବର୍ତ୍ତମାନ ପୂରା ଖଣ୍ଡଦେଉଳି ଗାଁରେ କାନ୍ଦବୋବାଳି।

ଦୁର୍ଘଟଣା  ସମୟର ଘଟଣା ଥିଲା ଏମିତି। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଖେମୁଣ୍ଡି କଲେଜ୍‌ ଛକ ପାର୍‌ କରି ବସ୍‌ଟି ମଳଭଞ୍ଜା ନିକଟରେ ପହଞ୍ଚିଥିଲା। ଆଉ ମାତ୍ର ୪ କିଲୋମିଟର୍‌ ପରେ ଗାଁରେ ପହଞ୍ଚିଥାଆନ୍ତେ ବସ୍‌ରେ ଥିବା ୩୦ ଜଣ ଯାତ୍ରୀ। ଏହି ସମୟରେ ସାମ୍ନାରୁ ଦ୍ରୁତଗତିରେ ଆସୁଥିବା  ଓଆର୍‌ଟିସିର ବସଟେ ସହ ଧକ୍କା ଖାଇଲା ମିନିବସ୍। ମୁହାଁମୁହିଁ ଧକ୍କା। ସମସ୍ତେ ବିକଳରେ ଚିତ୍କାର କରିଉଠିଲେ। ହେଲେ ଧକ୍କା ଏତେ ଭୟଙ୍କର ଥିଲା କି ଆଖିପିଛୁଳାକେ ଚାଲିଗଲା ବହୁମୂଲ୍ୟ ଜୀବନ। ବାହାଘର ଭୋଜି ସାରି ଗାଁରେ ପହଞ୍ଚି ପାରିଲେନି ସେମାନେ, କେତେକ ପହଞ୍ଚିଲେ ଯାଇ ହସ୍ପିଟାଲ୍‌ରେ ଓ ଆଉ କେତେକ ସେଇଠାରେ ଜୀବନ ହାରିଲେ।

publive-image ଏହି ଗ୍ରୁପ୍‌ ଭିତରୁ ୫ ଜଣ ଆଉ ନାହାନ୍ତି....

ତେବେ ହୃଦୟ ବିଦାରକ କଲା ପରି କଥା ହେଉଛି ଗୋଟାଏ ପରିବାରରୁ ଏକାସାଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ(୨୫),ସୀତାରାମ ପ୍ରଧାନ(୬୦), ସୁଜ୍ଞାନୀ କୁମାରୀ ପ୍ରଧାନ(୩୧), ରମେଶ ପ୍ରଧାନ(୬୨) ଓ ତ୍ରିପତି ପ୍ରଧାନ(୪୮), ଗଡଗୋବିନ୍ଦପୁରର ସଙ୍ଗୀତା ଡାକୁଆ(୩୨), ସିଙ୍ଗିପୁର ପାଟପୁରର ଲିଟୁ ନାୟକ(୪୦), ମୁଜାଗଡ଼ର ସଞ୍ଜୟ ମେଦିନୀ ରାୟ(୫୦), ଦେବାଂଶୁ ପ୍ରଧାନ(୩), ରୁପାଲି ପ୍ରଧାନ (୨୩) ଏବଂ ହାର୍ଦ୍ଦିକ(୧)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe