ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତହସିଲ୍‌ଦାର୍‌, ୩ ଡାକ୍ତରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ର ଜେରା

Advertisment

ଘଟଣା ସମୟରେ ଡିଏଫ୍‌ଓଙ୍କ ବଙ୍ଗଳାରେ ଥିଲେ ଜିଲ୍ଲାପାଳ ଦମ୍ପତି

ଘଟଣା ସମୟରେ ଡିଏଫ୍‌ଓଙ୍କ ବଙ୍ଗଳାରେ ଥିଲେ ଜିଲ୍ଲାପାଳ ଦମ୍ପତି

ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:  ମେ ୧୬ରେ ଅଦାଲତରେ ହାଜର ହେବେ ତତ୍କାଳୀନ ଡିଏଫଓ, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁଦିନ ରହସ୍ୟାବୃତ୍ତ ହୋଇରହିଛି। ପୁଲିସ୍‌ ତଦନ୍ତ କାହିଁକି ବିଳମ୍ବିତ ହୋଇଥିଲା , ଏବେ କ୍ରାଇମବ୍ରାଞ୍ଚ ପଚରାଉଚରା କରିବାପରେ କିଛିକିଛି ନୂଅା ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ଏହାର ଘଟଣା ସହିତ କିଭଳି ସମ୍ପର୍କ ରହିଛି ଏବଂ ମାମଲାକୁ ଭିନ୍ନମୋଡ଼ ଦେବାରେ ସହାୟକ ହେବ କି ନାହିଁ, କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ପରେ ଜଣାପଡ଼ିବ ବୋଲି କୁହାଯାଉଛି। ଏଥିସହିତ, ତହସିଲ୍‌ଦାର୍‌ ଓ ୩ ଜଣ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ଆଜି ଜେରାକରିଛି।

ଏବେ ଯେଉଁ ନୂଆ ତଥ୍ୟ ସାମ୍‌ନାକୁ ଆସିଛି, ତାହା ହେଉଛି ଘଟଣା ସମୟରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ଥିଲେ। ଏସିଏଫ୍‌ ସୌମ୍ୟରଞ୍ଜନ ଯେଉଁ ସମୟରେ ଜଳୁଥିଲେ, ଠିକ୍‌ ସେହି ସମୟରେ ପତ୍ନୀଙ୍କ ସହ ଜିଲ୍ଲାପାଳ ଶ୍ରୀ ପଣ୍ଡା ଡିଏଫ୍‌ଓଙ୍କ ବାସଭବନରେ ନୈଶଭୋଜନ ପାଇଁ ଉପସ୍ଥିତ ଥିଲେ। ଡିଏଫ୍‌ଓ ଶ୍ରୀ ବେହେରା ଗତ ଜୁଲାଇ ୧୨ ତାରିଖ ଅର୍ଥାତ୍ ରଥଯାତ୍ରା ଦିନ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଜିଲ୍ଲାପାଳ ଏବଂ ତାଙ୍କ ପତ୍ନୀଙ୍କୁ ନୈଶଭୋଜନ ପାଇଁ ନିଜ ବଙ୍ଗଳାକୁ ନିମନ୍ତ୍ରଣ କରିଥିଲେ। ଆଉ ରାତି ପ୍ରାୟ ୮ଟା ୧୫ରୁ ସା‌ଢ଼େ ୮ଟା ଭିତରେ ସେମାନେ ଉପସ୍ଥିତ ଥିଲେ। ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ବାସଭବନ ସାମ୍‌ନାରେ ରହିଛି ଡିଏଫ୍‌ଓଙ୍କ ବଙ୍ଗଳା। ସେହି ସମୟରେ ଏସିଏଫ୍‌ ଜଳିଯିବା ଖବର ପାଇବାରେ ଜିଲ୍ଲାପାଳ ଦମ୍ପତି ଡିନର୍‌ ଟେବୁଲ୍‌ ଛାଡ଼ି ଫେରିଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି। ଆହୁରି ମଧ୍ୟ ଜଣାପଡ଼ିଛି ଯେ ପାରଳା ମୁଖ୍ୟ ଚିକିତ୍ସାଳୟରେ ସୌମ୍ୟରଞ୍ଜନଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବାବେଳେ ଜିଲ୍ଲାପାଳ ଅଳ୍ପ ସମୟ ପାଇଁ ମେଡିକାଲ ଆସି ଚିକିତ୍ସା ଅନୁଧ୍ୟାନ କରିବା ସହ ଫେରିଯାଇଥିଲେ। ତେବେ, ପୁଲିସ୍‌ ତଦନ୍ତ ବେଳେ ଏକଥା କାହିଁକି ଜଣାପଡ଼ିନଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି‌ହୋଇଛି। ଏଭଳି ତଥ୍ୟ ସବୁ ସାମ୍ନାକୁ ଆସିବା ପରେ ପାରଳା ପୁଲିସର ସନ୍ଦେହଜନକ ଭୂମିକା ନେଇ ବର୍ତ୍ତମାନ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀଙ୍କୁ ବି ତାଜୁବ୍‌ କରିଛି। ଏ ସମ୍ପର୍କରେ ତଦନ୍ତର ନେତୃତ୍ବ ନେଉଥିବା କ୍ରାଇମବ୍ରାଞ୍ଚ୍‌ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ର ଗଣମାଧ୍ୟମକକୁ କହିଛନ୍ତି, ଆବଶ୍ୟକ ସ୍ଥଳେ ଜିଲ୍ଲାପାଳଙ୍କୁ ବି ପଚରାଉଚରା କରାଯିବ।

ଅନ୍ୟପକ୍ଷରେ ଆଜି କ୍ରାଇମବ୍ରାଞ୍ଚ୍‌ ତଦନ୍ତକାରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ୩ ଜଣ ଡାକ୍ତର ଅର୍ଥାତ ଏଡିଏମଓ ଡା.ପ୍ରମୋଦ କୁମାର ପଣ୍ଡା, ଡା.କିଶୋର ଚନ୍ଦ୍ର ବେହେରା ଓ ଡା.ଅଭିଳାଷ ପଣ୍ଡାଙ୍କୁ ପଚରାଉଚରା କରିଛନ୍ତି। କିପରି ପରିସ୍ଥିତିରେ ଏସିଏଫ୍‌ଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ଏବଂ କେଉଁ ପ୍ରକାର ଚିକିତ୍ସା ଯୋଗାଇ ଦିଆଗଲା ଏ ନେଇ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି। ସେହିପରି ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ପାରଳା ପୁଲିସ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ପାରଳା ତହସିଲ୍‌ଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ବହୁ ସମୟ ଧରି ପ୍ରଶ୍ନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe