ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆସୁଛି ସାଂଘାତିକ ଚିତ୍ର : ମାସକୁ କ୍ୟାନ୍‌ସର ନେଉଛି ୫୦ ଜୀବନ

Advertisment

ଏସ୍‌ସିବିରେ ଲିଭର ଜନିତ ରୋଗୀ ମୃତ୍ୟୁ ସଂଖ୍ୟା ସପ୍ତାହକୁ ୧୦

ଏସ୍‌ସିବିରେ ଲିଭର ଜନିତ ରୋଗୀ ମୃତ୍ୟୁ ସଂଖ୍ୟା ସପ୍ତାହକୁ ୧୦

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆସୁଛି ସାଂଘାତିକ ଚିତ୍ର : ମାସକୁ କ୍ୟାନ୍‌ସର ନେଉଛି ୫୦ ଜୀବନ

କଟକ, (ସୀମନ୍ତିକା ନନ୍ଦ): ଅପମିଶ୍ରିତ ତଥା ଦୂଷିତ ଖାଦ୍ୟ, ପାନୀୟ ଯୋଗୁଁ ଅତ୍ୟନ୍ତ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି କ୍ୟାନସର ଏବଂ ଲିଭର ସଂକ୍ରମଣ ଭଳି ମାରାତ୍ମକ ରୋଗ। ଏହା ସହିତ ସ୍ନାୟୁରୋଗ, ପାନ୍‌କ୍ରିଆଟିକ୍‌ ସଂକ୍ରମଣ ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି। ସ୍ଥିତି ଏଭଳି ସାଂଘାତିକ ହୋଇଛି ଯେ ପ୍ରତି ସପ୍ତାହରେ କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ହାରାହାରି ଭାବେ ୫୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ହାରାହାରି ଭାବେ ମାସକୁ ୫୦ରୁ ୫୫ ଜଣଙ୍କ ଜୀବନ ଯାଉଛି। ଏହି ହିସାବରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବର୍ଷକୁ ମୃତ୍ୟୁ ସଂଖ୍ୟା ୫୦୦ରୁ ୬୦୦ରୁ ଅଧିକ ରହୁଥିବା ସୂଚନା ମିଳିଛି।

ସେହିଭଳି କଟକ ବଡ଼ ମେଡିକାଲ ହେପାଟୋଲୋଜି ବିଭାଗରେ ସପ୍ତାହରେ ହାରାହାରି ୨ଶହରୁ ୨୫୦ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ସେଥିରୁ ସପ୍ତାହକୁ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ଘଟୁଛି। ଲିଭର ଜନିତ ରୋଗରେ ଏସ୍‌ସିବିରେ ବାର୍ଷିକ ମୃତ୍ୟୁ ସଂଖ୍ୟା ବି ହାରାହାରି ଭାବେ ୫୦୦ ଛୁଉଁଛି। ସାରା ରାଜ୍ୟରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା କ‌େତେ ତାହାର ଅବଶ୍ୟ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ।

publive-image Telegraph India

ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୁରେନ୍ଦ୍ର ନାଥ ସେନାପତିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସ୍ଥିତିରେ ତମାଖୁ ଜନିତ କାରଣରୁ ମୁଖଗହ୍ବର କର୍କଟ, ମାତ୍ରାଧିକ ବାୟୁ ପ୍ରଦୂଷଣ ପାଇଁ ଫୁସଫୁସଜନିତ କର୍କଟ ରୋଗ, ଫାଷ୍ଟଫୁଡ୍‌ ଓ ଚର୍ବି ଜାତୀୟ ଖାଦ୍ୟ ପାଇଁ ସ୍ତନ କର୍କଟ ରୋଗ ବଢ଼ି ଚାଲିଛି। ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ମୁଖଗହ୍ବର କର୍କଟ ରୋଗ ୩୦ ପ୍ରତିଶତ, ସ୍ତନ କର୍କଟ ୨୦ ପ୍ରତିଶତ, ଜରାୟୁ କର୍କଟ ରୋଗ ୨୫ ପ୍ରତିଶତ ବୃଦ୍ଧି ପାଇଛି। ମାସକୁ ୫୦ରୁ ୫୫ଜଣ ଏଭଳି ରୋଗୀଙ୍କ ମୃତ୍ୟୁ ଆଚାର୍ଯ୍ୟ ହରିହର ‌କର୍କଟ କେନ୍ଦ୍ରରେ ଘଟୁଛି। ଭେଜାଲ ତେଲ, ଘିଅ ତଥା ବିଭିନ୍ନ ଭେଜାଲ ସାମଗ୍ରୀ, କୀଟନାଶକ, ରାସାୟନିକ ସାର ପ୍ରଭାବରେ କେବଳ କର୍କଟ ନୁହେଁ ଲିଭର ସମସ୍ୟା, ଜଣ୍ଡିସ୍‌, ସ୍ନାୟୁରୋଗ, ପାନକ୍ରିଆଟିକ୍‌ ସଂକ୍ରମଣ, ମସ୍ତିଷ୍କ ସମସ୍ୟା ଆଦି ବିଭିନ୍ନ ରୋଗ ବଢ଼ି ଚାଲିଥିବା ବେଳେ ଅନେକ ସମୟରେ ସଚେତନତା ଅଭାବ, ବିଳମ୍ବରେ ଚିକିତ୍ସା ମୃତ୍ୟୁର କାରଣ ହେଉଛି ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। ଏଭଳି ସ୍ଥିତିରେ ଭେଜାଲ ତଥା ଅପମିଶ୍ରିତ ଖାଦ୍ୟ ଓ ପାନୀୟଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଏସ୍‌ସିବି ହେପାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଉମେଶ ପାତ୍ର। ଏସ୍‌ସିବିରେ ଆଇସିୟୁ, ଉନ୍ନତମାନର ଔଷଧ ସବୁ ନିରାମୟରେ ମାଗଣାରେ ମିଳୁଥିବାରୁ ଅନେକ ରୋଗୀ ଏହାଦ୍ବାରା ଉପକୃତ ହେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଏସ୍‌ସିବିରେ ଲିଭର ପ୍ରତ୍ୟାରୋପଣ ବ୍ୟବସ୍ଥା ଏଯାଏ ହୋଇ ପାରି ନଥିବାରୁ ଶେଷ ସମୟରେ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀଙ୍କ ଜୀବନ ବଂଚାଇବା ସମ୍ଭବ ହୋଇପାରୁ ନଥିବା କୁହାଯାଉଛି। ରାଜ୍ୟସରକାର ଅପମିଶ୍ରିତ ଖାଦ୍ୟଦ୍ରବ୍ୟର କାରାବାରକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନ ନେଲେ କର୍କଟ, ଲିଭର, ସ୍ନାୟୁ ସମସ୍ୟା ଭଳି ରୋଗ ଆଗାମୀ ଦିନରେ ବ୍ୟାପକ ମୃତ୍ୟୁର କାରଣ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe