ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପୂର୍ବତନ ଡିଏଫ୍‌ଓ, ପତ୍ନୀ ଓ ରୋଷେୟାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

Advertisment
ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପୂର୍ବତନ ଡିଏଫ୍‌ଓ, ପତ୍ନୀ ଓ ରୋଷେୟାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡ଼ି ହୋଇ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ପାରଳା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ପାରଳା ଏସ୍‌ଡିଜେଏମ୍‌ଙ୍କ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇଛି। ଆସନ୍ତା ୭ ତାରିଖ ମଧ୍ୟରେ କୋର୍ଟରେ ହାଜର ହେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିବା ଜଣାପଡ଼ିଛି। ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର କୋର୍ଟରେ ଦାଖଲ କରିଥିବା ୱାନ୍‌ସିସି ପିଟିସନ୍‌କୁ ଅଧାର କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ପ୍ରକାରେ, ଚଳିତ ମାସ ୧୬ ତାରିଖରେ ତିନି ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ଏସ୍‌ଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେମାନେ ବିଭିନ୍ନ କାରଣ ଦର୍ଶାଇ କୋର୍ଟରେ ଅନୁପସ୍ଥିତ ରହିବା ସହ ଅଧିକ ସମୟ ମାଗିଥିଲେ। ବିଦ୍ୟାଭାରତୀଙ୍କ ତରଫରୁ ତାଙ୍କ ଆଇନଜୀବୀ କୋର୍ଟଙ୍କୁ ୪ ସପ୍ତାହ ଏବଂ ରୋଷେୟା କୁମ୍ଭ ଆଇନଜୀବୀଙ୍କ ଜରିଆରେ ଦୁଇ ସପ୍ତାହ ସମୟ ମାଗିଥିଲେ। ଅଭିଯୁକ୍ତମାନେ କରିଥିବା ଏହି ଆବେଦନ ଉପରେ ଶୁଣାଣି ପାଇଁ ଏସ୍‌ଡିଜେଏମ୍‌ ଦାୟିତ୍ବରେ ଥିବା ସିନିୟର୍‌ ସିଭିଲ୍‌ ଜଜ୍‌ ଏହାକୁ ଗ୍ରହଣ କରି ପରବର୍ତ୍ତୀ ଶୁଣାଣି ଜୁନ୍‌ ୨୩ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ ମାମଲା ବିଚାରାଧୀନ ରହିଥିବା ବେଳେ ହାଜର ତାରିଖକୁ ବିଳମ୍ବ କରି ଦିନ ଗଡ଼ାଇବାର ଫାଇଦା ନେଇ ଅଭିଯୁକ୍ତମାନେ ଉପର କୋର୍ଟରେ ଆବେଦନ କରିଥିବା ଦର୍ଶାଇ ଅଭିଯୁକ୍ତଙ୍କ ପକ୍ଷରୁ ଜାଣିଶୁଣି କୋର୍ଟଙ୍କ ବିଚାର ପ୍ରକ୍ରିୟାରେ ବିଳମ୍ବ କରୁଥିବା ଅନୁଭବ କରି ଆଜି କୋର୍ଟ ଏଭଳି କଠୋର ନିଷ୍ପତ୍ତି ଶୁଣାଇଛନ୍ତି।

ଗତ ୨୦୨୧ ଜୁଲାଇ ୧୨ ତାରିଖ ରାତିରେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କର କଟକରେ ତା’ପର ଦିନ ମୃତ୍ୟୁ ହୋଇଥିଲା। ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ତଦନ୍ତ କ୍ରାଇମବ୍ରାଞ୍ଚ ନେବା ପରେ ୨୦୨୨ ମସିହାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ତେବେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ପୁଅ ସୌମ୍ୟରଞ୍ଜନ ପୋଡ଼ି ହୋଇ ମୃତ୍ୟୁ ମାମଲାରେ କୋର୍ଟରେ ପୁନଃଆବେଦନ କରିଥିଲେ। ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ପାରଳା ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ତଦନ୍ତରୁ ମିଳିଥିବା ତଥ୍ୟ ଓ ସାକ୍ଷ୍ୟପ୍ରମାଣକୁ ତର୍ଜମା କରି ଅଭିଯୋଗ ପଛରେ ହତ୍ୟା (ଦଫା ୩୦୨) ଏବଂ ଅପରାଧିକ ଷଡ଼ଯନ୍ତ୍ର (ଦଫା ୧୨୦ (ଖ) ଅନୁସାରେ ରୁଜୁ ମାମଲାରେ ପ୍ରମାଣଯୋଗ୍ୟ ତଥ୍ୟ ରହିଥିବା ଅନୁଭବ କରି ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଏହାକୁ ଗତ ଏପ୍ରିଲ ମାସରେ ବିଚାର ପାଇଁ ଗ୍ରହଣ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ପ୍ରଥମେ ଏପ୍ରିଲ ୨୭ ତାରିଖରେ କୋର୍ଟରେ ହାଜର ହେବାକୁ ସମନ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe