ସଡ଼କ ସୁରକ୍ଷା ସପ୍ତାହରେ ଅଘଟଣ: ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ଶିଶୁ ଗୁରୁତର

Advertisment
ସଡ଼କ ସୁରକ୍ଷା ସପ୍ତାହରେ ଅଘଟଣ: ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ଶିଶୁ ଗୁରୁତର

କଲ୍ୟାଣସିଂହପୁର/ରାୟଗଡ଼ା: ସଡ଼କ ସୁରକ୍ଷା ସପ୍ତାହ ପାଳନ ବେଳେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କା‌ରେ ଜଣେ ୪ବର୍ଷର ଶିଶୁ ଗୁରୁତର ଆହତ ହୋଇଛି। ଶିଶୁର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ଦୁଇଟି ଯାକ ଗୋଡ ଭାଙ୍ଗି ଯାଇଛି। ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ପିଲାଟିର ପ୍ରାଥମିକ ଚିକିତ୍ସା କରାଯାଇଛି। ଅବସ୍ଥା ଗମ୍ଭୀର ରହିଥିବାରୁ ବ୍ରହ୍ମପୁର କିମ୍ବା କଟକ ବଡ ମେଡିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ତେବେ ପରିବାର ଲୋକେ ବିଶାଖାପାଟଣା ନେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଦୁର୍ଘଟଣା ଘଟିଛି କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ବେଲକଣା ଗାଁ ନିକଟରେ। ଗୁରୁତର ଶିଶୁ ବିଷମକଟକ ବ୍ଲକ ଢେପାଗୁଡ଼ା ନିବାସୀ ଗୁଣ୍ଡୁଲୁ ସୁଧୀରଙ୍କ ୪ବର୍ଷର ପୁଅ ନବୀନ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ମନ୍ତ୍ରୀ ନିଜ ଗାଡ଼ିରେ ଗୁରୁତର ଶିଶୁ ଓ ସମ୍ପର୍କୀୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶିଶୁଟି ନିଜ ଅଜାଘରକୁ ବୁଲିବାକୁ ଆସିଥିଲା ବୋଲି ଖବର ମିଳିଛି। ଅପରାହ୍ନ ୪ଟାରେ ମନ୍ତ୍ରୀ ଶ୍ରୀ ସାରକା କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥପୁରରେ ‘ନବୀନ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ’ ଓ ଶିକରପାଇରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟରେ ‌ଯୋଗଦେଇ ଫେରୁଥିଲେ।

ବେଲକଣା ଗାଁ ନିକଟରେ ଶିଶୁଟି ଦୌଡି ଯାଉଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ି ପିଲାଟିକୁ ଧକ୍କା ଦେଇଥିଲା। କିଛି ହୋଇନି ଭାବି ଡ୍ରାଇଭର ଗାଡି ଆଗକୁ ନେଇଯିବାରୁ ‌ଲୋକେ ଘେରିଯାଇ ଗାଡିକୁ ଅଟକାଇ ଥିଲେ। ଗାଡ଼ିରେ ଥିବା ସୁରକ୍ଷା କର୍ମୀ ବାହାରକୁ ଆସି ଲୋକଙ୍କୁ ବନ୍ଧୁକ ଦେଖାଇଥିବା କୁହାଯାଉଛି। ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମନ୍ତ୍ରୀ ଶ୍ରୀ ସାରକା ନିଜ ଗାଡ଼ିରେ ଗୁରୁତର ଶିଶୁ ଓ ସମ୍ପର୍କୀୟଙ୍କୁ ବସାଇ ଜିଲ୍ଲା ଚିକିତ୍ସାଳୟକୁ ନେବା ପରେ ଉତ୍ତେଜନା କମିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ସଂଘ ମନ୍ତ୍ରୀଙ୍କ ଗାଡ଼ିକୁ ଘେରିଥିଲେ। ସଂଘ ସଭାପତି ଜିତେନ୍ଦ୍ର କୁମାର ନାୟକ କହିଛନ୍ତି, ମନ୍ତ୍ରୀଙ୍କ ଡ୍ରାଇଭରଙ୍କୁ ନିୟମ ଅନୁସାରେ ଦଣ୍ଡ ଦେବା ଆବଶ୍ୟକ। ଶ୍ରୀ ସାରକା କହିଛନ୍ତି, ଗାଡିର ବେଗ କମ୍‌ ଥିଲା। ପିଲାଟି ହଠାତ୍‌ ସାମ୍ନାକୁ ଚାଲି ଆସିଥିଲା। ଅନ୍ୟପକ୍ଷରେ, ଶିଶୁଟି ଖେଳୁଥିବା ବେଳେ ମନ୍ତ୍ରୀଙ୍କ ଗାଡି ସାଇରନ ନବଜାଇ ଆସୁଥିବାରୁ ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe