ଆବାସ ଯୋଜନା ସାତ ସପନ: ତାଳବରଡ଼ା ତଳେ ୩୦ ପରିବାର

Advertisment
ଆବାସ ଯୋଜନା ସାତ ସପନ: ତାଳବରଡ଼ା ତଳେ ୩୦ ପରିବାର

ବୌଦ୍ଧ: ବୌଦ୍ଧ-ବଘିଆପଡ଼ା ରାସ୍ତା କଡ଼ ସିତରାସାହିର ଲୋକଙ୍କ ପାଇଁ ଆବାସ ​ଯୋଜନା ସାତ ସପନ ହୋଇଛି। ଏଠାରେ ରହୁଥିବା ୩୦ ସିତରା ପରିବାର ଏବେ ବି ତାଳବରଡ଼ା ଓ ପଲିଥିନ୍‌ କୁଡ଼ିଆରେ କାଳ କାଟୁଛନ୍ତି। ସୂଚନା ଅନୁଯାୟୀ, ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଏମାନେ ବିସ୍ଥାପିତ ହୋଇଥିବା କହୁଛନ୍ତି। ପୂର୍ବ ଠିକଣା ବର୍ତ୍ତମାନର ପିଢ଼ିକୁ ଜଣାନାହିଁ। ପ୍ରଥମେ ହରଭଙ୍ଗା ବ୍ଲକ୍‌ ବନ୍ଧାପଥର ଗାଁ ମୁଣ୍ଡରେ ରହୁଥିଲେ। ପରବର୍ତ୍ତୀ ସମୟରେ ପୁଣି ବିସ୍ଥାପନର ଶିକାର ହୋଇ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ହେବ ରାସ୍ତାକଡ଼ ଖୋଲା ସ୍ଥାନରେ ବସବାସ କରୁଛନ୍ତି। ଘର କହିଲେ ତାଳବରଡ଼ା ତିଆରି କୁଡ଼ିଆ। ଛପର ମଧ୍ୟ ବରଡ଼ାରେ ହୋଇଛି। ତା’ ଉପରେ ଢଙ୍କା ହୋଇଛି ପଲିଥିନ। କୁଡ଼ିଆରେ ଅଣ୍ଟାନୁଆଁଇ ପଶିବାକୁ ପଡ଼େ। ସାପ, ବିଛା ଭଳି ବିଷ‌ଧର ସରିସୃପଙ୍କ ସବୁବେଳେ ଭୟ ଥାଏ। ପୁରୁଷମାନେ ଟିଣଚଦର ଓ ଲୁହାରେ ନଡ଼ିଆକୋରା, ଚାଲୁଣୀ, ବିଭିନ୍ନ ଆକୃତିର ଚଟୁ, ପନିକି ଆଦି ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ତିଆରି କରନ୍ତି। ମହିଳାମାନେ ନିକଟସ୍ଥ ଜଙ୍ଗଲରୁ ଖଜୁରିପତ୍ର ସଂଗ୍ରହ କରି ମସିଣା ତିଆରି କରି ବିକ୍ରିବଟା କରନ୍ତି। ଏସବୁରୁ ଯାହା ଆୟ ହୁଏ ସେଥିରେ ଗୁଜୁରାଣ ମେଣ୍ଟାଇବା କଷ୍ଟ। ବୃତ୍ତିକୁ ନେଇ ଏମାନଙ୍କ ମନରେ କୌଣସି ଦୁଃଖ ନ ଥିବା ବେଳେ ଆବାସ ଯୋଜନାରେ ଘର ଖଣ୍ଡିଏ ଲେଖାଏଁ ପାଇବା ଆଶାରେ ରହିଛନ୍ତି। ଏ ବିଷୟରେ ହରଭଙ୍ଗା ବିଡିଓ ସ୍ବପ୍ନିତା ନାୟକଙ୍କୁ ପଚାରିବାରେ ଘଟଣା ବିଷୟରେ ଶୁଣିବା ପରେ ପଞ୍ଚାୟତ ଇଓଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି। ସୋମବାର ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe