ଆଇନଜୀବୀଙ୍କ ଘର ନିକଟରୁ ଧରାପଡ଼ିଲା କଏଦୀ

Advertisment

ହାଜତରେ ଫିନାଇଲ ପିଇ ଗୁରୁତର ହୋଇଥିଲା, ବଡ଼ମେଡିକାଲ ଆଇସିୟୁରୁ ଚମ୍ପଟ ମାରିଥିଲା

ହାଜତରେ ଫିନାଇଲ ପିଇ ଗୁରୁତର ହୋଇଥିଲା, ବଡ଼ମେଡିକାଲ ଆଇସିୟୁରୁ ଚମ୍ପଟ ମାରିଥିଲା

ଆଇନଜୀବୀଙ୍କ ଘର ନିକଟରୁ ଧରାପଡ଼ିଲା କଏଦୀ

କଟକ : କଟକ ବଡ଼ ମେଡିକାଲରୁ ଆଜି ଭୋରୁ ଭୋରୁ ଚମ୍ପଟ୍ ମାରିଥିଲା ଜଣେ ଅଭିଯୁକ୍ତ। ତାକୁ ପୁଲିସ ଜଣେ ଆଇନଜୀବୀଙ୍କ ଘର ନିକଟରୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଅଭିଯୁକ୍ତ ହେଉଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳର ଆଲୋକ କୁମାର ସାହୁ(୨୨)। ଆଲୋକ ଆଜି ଭୋର ପାଖାପାଖି ୫ଟା ବେଳେ ବଡ଼ମେଡିକାଲରୁ ଫେରାର‌ ହୋଇଯାଇଥିଲା। କିନ୍ତୁ ଅପରାହ୍ନରେ ସେ ପୀଠାପୁର ଅଞ୍ଚଳରେ ଥିବା ସଂପର୍କରେ ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ସେଠାରେ ଚଢଉ କରିଥିଲା। ଅପରାହ୍ନ ପାଖାପାଖି ୫ଟା ବେଳେ ଅଭିଯୁକ୍ତ ଆଲୋକ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କ ଗେଟ୍ ସାମନାରେ ଥିବା ବେଳେ ପୁଲିସ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଆଲୋକ ଆଇନଜୀବୀଙ୍କ ଘର ଭିତରକୁ ପଶି ଯାଇ ପୁଣି ଫେରାର ହେବାକୁ ଉଦ୍ୟମ କଲା ବେଳେ ପୁଲିସ ତାକୁ କାବୁ କରି ନେଇଥିଲା। ହାତରେ ହ୍ୟାଣ୍ଡକପ୍ ପଡ଼ି ରହୁଥିବା ଆଲୋକ ଦୁଇ ପୁଲିସ କର୍ମଚାରୀଙ୍କ ପହରା ଭିତରୁ ବଡ଼ମେଡିକାଲ‌ ଆଇସିୟୁରୁ କିଭଳି ଖସିଗଲା ସେ ସଂପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଅଭିଯୁକ୍ତ ଆଲୋକ ଯେଉଁ ବୟାନ ଦେଇଛି, ତାହା ପୁଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛି।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ଗଲା ୪ ତାରିଖରେ ଏକ ମଦ ଦୋକାନରୁ ଚୋରି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳର ଆଲୋକ କୁମାର ସାହୁକୁ ପୁଲିସ ଉଠାଇ ଆଣିଥିଲା। ଥାନାରେ ପଚରାଉଚରା ବେଳେ ଆଲୋକ ପରିସ୍ରା ଯିବାକୁ କହି ଶୌଚାଳୟକୁ ଯାଇ ସେଠାରେ ଥିବା ଏକ ବୋତଲରୁ ଫିନାଇଲ୍ ପିଇ ଦେଇଥିଲା। ଫିନାଇଲ ପିଇବା ପରେ ଆଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ତାକୁ ପ୍ରଥମେ ଚିକିତ୍ସା ପାଇଁ ରଘୁନାଥପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଲିସ ଭର୍ତ୍ତି କରିଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଗଲା ୫ ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଲୋକକୁ ପ୍ରଥମେ ମେଡିସିନ ବିଭାଗରେ ଚିକିତ୍ସା କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାକୁ ସେଣ୍ଟ୍ରାଲ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ପ୍ରାୟ ୫ଟା ବେଳେ ଆଲୋକ କୌଶଳକ୍ରମେ ସେଠାରୁ ଚମ୍ପଟ ମାରିଥିଲା। ଆଇସିୟୁ ବେଡ୍‌ରେ ହ୍ୟାଣ୍ଡକପ ଝୁଲୁଥିବା ବେଳେ ଆଲୋକ ସେଠାରୁ କିଭଳି ଖସିଯିବାରେ ସକ୍ଷମ ହୋଇଥିଲା ସେ ନେଇ ପ୍ରଶ୍ନ ଉଠିଛି। ତା ଉପରେ କଡ଼ା ନଜର ରଖିବା ପାଇଁ ଦୁଇ ପୁଲିସ କର୍ମଚାରୀ ଦାୟିତ୍ବରେ ଥିଲା ବେଳେ ସେ କିଭଳି ଖସିଯିବାରେ ସକ୍ଷମ ହେଲା, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏ ଘଟଣା ଚାରିଆଡ଼େ ପ୍ରଘଟ ହୋଇଯିବା ପରେ କମିସନରେଟ୍ ପୁଲିସ ପକ୍ଷରୁ କଟକର ସମସ୍ତ ଥାନାକୁ ଖବର ଦିଆଯାଇଥିଲା। ପୁରୀଘାଟ ଥାନା ଅନ୍ତର୍ଗତ ପୀଠାପୁର ଅଞ୍ଚଳରେ ଜଣେ ଆଇନଜୀବୀଙ୍କ ଘରେ ସେ ଲୁଚିଥିବା ମଙ୍ଗଳାବାଗ ଥାନା ପୁଲିସ ଖବର ପାଇଥିଲା। ପୁଲିସ ଟିମ୍ ପହଞ୍ଚି ତାକୁ ସେଠାରୁ ଗିରଫ କରିଥିବା ବେଳେ ମଙ୍ଗଳାବାଗ ଥାନାରେ ଚମ୍ପଟ ମାରିଥିବା ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe