Free Malaysia Today
କେନ୍ଦୁଝର : ଜଣେ ନାବାଳିକା ଦୁଷ୍କର୍ମକାରୀକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି ଲୋକନାଥ ସାହୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଦୋଷୀ ହେଉଛି ବଲାଣି ଥାନା ନିଣ୍ଟୁର ଗ୍ରାମର ଜଗନା ମୁଣ୍ଡା (୨୯)।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୩ ଜାନୁଆରି ୨୪ ତାରିଖରେ ଜଗନାର ସ୍ତ୍ରୀଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ତେଣୁ ସେ ଗ୍ରାମର ଧାଈମାଙ୍କୁ ଡାକିବା ପାଇଁ ଯାଇଥିଲା। ଧାଈମା ତାଙ୍କର ୧୦ ବର୍ଷର ନାତୁଣୀ (ନାବାଳିକା)ଙ୍କ ସହିତ ଘରେ ଥିଲେ। ଘରେ ଆଉ କେହି ନଥିବାରୁ ଧାଈମା ଜଗନା ଘରକୁ ଗଲାବେଳେ ନାତୁଣୀକୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ। ସେଠାରେ ପହଞ୍ଚି ସେ ଜଗନାର ସ୍ତ୍ରୀଙ୍କୁ ଦେଖିଥିଲେ। ମାତ୍ର କିଛି ସୁଫଳ ମିଳି ନଥିଲା। ସନ୍ଧ୍ୟାବେଳେ ଜଗନା ଗୁଣିଆ ଡାକିବା ପାଇଁ ଯାଇଥିଲା। ଏହି ସମୟରେ ସେ ନାବାଳିକାଙ୍କୁ ମଧ୍ୟ ସାଥିରେ ନେଇଥିଲା। ସେ ସେହି ରାସ୍ତାକଡ଼ ଜଙ୍ଗଲରେ ନାବାଳିକାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ଜାଣିବା ପରେ ଆଈ ବଲାଣି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଜଗନାକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି କେସ୍ରେ କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଜଗନାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହିତ ନାବାଳିକାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।
Follow Us