ମାଲକାନଗିରି: ମାଲକାନଗିରି ସଦର ମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଦ୍ୟୁତ ବିଭାଗ ପକ୍ଷରୁ ୧୧ କେଭି ବିଦ୍ୟୁତ ତାର ଟଣାଯାଉଥିବା ବେଳେ ଅଘଟଣ ଘଟିଛି। କିଛି ଶ୍ରମିକ ତଳେ ଥିବା ବେଳେ ଅନ୍ୟ ଜଣେ ଶ୍ରମିକ ସିଡ଼ିରେ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢୁଥିବା ବେଳେ ହଠାତ୍ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗିଯାଇଥିଲା। ଯାହାଫଳରେ ଶ୍ରମିକ ଜଣକ ତଳେ କଚାଡି ହୋଇ ପଡିଥିଲେ।
ଆହତ ଶ୍ରମିକ ଜଣକ ହେଲେ କାଲିମେଳା ବ୍ଲକର ମାଙ୍ଗାପାଲୀ ପଞ୍ଚାୟତର କୁଲିମେଟଲା ଗ୍ରାମର ସନିଆ କାବାସି(୩୫)। ତଳେ ପଡିବା ପରେ ତାଙ୍କର ଗୋଡ ଭାଙ୍ଗିଯାଇଥିଲା। ତୁରନ୍ତ ଅନ୍ୟ ଶ୍ରମିକମାନେ ତାଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସିମେଣ୍ଟ ପୋଲଗୁଡିକ ଅତି ନିମ୍ନମାନର ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଇଛି।
ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଇ ଦିନ ତଳେ ଜିଲ୍ଲାର ବିଦ୍ୟୁତ ଖୁଣ୍ଟକୁ ନେଇ ଅଭିଯୋଗ କରିଥିଲେ। ବିଦ୍ୟୁତ ଖୁଣ୍ଟଗୁଡିକ ପୁରୁଣା ହେବା ସହ ନଷ୍ଟ ହୋଇଯାଇଛି। ଏଥିସହ ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ନଥିବାରୁ ଲୋକେ ହଇରାଣ ହେଉଥିବା କହିଥିଲେ। ଏହାର ଜ୍ବଳନ୍ତ ଉଦାହରଣ ଆଜି ମାଲକାନଗିରି ସହରରେ ଦେଖିବାକୁ ମିଳିଥିଲା।
ବିଦ୍ୟୁତ ବିଭାଗ ତରଫରୁ ଏଭଳି ନଷ୍ଟ ହୋଇଥିବା ବିଦ୍ୟୁତ ପୋଲଗୁଡିକକୁ ଚିହ୍ନଟ କରି ବଦଳାଇବା ପାଇଁ ଦାବି ହୋଇଥିଲା। ଏଥିସହ ଆହତ ଶ୍ରମିକଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି। ଶ୍ରମିକଙ୍କୁ ନେଇଥିବା ଠିକାଦାର ମଧ୍ୟ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ସହଯୋଗ କରନ୍ତୁ ବୋଲି ଦାବି ଉଠିଛି। ଶ୍ରମିକମାନଙ୍କର ବୀମା ନଥିବାରୁ ସେମାନେ କ୍ଷତିପୂରଣ ପାଇପାରୁନଥିବା କୁହାଯାଇଛି। ତେଣୁ ଏନେଇ ସରକାର ଏବଂ ବିଦ୍ୟୁତ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି।
Odisha
Follow Us