ସହରୀ ଗୋପାଳନ ଯୋଗୁ ରାଜରାସ୍ତା ପାଲଟିଛି ଗୁହାଳ: ଗୋରୁଗାଈ ପାଇଁ ବଢ଼ୁଛି ଦୁର୍ଘଟଣା

Advertisment
ସହରୀ ଗୋପାଳନ ଯୋଗୁ ରାଜରାସ୍ତା ପାଲଟିଛି ଗୁହାଳ: ଗୋରୁଗାଈ ପାଇଁ ବଢ଼ୁଛି ଦୁର୍ଘଟଣା

ବ୍ୟାସନଗର : ବ୍ୟାସନଗର ସହରର ମୁଖ୍ୟରାସ୍ତା ପାଲଟିଛି ଗୋଶାଳା। ଗାଈ ପାଳିବା ପାଇଁ ମାଲିକମାନେ ଆଉ ଗୁହାଳ କରୁନାହାନ୍ତି। ଦାନା କି ଚୋକଡ଼ କିଣିବାର ଆବଶ୍ୟକତା ନାହିଁ। ଗାଈଗୋରୁ ସହରସାରା ବୁଲୁଥିଲେ ବି ମାଲିକମାନେ ଚିନ୍ତା କରୁନାହାନ୍ତି। କ୍ଷୀର ଦୁହିଁବା ସମୟରେ ଗାଈଗୁଡ଼ିକୁ ଘରକୁ ଅଡ଼େଇ ଆଣି କ୍ଷୀର ଦୁହିଁ ସାରିବା ପରେ ପୁଣି ରାସ୍ତାକୁ ଗୋଡ଼ାଇ ଦେଉଛନ୍ତି। ଏଥିପାଇଁ ସହରସାରା ମାଳମାଳ ବୁଲା ଗାଈ, ଷଣ୍ଡ, ବଳଦ, ବାଛୁରୀ ରାସ୍ତାକୁ କବ୍‌ଜା କରିଦେଉଛନ୍ତି। ଏଥିପାଇଁ ସହରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି।

ଗାଈ ମାଲିକମାନଙ୍କର ଗୋରୁଗାଈ ରଖିବାକୁ ଗୁହାଳ ନାହିଁ। ଖାଇବାକୁ ଦେବାର ନାହିଁକି ଗୋବର ଉଠାଇବା ଚିନ୍ତାନାହିଁ। କେବଳ କ୍ଷୀର ଦୁହିଁବା ପରେ ଗାଈଗୁଡ଼ିକୁ ବାହାରେ ଛାଡ଼ି ଦେଉଛନ୍ତି। ଏହି ଗୋରୁଗାଈ ଦିନରାତି ସହରର ବିଭିନ୍ନ ରାସ୍ତାରେ ଶୋଇ ରହୁଛନ୍ତି। ଖରା ହେଲେ ଗଛମୂଳେ, ବର୍ଷା ହେଲେ ଖୋଲା ଛାତ କିମ୍ବା ଦୋକାନ ବାରଣ୍ଡାରେ ଗାଈଗୁଡ଼ିକ ପଶି ଯାଉଛନ୍ତି। ସହରରେ ଥିବା ବଡ଼ ଛୋଟ ହୋଟେଲ ଓ ଜଳଖିଆ ଦୋକାନରୁ ବାହାରୁଥିବା ବଳକା ଖାଦ୍ୟ କିମ୍ବା ପରିବା ବଜାରରୁ ବାହାରୁଥିବା ପତ୍ର ଓ ପଚାଶଢ଼ା ପରିବା, ଫଳମୂଳ ଏହି ଗାଈଗୋରୁ ଗୁଡ଼ିକର ମୁଖ୍ୟ ଆହାର ପାଲଟିଛି। ଗାଈଗୋରୁ ଗୁଡ଼ିକ ମୁଖ୍ୟରାସ୍ତାରେ ଶୋଇ ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ବଢ଼ୁଛି।

ପୂର୍ବରୁ ଖୋଲାମେଲାରେ ଛାଡ଼ି ଦେଉଥିବା ଗାଈଗୋରୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆହୁଦା ରହିଥିଲା। କ୍ଷତି କରୁଥିବା ବୁଲା ଗୋରୁଗାଈଙ୍କୁ ଲୋକେ କାଞ୍ଜିଆହୁଦାକୁ ନେଇ ଯାଉଥିଲେ। ସେମାନଙ୍କୁ ମୁକୁଳାଇବା ପାଇଁ ଗାଈ ମାଲିକମାନେ ଅର୍ଥତଣ୍ଡ ଗଣୁଥିଲେ। ଏହି ଭୟ ଥିବାରୁ ମାଲିକମାନେ ପଦାକୁ ଗୋରୁଗାଈ ଛାଡ଼ୁନଥିଲେ। ହେଲେ ବର୍ତ୍ତମାନ ଏହି ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଛି।

ବ୍ୟାସନଗର ସହରରେ ପୂର୍ବରୁ ୪ଟି କାଞ୍ଜିଆହୁଦା ଥିବା ବେଳେ ବର୍ତ୍ତମାନ ପୌରାଞ୍ଚଳରେ ଗୋଟିଏ ବି ନାହିଁ। ଅନେକ ସମୟରେ ଗୋରୁଗାଈ ରାସ୍ତାରେ ଶୋଇ ରହୁଥିବା ଅସୁବିଧାକୁ ନେଇ ବ୍ୟବସାୟୀ, ପଥଚାରୀ ଓ ଗାଡ଼ିଚାଳକ ଅଭିଯୋଗ କରୁଛନ୍ତି। ହେଲେ ପୌର କର୍ତ୍ତୃପକ୍ଷ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ସଚେତନତା ସୃଷ୍ଟି ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି। ପ୍ରକାଶ ଯେ ଗୋସମ୍ପଦ ବାହାରେ ନଛାଡ଼ି ଘରେ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ପୌରସଂସ୍ଥାର ନିୟମ ରହିଛି। ହେଲେ ପୌରସଂସ୍ଥା ଏହି ନିୟମକୁ କାର୍ଯ୍ୟକାରୀ କରୁନାହିଁ।

ବ୍ୟାସନଗର ସହର ଏବେ ମୁକ୍ତ ଗୋଶାଳାରେ ପରିଣତ ହୋଇଥିବା ବେଳେ ଗୋରୁଗାଈ ଚୋରି ହେଲେ ମାଲିକମାନେ ଥାନାରେ ଅଭିଯୋଗ କରୁଛନ୍ତି। ପୁଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ କରୁଛି। ହେଲେ ରାସ୍ତାକୁ ଗୋରୁଗାଈ ନଛାଡ଼ିବା ପାଇଁ ପୁଲିସ ମଧ୍ୟ ଗୋରୁମାଲିକମାନଙ୍କୁ ଆକଟ କରୁନାହିଁ। ଗମନାଗମନରେ ସୁବିଧା ତଥା ଟ୍ରାଫିକ ସମସ୍ୟା ଦୂର ସହ ଦୁର୍ଘଟଣାରୁ ରକ୍ଷା ପାଇଁ ବୁଲା ଗାଈଗୋରୁ ଗୁଡ଼ିକୁ ମାଲିକମାନେ ଘରେ ବାନ୍ଧି ରଖିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe