୧୨୯ କୋଟି ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ୍‌ : କିଙ୍ଗପିନ୍‌ କାଶ୍ମୀରା ଅଗ୍ରୱାଲ ଗିରଫ

Advertisment

୭୧୨ କୋଟି ଟଙ୍କାର ଜାଲ୍‌ କାରବାରରେ ସଂପୃକ୍ତ, ସମ୍ବଲପୁରରୁ ଧରିଲା ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌

୭୧୨ କୋଟି ଟଙ୍କାର ଜାଲ୍‌ କାରବାରରେ ସଂପୃକ୍ତ, ସମ୍ବଲପୁରରୁ ଧରିଲା ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌

୧୨୯ କୋଟି ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ୍‌ : କିଙ୍ଗପିନ୍‌ କାଶ୍ମୀରା ଅଗ୍ରୱାଲ ଗିରଫ

ରାଉରକେଲା/କଟକ : ଓଡ଼ିଶାରୁ ୭୧୨ କୋଟି ଟଙ୍କାର ସ୍କ୍ରାପ୍ ବାହାର ରାଜ୍ୟକୁ ଚାଲାଣ ହୋଇଛି। ସ୍କ୍ରାପ୍ ବାବାଦ ଟିକସ ମୋଟ ୧୨୯.୦୯ କୋଟି ଟଙ୍କା କୌଶଳକ୍ରମେ ସ୍କ୍ରାପ୍ ବ୍ୟବସାୟୀ ଠକି ଦେଇଛନ୍ତି। ଏମିତି କୋଟି କୋଟି ଟଙ୍କାର ଜାଲ୍ ବିଲ୍ ପ୍ରସ୍ତୁତକରି ରାଜ୍ୟ ସରକାରଙ୍କୁ ଟିକସ ଠକିବା ଘଟଣା ଆଜି ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ପର୍ଦ୍ଦାଫାସ କରିଛି। ଏହି ଠକେଇ ରାକେଟ୍‌ର କିଙ୍ଗପିନ୍ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରୱାଲକୁ ଆଜି ସମ୍ବଲପୁରରୁ ଗିରଫ କରି ରାଉରକେଲାରେ କୋର୍ଟ ଚାଲାଣ କରାଯାଇଛି। ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଦିଆଯାଇଛି। ଏଥିରେ ପାଖାପାଖି ୨ କୋଟି ଟଙ୍କା ଥିବା ସୂଚନା ମିଳିଛି। କ୍ଷୁଦ୍ର ଚାଷୀଙ୍କୁ ରୋଜଗାରର ଲୋଭ ଦେଖାଇ କାଗଜପତ୍ର ବଳରେ ସ୍କ୍ରାପ୍ ମାଫିଆ କରିଦିଆଯାଇଥିବା ଭଳି କେଳେଙ୍କାରୀ ସାମନାକୁ ଆସିଛି। ଏହି କାରବାରରେ ଆହୁରି ଏକାଧିକ ଠକ ସାମିଲ ଥିବା ରାଜ୍ୟ ଜିଏସଟି କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଶ୍ରୀ ଅଗ୍ରୱାଲ ବହୁ ଦିନ ଧରି ଜିଏସ୍‌ଟି ଏନ୍‌ଫୋସମେର୍ଣ୍ଟ ସ୍କ୍ବାଡ୍‌ର ସ୍କାନର୍‌ରେ ଥିଲେ ମଧ୍ୟ ଫେରାର ଥିଲେ। କେତେବେଳେ ହରିୟାଣା ତ କେ‌ତେବେଳେ ଟାଟା ଓ ପୁଣି କେତେବେଳେ ରାଉରକେଲା, ଏପରି ସେ ବାରମ୍ବାର ଠିକଣା ବଦଳାଇ ଚାଲିଥିଲେ। ଶେଷରେ ଆଜି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ବଡ଼ ସଫଳତା ମିଳିଛି। ସିଟି ଏଣ୍ଡ୍‌ ଜିଏସ୍‌ଟି କମିସନର ଏସ୍‌.କେ.ଲୋହାନିଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉରେ ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ କଟକର ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ।

ସୂଚନା ଅନୁଯାୟୀ, କାଶ୍ମୀରା ଅଗ୍ରୱାଲ ଓଡ଼ିଶାରେ ଡ୍ରାଇଭର, ପାଣି ପାଇପ୍ ମିସ୍ତ୍ରି, ଶ୍ରମିକ, ଚାଷୀଙ୍କୁ ରୋଜଗାରର ପ୍ରଲୋଭନ ଦେଖାଇ ସେମାନଙ୍କ ପରିଚୟପତ୍ର ନେଇଥିଲେ। ଏଥିରେ ନକଲି ବ୍ୟାଙ୍କ ଆକାଉଣ୍ଟ ଏବଂ ସଂସ୍ଥା ଖୋଲିଥିଲା। ଓଡ଼ିଶାରେ ପାଖାପାଖି ୧୪ଟି ନକଲି ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିଥିଲେ। ଓଡ଼ିଶାରୁ ଛତିଶଗଡ଼, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ତେଲେଙ୍ଗାନାକୁ ନିୟମିତ ସ୍କ୍ରାପ୍ ବ୍ୟବସାୟ କରିଆସୁଥିଲେ। ବର୍ତ୍ତମାନ ସୁଦ୍ଧା ମୋଟ ୭୧୨ କୋଟି ଟଙ୍କାର ସ୍କ୍ରାପ୍ ବ୍ୟବସାୟ କରିଛନ୍ତି କାଶ୍ମୀରା। ନକଲି ସଂସ୍ଥା ନିକଟରୁ ସ୍କ୍ରାପ୍ କିଣିଥିବା ଦର୍ଶାଇ ରାଜ୍ୟ ବାହାରକୁ ଚାଲାଣ କରୁଥିଲା। ଯେଉଁ ଗାଡ଼ିରେ ଚାଲାଣ ହେଉଥିବା ସଂକ୍ରାନ୍ତରେ ଗାଡ଼ି ନମ୍ବର ଉଲ୍ଲେଖ କରାଯାଇଛି, ସେଗୁଡ଼ିକ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଯାଞ୍ଚ ପରେ ବାଇକ୍ ବୋଲି ଜଣା ପଡ଼ିଛି। ଗୋଟିଏ ବାଇକରେ ଥରକେ ୨୦ ଟନ୍‌ର ସ୍କ୍ରାପ ଚାଲାଣ ହୋଇଥିବା ଦର୍ଶାଯାଇଛି। ୭୧୨ କୋଟି ଟଙ୍କାର ସ୍କ୍ରାପ୍ ବାବଦ ୧୨୯.୦୯ କୋଟି ଟଙ୍କାର ଟିକସ୍ ରାଜ୍ୟ ସରକାରଙ୍କୁ ଦାଖଲ କରିଥିବା ଜାଲ୍ ବିଲ୍ ବଳରେ ଦର୍ଶାଇଥିଲା।

ପୂର୍ବରୁ ଏହି ବହୁ ଚର୍ଚ୍ଚିତ ଠକେଇ ରାକେଟ୍‌ରେ ଜଡ଼ିତ ଥିବା ଅନ୍ୟ କେତେକ ଅପରାଧୀଙ୍କୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗିରଫ କରିଥିଲା। ଗତ ପ୍ରାୟ ଦୁଇ ବର୍ଷ ମଧ୍ୟରେ ରାଉରକେଲାରୁ ନାରାୟଣ ଖୈତାନ, ସଞ୍ଜୀବ ସିଂହ, ମାନସ ବରାଳ, ରାଜେଶ ମିଶ୍ର, ଅମିତ ବରୁଆ, ସୁବାସ ସ୍ବାଇଁ ଓ କମଲ ପସାରୀ ପ୍ରମୁଖ ବ୍ୟବସାୟୀ ସ୍କ୍ବାଡ୍‌ ହାତରେ ଧରା ପଡ଼ିଥିଲେ। ତେବେ ରାକେଟ୍‌ର କିଙ୍ଗପିନ୍ ବ୍ୟବସାୟୀ କାଶ୍ମୀରା ଅଗ୍ରୱାଲ ଫେରାର ଥିଲେ। ଏହା ମଧ୍ୟରେ ଜିଏସ୍‌ଟି ଟିମ୍‌ ଜବତ କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିବା ସହ ଗୁଇନ୍ଦା ତଥ୍ୟ ସଂଗ୍ରହ ପରେ ଆଜି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ୪ଟି ଟିମ୍ କାଶ୍ମୀରା ଅଗ୍ରୱାଲଙ୍କ ସେକ୍ଟର-୭ସ୍ଥିତ ଭଡ଼ାଘର, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ଥିବା ୧୧୩ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ କାଶ୍ମୀରାଙ୍କଠାରୁ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ପ୍ରତିଷ୍ଠାନର ରବର ଷ୍ଟାମ୍ପ, ବ୍ୟାଙ୍କ ପାସ୍‌ବୁକ୍‌ , ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲେ। ତେବେ ଏଗୁଡ଼ିକ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ବୋଲି ଅନୁସନ୍ଧାନରୁ ଜାଣିବାକୁ ପାଇଥିଲେ। ବିଭିନ୍ନ ବ୍ୟାଙ୍କରେ ଏହି ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାଁରେ ବ୍ୟାଙ୍କ ଖାତା ଖୋଲାଯାଇ ପ୍ରଚୁର ଅର୍ଥ କାରବାର କରିଥିବା ଜଣାପଡିବା ପରେ ଜିଏସ୍‌ଟି ଟିମ୍‌ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ। ଅଗ୍ରୱାଲଙ୍କ ଦ୍ବାରା ପରିଚାଳିତ କେତେକ ପ୍ରତିଷ୍ଠାନର ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରାଯାଇଛି। ଏଥିରେ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe