ନିଆଁରେ ପୋଡ଼ିହୋଇ ଏସିଏଫ୍‌ଙ୍କ ମୃତ୍ୟୁ ଘଟଣା: ପତ୍ନୀ, ଡିଏଫ୍‌ଓ, ରୋଷେୟାଙ୍କ ନାଁରେ ମାମଲା

ଥାନାରେ ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ଆଜି

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ବ୍ୟବହୃତ କାର୍‌ ବନ ବିଭାଗର ନୁହେଁ

ପାରଳାଖେମୁଣ୍ତି : ନିଆଁରେ ପୋଡ଼ିହୋଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା‌ରେ ପୁଲିସ୍‌ ପଦକ୍ଷେପ ଆରମ୍ଭ କରିଛି। ସୌମ୍ୟରଂଜନଙ୍କ ପରିବାରର ଅଭିଯୋଗ ଆଧାରରେ ପୁଲିସ୍‌ ମୃତ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ପାରଳାଖେମୁଣ୍ଡି ସଂଗ୍ରାମ କେଶରୀ ବେହେରା ଏବଂ ତାଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଆସନ୍ତାକାଲି ମୃତକଙ୍କ ପତ୍ନୀଙ୍କ ସମେତ ତାଙ୍କ ପରିବାର ଲୋକ ପାରଳାଖେମୁଣ୍ଡି ଥାନାରେ ବୟାନ ରଖିବେ ବୋଲି ଜଣାପଡ଼ିଛି।

ଗତ ୧୨ ତାରିଖ ଦିନ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଅଦରକାରୀ କାଗଜପତ୍ର, ଫାଇଲ୍‌ ଏକାଠି କରି ନିଆଁ ଲଗାଉଥିବା ବେଳେ ଅଗ୍ନିକାଣ୍ଡରେ ଜଳିଯାଇ ପ୍ରାଣ ହରାଇଥିଲେ। ତେବେ, ଏହା ଦୁର୍ଘଟଣାଜନିତ ମୃତ୍ୟୁ ନୁହେଁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଅଭିଯୋଗ କରିବା ପରେ ଘଟଣାକୁ ନେଇ ରହସ୍ୟ ସୃଷ୍ଟି ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଦୁଇଦିନ ଧରି ତନାଘନା ଚଳାଇଛି। ଆଜି ଡିଏଫ୍‌ଓ କଲୋନିରେ ପହଞ୍ଚି ଆଖ ପଡ଼ିଶା ଲୋକଙ୍କ ବୟାନ ସଂଗ୍ରହ କରିଥିବା ଜଣାପଡ଼ିଛି। ପୁଲିସ୍‌ର କହିବାନୁସାରେ, ସବୁ ଦିଗରୁ ଟିକିନିଖି ତଦନ୍ତ କରାଯାଉଛି ଏବଂ ଯେଉଁମାନଙ୍କ ବିରୋଧ‌‌ରେ ଅଭିଯୋଗ ରହିଛି ସେମାନଙ୍କ କଲ୍‌ ଡିଟେଲ୍‌କୁ ଯାଞ୍ଚ କରାଯାଉଛି। ତେବେ, ଆଜି ସନ୍ଧ୍ୟା ସୁଦ୍ଧା ପୁଲିସ୍‌କୁ ହତ୍ୟା ଅଭିଯୋଗ ସମ୍ପର୍କିତ ‌ସେଭଳି କିଛି ଗୁରୁତ୍ବପୂର୍ଣ୍ଣ ସୁରାକ୍‌ ମିଳିନାହିଁ।

ଅନ୍ୟପଟେ, ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ସମ୍ପୃକ୍ତ ୩ ଅଭିଯୁକ୍ତ ଖଣ୍ଡନ କରିଛନ୍ତି। ତେବେ, ଆସନ୍ତାକାଲି ସୌମ୍ୟରଞ୍ଜନଙ୍କ ପତ୍ନୀ ଓ ତାଙ୍କ ପରିବାରର ବୟାନ୍‌ ଉପରେ ମାମଲାର ଅଗ୍ରଗତି ହେବ ବୋଲି ଜଣାପଡ଼ିଛି। ଆଜି ମୃତକଙ୍କ ପରିବାର ସଦସ୍ୟ ଏବଂ ପତ୍ନୀ ନିଜର ବୟାନ ଦେବାପାଇଁ ପାରଳାଖେମୁଣ୍ତି ଆସିବାର ଥିଲା। ତେବେ, ଓଡ଼ିଶା ବନ୍ଦ କାରଣରୁ ସେମାନେ ପହଞ୍ଚିପାରିନାହାନ୍ତି। ଆସନ୍ତା କାଲି ସେମାନେ ପାରଳାଖେମୁଣ୍ତି ଆସିବେ ବୋଲି ପୁଲିସ ସୂଚନା ଦେଇଛି। ରହସ୍ୟ ଓ ମାମଲାର ଜଟିଳତା ଯେତେ ବଢ଼ି ଚାଲିଛି, ପୁଲିସ ଘଟଣାକୁ ସେତିକି ଗୁରୁତ୍ବର ସହ ନେଇଥିବା ଏବଂ ସୌମ୍ୟଙ୍କ ପରିବାର ସଦସ୍ୟ ପାରଳାରେ ପହଞ୍ଚିବା ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ କରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe