ଦୁର୍ଘଟଣା ପ୍ରବଣ ଗାନ୍ଧୀ ଛକ : ନେଉଛି ଜୀବନ, ବଢୁଛି ଅସନ୍ତୋଷ, ଫ୍ଲାଏ ଓଭର୍‌ ନିର୍ମାଣ କେବେ?

ଦୁର୍ଘଟଣା ପ୍ରବଣ ଗାନ୍ଧୀ ଛକ : ନେଉଛି ଜୀବନ, ବଢୁଛି ଅସନ୍ତୋଷ, ଫ୍ଲାଏ ଓଭର୍‌ ନିର୍ମାଣ କେବେ?

ବ୍ରଜରାଜନଗର : ବ୍ରଜରାନଜଗର ଗାନ୍ଧୀ ଛକ ଏବେ ବିପଜ୍ଜନକ ଛକରେ ପରିଣତ ହୋଇଛି। ଏହା ଏକ ବ୍ୟସ୍ତବହୁଳ ଛକ ହୋଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି। ଗାନ୍ଧୀ ଛକରୁ ଗୋଟିଏ ରାସ୍ତା ବ୍ରଜରାଜନଗର ସହରକୁ ଯାଇଛି। ଏହାର ବିପରୀତ ରାସ୍ତା ସୁନ୍ଦରଗଡ଼କୁ ଯାଇଛି। ସେହିପରି ଏହି ଛକରୁ ଅନ୍ୟ ଏକ ରାସ୍ତା ବେଲପାହାଡ଼ ଦେଇ ଛତିଶଗଡ଼ର ରାୟପୁରକୁ ସଂଯୋଗ କରୁଛି। ଏହାର ବିପରୀତ ରାସ୍ତା ଝାରସୁଗୁଡ଼ା ଯାଇଛି। ଦିନର ପ୍ରାୟ ସବୁ ସମୟରେ ଏଠାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ।

ଶିଳ୍ପ ସହର ବ୍ରଜରାଜନଗର ମୁଖ୍ୟ ପ୍ରବେଶପଥରେ ଏହି ଛକ ଥିବାରୁ ସହରକୁ ଯାଉଥିବା ଯାତ୍ରୀବାହୀ ବସ, ଅଟୋ ସବୁ ସମୟରେ ଝାରସୁଗୁଡ଼ା ଓ ସମ୍ବଲପୁର ଯାତାୟାତ କରିଥାନ୍ତି। ସେହିପରି ଛକର ଅପର ପାର୍ଶ୍ୱରେ ସୁନ୍ଦରଗଡ଼କୁ ଯାଇଥିବା ରାସ୍ତାଟି ରାଜପୁର, ଲୁଇସିଂ, ଚାନ୍ଦିନୀମାଲ, ଗୌରମାଲ ପଞ୍ଚାୟତକୁ ଯାଇଛି। ଏହି ଚାରି ପଞ୍ଚାୟତବାସୀ ଝାରସୁଗୁଡ଼ା, ବ୍ରଜରାଜନଗର ସହରକୁ ଏହି ଛକ ଦେଇ ଅତିକ୍ରମ କରନ୍ତି। ସେହିପରି ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ଥିବା ବିଭିନ୍ନ କୋଇଲା ଖଣିରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି  ଛକ ଦେଇ ଟ୍ରକ୍‌ରେ କୋଇଲା ପରିବହନ ହୋଇଥାଏ। ଏହିସବୁ କାରଣରୁ ବିଭିନ୍ନ ସମୟରେ ଏଠାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହୁଏ।

ଏହାକୁ ଦୃଷ୍ଟିରେ ରଖି ଏଠାରେ ଫ୍ଲାଏ ଓଭର ନିର୍ମାଣ ପାଇଁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ୨୦୧୭ ଅକ୍ଟୋବର ମାସରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ। ଶ୍ରୀ ପ୍ରଧାନ ମଧ୍ୟ ଶ୍ରୀ ଗଡ଼କାରୀଙ୍କୁ ୨୦୧୮ ମାର୍ଚ୍ଚ ମାସରେ ଚିଠି ଲେଖିଥିଲେ। ସେହିପରି ଜିଲ୍ଲା ଖଣିଜ ପାଣ୍ଠିରୁ ଏଠାରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ଶ୍ରୀମତୀ ପଣ୍ଡା ତତ୍କାଳୀନ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ ମଧ୍ୟ ଥିଲା। ଏନ୍‌ଏଚ୍‌ଏଆଇ ପକ୍ଷରୁ ସର୍ଭେ କରାଯାଇ ଏହାର ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ଫ୍ଲାଏ ଓଭର ପାଇଁ କୌଣସି ସମସ୍ୟା ନଥିବା ଦର୍ଶାଯାଇଥିବା ବେଳେ ସର୍ଭିସ ରୋଡ୍‌ ପାଇଁ ଜବରଦଖଲ ମୁଖ୍ୟ ପ୍ରତିବନ୍ଧକ ବୋଲି ଅଧିକାରୀମାନେ ଜିଲ୍ଲାପାଳଙ୍କୁ କହିଥିଲେ। ଜବରଦଖଲ ହଟାଇବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ତତ୍କାଳୀନ ଆର୍‌ଡିସି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ଏହା ମଧ୍ୟରେ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ଫ୍ଲାଏ ଓଭର ନିର୍ମାଣ ନେଇ ସେଭଳି କିଛି ଠୋସ ପଦକ୍ଷେପ ନିଆଯାଇ ନଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ଅଗାମୀ ଦିନରେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe