ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମିଛଧରା ପରୀକ୍ଷା ବେଳେ ଥଙ୍ଗେଇଲେ ବିଦ୍ୟାଭାରତୀ

Advertisment

ସାଢ଼େ ୩ ଘଣ୍ଟାରେ କ୍ରାଇମବ୍ରାଞ୍ଚ୍‌ର ୭୩ ପ୍ରଶ୍ନ

ସାଢ଼େ ୩ ଘଣ୍ଟାରେ କ୍ରାଇମବ୍ରାଞ୍ଚ୍‌ର ୭୩ ପ୍ରଶ୍ନ

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ପାଉନି ପୁଲିସ

ଭୁବନେଶ୍ବର : ସ୍ୱାମୀଙ୍କ ଦେହରେ ନିଆଁ ଲାଗିଲା ବେଳେ ଆପଣ କଣ କରୁଥିଲେ? ନିଆଁ ଲାଗିଲା ବୋଲି ଆପଣ ଜାଣିଲେ କେମିତି? ସେତେବେଳେ କି ପଦକ୍ଷେପ ନେଲେ? ନିଆଁ ଲାଗିବା ଖବର ଆପଣ ପ୍ରଥମେ କାହାକୁ ଜଣାଇଥିଲେ? ସୌମ୍ୟଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ କି? କଟକ ଏସ୍‌ସିବି ମେଡିକାଲ ନେବା ପାଇଁ କାହିଁକି ନିଷ୍ପତ୍ତି ନେଲେ? କେମିତି ଥିଲା ଦାମ୍ପତ୍ୟ ଜୀବନ? କାହିଁକି ତିକ୍ତତା ରହିଥିଲା? ସୌମ୍ୟ କାହିଁକି ସମ୍ପତ୍ତି ଚୁକ୍ତି ଆପଣଙ୍କ ନାଁରେ କରିଥିଲେ? ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ଆପଣଙ୍କ ସମ୍ପର୍କ କଣ? ଏମିତି ଢଙ୍ଗରେ ସୋମବାର ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ରାଜ୍ୟ ଫୋରେନସିକ୍ ଲାବୋରେଟାରିରେ ମିଛଧରା ପରୀକ୍ଷା (ଲାଇ ଡିଟେକ୍ସନ୍ ଟେଷ୍ଟ) କରିଥିଲା କ୍ରାଇମବ୍ରାଞ୍ଚ୍‌। ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟାଭାରତୀଙ୍କୁ ସାଢ଼େ ତିନି ଘଣ୍ଟାରେ ପ୍ରାୟ ୭୩ଟି ପ୍ରଶ୍ନ ପଚରା ଯାଇଥିଲା। ବିଦ୍ୟାଭାରତୀ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇଥିଲେ ମଧ୍ୟ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଥ..ଥ..ମ..ମ.. ହୋଇଥିଲେ। ତେଣୁ ଆଜିର ଏହି ମିଛଧରା ପରୀକ୍ଷାରେ କ୍ରାଇମବ୍ରାଞ୍ଚକୁ ସନ୍ତୋଷଜନକ ଉତ୍ତର ମିଳିପାରି ନ ଥିବା ବେଳେ ପୁଣି ଥରେ ପରୀକ୍ଷା କରାଯାଇପାରେ ବୋଲି କୁହାଯାଉଛି।

ସୋମବାର ଦିନ ପ୍ରାୟ ୯ଟା ୧୫ରେ କ୍ରାଇମବ୍ରାଞ୍ଚ ଟିମ୍ ବିଦ୍ୟାଭାରତୀଙ୍କୁ ଧରି ରାଜ୍ୟ ଫୋରେନସିକ୍ ଲାବୋରେଟାରିରେ ପହଞ୍ଚିଥିଲା। ପ୍ରାୟ ୧୦ଟାରେ ଆରମ୍ଭ ହୋଇଥିଲା ମିଛଧରା ପରୀକ୍ଷା। ଦିନ ସାଢ଼େ ୧ଟାରେ ଶେଷ ହୋଇଥିଲା। ଦିନ ପ୍ରାୟ ୨ଟାରେ ତଦନ୍ତକାରୀ ଟିମ୍ ବିଦ୍ୟାଭାରତୀଙ୍କୁ ଧରି ଫେରି ଯାଇଥିଲା।

publive-image

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଏକ ବିଶେଷଜ୍ଞ ଟିମ୍ ଦ୍ବାରା ତର୍ଜମା କରାଯାଇଥିଲା। ତାହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଥିଲା ତଦନ୍ତକାରୀ ଟିମ୍। ନିଆଁରେ ପୋଡ଼ି ହେବା ସମୟ, ପାରିପାର୍ଶ୍ବିକ ପରିସ୍ଥିତି, ସିଆରପିସି ଧାରା-୧୬୧ ଅନୁସାରେ ରେକର୍ଡ ହୋଇଥିବା ରୋଷେୟା ଓ ପତ୍ନୀଙ୍କ ବୟାନ, ପରିବାର ଲୋକଙ୍କ ଅଭିଯୋଗ, ବିଭିନ୍ନ ଦିଗର ତଥ୍ୟକୁ ଆଧାର କରି ମିଛଧରା ପରୀକ୍ଷା ପାଇଁ ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା। ତେବେ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଦ୍ୟାଭାରତୀ ଅସୁବିଧାର ସମ୍ମୁଖୀନ ହେବାରୁ ଏବଂ ଗୋଟିଏ ଉତ୍ତର ସହ ଅନ୍ୟ ଏକ ଉତ୍ତର ମେଳ ଖାଉ ନ ଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୨ ତାରିଖରେ ସୌମ୍ୟରଞ୍ଜନ ପୋଡ଼ି ହୋଇ ଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି ପୁଲିସ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଗତ ଶନିବାର ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟରଞ୍ଜନଙ୍କ ରୋଷେୟା ମିଛଧରା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କୁ ଶହେରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ଆଜି ବିଦ୍ୟାଭାରତୀଙ୍କର ପରୀକ୍ଷା ଶେଷ ହୋଇଛି। ତିନି ଜଣଙ୍କ ବୟାନରେ କେତେ ତାଳମେଳ ରହୁଛି, ସେମାନଙ୍କୁ ପଚରା ଯାଇଥିବା ଏକାଧିକ ସମାନ ପ୍ରଶ୍ନର ଉତ୍ତର ଠିକ୍ ରହିଛି କି ନାହିଁ, ପୋଡ଼ି ହୋଇଯିବାର ସମୟ ମେଳ ଖାଉଛି କି ନାହିଁ ତାହାର ତର୍ଜମା କରୁଛି ତଦନ୍ତକାରୀ ଟିମ୍। ଏବେ ପ୍ରଶ୍ନ ଉଠୁଛି ମିଛଧରା ପରୀକ୍ଷା ଶେଷ ହେବା ପରେ କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ପଦକ୍ଷେପ କଣ ରହିବ? କେମିତି ଓ କେବେ କ୍ରାଇମବ୍ରାଞ୍ଚ ଏହି ରହସ୍ୟମୟ ମାମଲା ଉପରୁ ପରଦା ଉଠାଇବ? ଲୋକଙ୍କ ମନରେ ଏସବୁ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସୌମ୍ୟଙ୍କ ମୃତ୍ୟୁର ୭୦ ଦିନ ପରେ ମଧ୍ୟ ରହସ୍ୟ ଖୋଲିପାରୁ ନ ଥିବାରୁ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe