ଚୌଦ୍ବାର ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ: ଥାନା ଅଧିକାରୀ, ଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

ଚୌଦ୍ବାର ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଚୌଦ୍ବାର ଥାନା ଅଧିକାରୀ ଦାୟିତ୍ବରେ ଥିବା....

Dead

କଟକ: ଚୌଦ୍ବାର ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଚୌଦ୍ବାର ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ପାହ୍ୟାର ଅଧିକାରୀ ବିଶ୍ବରଂଜନ ସାହୁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଚୌଦ୍ବାର ଥାନା ଏସ୍‌ଆଇ ନିରଞ୍ଜନ ଗୋଡ଼ା ଓ କନେଷ୍ଟବଳ କମଳଲୋଚନ ମାଝୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳର ରସାନନ୍ଦ ନାୟକ(୩୮)ର ମୃତ୍ୟୁକୁ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରସାନନ୍ଦର ମୃତ୍ୟୁକୁ ନେଇ ପରିବାର ଲୋକେ ପୁଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅନ୍ୟପଟେ ଥାନା ଶୌଚାଳୟ ଭିତରେ ରସାନନ୍ଦ ଆତ୍ମହତ୍ୟା କରିଛି ବୋଲି ପୁଲିସ କହିଛି। 

ସୂଚନା ଅନୁଯାୟୀ ଚୌଦ୍ବାର ଥାନା ପୁଲିସ ଏକ ବାଇକ୍ ଲୁଟ୍ ମାମଲାରେ ଶନିବାର ଚୌଦ୍ବାର ଓଟିଏମ୍ ଲେବର କଲୋନିର ଝୁନା ଓରଫ ହେମନ୍ତ ଦୋରା ଓ ଡମଡ଼ମଣିର ପିଣ୍ଟୁ ମଲ୍ଲିକକୁ ଗିରଫ କରିଥିଲା। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରସାନନ୍ଦକୁ ଶନିବାର ସନ୍ଧ୍ୟାରେ ପୁଲିସ ଉଠାଇ ନେଇ ଚୌଦ୍ବାର ଥାନାରେ ଜେରା କରୁଥିଲା। ପୁଲିସ କହିବା ଅନୁଯାୟୀ ରସାନନ୍ଦ ଆଜି ଶୌଚାଳୟ ଯିବାକୁ କହି ଭିତରକୁ ଯିବା ପରେ ସେଠାରେ ବେକରେ ବେଲ୍ଟ ବାନ୍ଧି ଝୁଲିପଡ଼ିଥିଲା। କବାଟ ଖୋଲିବା ଡେରି ହେବାରୁ ପୁଲିସ କବାଟ ଭାଙ୍ଗି ରସାନନ୍ଦକୁ ଉଦ୍ଧାର କରିଥିଲା। ଚୌଦ୍ବାର ଥାନା ପୁଲିସ ସୋମବାର ଦିନ ପ୍ରାୟ ୧୨ଟା ୩୦ରେ ରସାନନ୍ଦକୁ ଏସ୍‌ସିବିରେ ଭର୍ତ୍ତି କରିଥିଲା ବେଳେ ଦିନ ପ୍ରାୟ ୨ଟା ୧୦ରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। 

ପୁଲିସ ନିର୍ଯାତନାରୁ ଅଘଟଣ: ପରିବାର
ଶୌଚାଳୟରେ ଆତ୍ମହତ୍ୟା କରିଛି: ପୁଲିସ 

ମୃତ ରସାନନ୍ଦ ଗଲା ଅଗଷ୍ଟରେ ଯାଜପୁର ଜିଲ୍ଲା ଜେଲ୍‌ରୁ ଏକ ଚୋରି ମାମଲାରେ ଜାମିନରେ ଆସିଥିଲା। ରସାନନ୍ଦ ବିରୋଧରେ ଢେଙ୍କାନାଳ ସଦର ଥାନା, ଯାଜପୁର କାଳିଆପାଣି ଥାନା, କଟକର ମର୍କତନନଗର ଓ କ୍ୟାଣ୍ଟନମେଣ୍ଟ ଥାନା, କଟକ ଗ୍ରାମାଞ୍ଚଳର ଆଠଗଡ଼ ଥାନା, ଭୁବନେଶ୍ବର ନନ୍ଦନକାନନ ଥାନାରେ ବିଭିନ୍ନ ମାମଲା ରହିଛି। ଚୌଦ୍ବାର ଥାନା ଚଷାପଡ଼ାର ରାକେଶ କୁମାର ମଙ୍ଗରାଜ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ତାଙ୍କ ବାଇକ୍‌ ସହିତ ମୋବାଇଲ୍ ଫୋନ୍, ବ୍ୟାଗ୍‌ରେ ଥିବା ଅଫିସ କାଗଜପତ୍ର ଲୁଟି ନେଇଥିଲେ। ଏ ନେଇ ୧୨ ତାରିଖରେ ଚୌଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। 

ଅନ୍ୟପଟେ ମୃତ ରସାନନ୍ଦଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ପୁଲିସ ଏକ ଚୋରି ଅଭିଯୋଗରେ ଉଠାଇ ଆଣିଥିଲା। ଥାନାରେ ପୁଲିସ ନିର୍ଯାତନା ଦେବାରୁ ଏଭଳି ଅଘଟଣ ଘଟିଛି। ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ କହିଛନ୍ତି ଯେ ଚୌଦ୍ବାର ଥାନାର ସେଣ୍ଟ୍ରିଙ୍କ ସୂଚନା ଆଧାରରେ ଅଭିଯୁକ୍ତକୁ ଥାନା ଗାଡ଼ିରେ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ୍ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯିବ। ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫି କରାଯିବ। ପରିବାର ଲୋକଙ୍କ ଯେଉଁ ଅଭିଯୋଗ ଆସିଛି ଏହାର ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe