ପ୍ରମୋଦିନୀଙ୍କୁ ଏସିଡ୍‌ ମାଡ଼ ଘଟଣା: ୧୩ ବର୍ଷ ପରେ ନ୍ୟାୟ, ୨ ଜଣଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

Advertisment
ପ୍ରମୋଦିନୀଙ୍କୁ ଏସିଡ୍‌ ମାଡ଼ ଘଟଣା: ୧୩ ବର୍ଷ ପରେ ନ୍ୟାୟ, ୨ ଜଣଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

କୋର୍ଟ ବାହାରେ କାନ୍ଦି ପକାଇଲେ ପ୍ରମୋଦିନୀ
ମା’ କହିଲେ ଆଜୀବନ ସଜା ପାଇଁ ଉପର କୋର୍ଟ ଯିବୁ

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ ଚାଞ୍ଚଲ୍ୟକର ଏସିଡ୍‌ ମାଡ଼ ଘଟଣାରେ ସୋମବାର ଦିନ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ୨୦୦୯ ମସିହାର ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଜୋରଗାଡ଼ିଆ ଅଞ୍ଚଳର ସନ୍ତୋଷ କୁମାର ବେଦାନ୍ତ ଓ ସହଯୋଗୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡ଼ ଅଞ୍ଚଳର ଅନିଲ ଦଳସିଂରାୟକୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ୧୪ ବର୍ଷ ସଶ୍ରମ କାରାଦଣ୍ଡ ମିଳିଛି।

ସୋମବାର ଦିନ ଦୁଇ ଦୋଷୀଙ୍କୁ ଜଗତସିଂହପୁର ସହକାରୀ ବିଚାରପତି(ମହିଳା କୋର୍ଟ) ରଶ୍ମିତା ସାହୁଙ୍କ ଅଦାଲତରେ ହାଜର କରାଯାଇଥିଲା। ଏହିସମୟରେ ପୀଡ଼ିତା ପ୍ରମୋଦିନୀ ରାଉଳ, ତାଙ୍କ ମା’ କବିତା ରାଉଳ ଓ ସ୍ବାମୀ ସରୋଜ ସାହୁ କୋର୍ଟରେ ଉପସ୍ଥିତ ଥିଲେ। ବିଚାରପତି ଅଭିଯୁକ୍ତଙ୍କୁ ଆଇପିସିର ଦଫା-୩୦୭ ଓ ୩୨୬ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦଫା-୩୦୭ରେ ୯ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଏବଂ ଦଫା-୩୨୬ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ କରାଯାଇଛି। ଜରିମାନା ଆଦାୟ ନହେଲେ ୯ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି। ଦୁଇଟି ଯାକ ଦଣ୍ଡ ଗୋଟିଏ ପରେ ଗୋଟିଏ ଅର୍ଥାତ୍ ୧୪ ବର୍ଷ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

ଏହି ଦଣ୍ଡାଦେଶ ପରେ ପୀଡ଼ିତା ପ୍ରମୋଦିନୀ କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଯେମିତି ନର୍କ ଯନ୍ତ୍ରଣା ଦେଇଛନ୍ତି ସେମାନଙ୍କୁ ମଧ୍ୟ ସେମିତି ଦଣ୍ଡ ମିଳିବା ଦରକାର ଥିଲା। ୧୩ ବର୍ଷର ସଂଘର୍ଷ ବହୁତ ଯନ୍ତ୍ରଣାଦାୟକ ଥିଲା। ପ୍ରତି ମୁହୂର୍ତ୍ତରେ ସେ ଯନ୍ତ୍ରଣା ପାଇଛନ୍ତି। ଜୀବନସାରା ଏହା ରହିବ। ଅଭିଯୁକ୍ତକୁ ଆଜୀବନ ଜେଲ୍ ହୋଇଥିଲେ ଭଲ ହୋଇଥାନ୍ତା। ତଥାପି କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛି ବୋଲି କହି ସେ କାନ୍ଦି ପକାଇଥିଲେ। ଏହି ସମୟରେ ମା’ କବିତା ଝିଅ ଆଖିରୁ ଲୁହ ପୋଛି ଦେବା ସହ ନିଜେ ମଧ୍ୟ କାନ୍ଦି ପକାଇଥିଲେ। ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ପାଇଁ ସେମାନେ ଉପର କୋର୍ଟକୁ ଯିବେ ବୋଲି କବିତା କହିଥିଲେ। ସ୍ବାମୀ ସରୋଜ ମଧ୍ୟ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଥିଲା, ଯାହାଫଳରେ ଅନ୍ୟ କେହି ଏପରି ଅପରାଧ ଘଟାଇବା ପୂର୍ବରୁ ବାରମ୍ବାର ଚିନ୍ତା କରିବ ବୋଲି କହିଥିଲେ।

publive-image ଦିନେ ମୁଁ ଦେଖିବାକୁ
ଏମିତି ଥିଲି....

ସୂଚନାଯୋଗ୍ୟ ଯେ ପ୍ରମୋଦିନୀ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲାବେଳେ ମୁଖ୍ୟ ଅଭିଯୁକ୍ତ ତଥା ଅର୍ଦ୍ଧ ସାମରିକ ବାହିନୀର ଯବାନ ସନ୍ତୋଷ କୁମାର ବେଦାନ୍ତ ତାଙ୍କୁ ଏକତରଫା ପ୍ରେମ କରୁଥିଲା। ପ୍ରମୋଦିନୀଙ୍କୁ ତାଙ୍କ ସାଙ୍ଗମାନଙ୍କ ଜରିଆରେ ପ୍ରେମ ନିବେଦନ କରୁଥିଲା। ସନ୍ତୋଷ ଘଟଣାର ୪ ଦିନ ପୂର୍ବରୁ ଅର୍ଥାତ୍ ୨୦୦୯ ଏପ୍ରିଲ ୧୪ ପଣା ସଂକ୍ରାନ୍ତି ଦିନ ପ୍ରମୋଦିନୀଙ୍କ ହାତକୁ ଧରି ପ୍ରେମ ନିବେଦନ କରିଥିଲା। ପ୍ରମୋଦିନୀ କିନ୍ତୁ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ୨୦୦୯ ଏପ୍ରିଲ ୧୮ ତାରିଖରେ ଅପରାହ୍ନରେ ପ୍ରମୋଦିନୀ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହ ସାଇକେଲରେ ବସି ଘରକୁ ଫେରୁଥିବା ବେଳେ ସନ୍ତୋଷ ତାର ସହଯୋଗୀ ଅନିଲ ସହ ଏକ ବାଇକରେ ଯାଇ ତାଙ୍କର ବାଟ ଓଗାଳିଥିଲା। ଗାଳିଗୁଲଜ କରିବା ସହ ଯଦି ମୋର ନୁହେଁ, ତା’ହେଲେ କାହାର ନୁହେଁ ବୋଲି କହି ହାତରେ ଧରିଥିବା ଏସିଡ୍ ବୋତଲ ଖୋଲି ପ୍ରମୋଦିନୀଙ୍କ ମୁଣ୍ଡ ଉପରେ ଢାଳି ଦେଇଥିଲା। ଏହାପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ ପ୍ରମୋଦିନୀ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୋଟିଏଦିନ କୋମାରେ ରହିବା ପରେ ଚେତା ଫେରିଥିଲା। ଘଟଣା ସଂକ୍ରାନ୍ତରେ ମା’ କବିତା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବାପରେ ଏପ୍ରିଲ ୨୯ ତାରିଖରେ ପୁଲିସ କେସ୍ ନଂ-୭୯/୨୦୦୯ରେ ମାମଲା ରୁଜୁ କରିଥିଲା।

୨୦୧୨ ମେ ୫ ତାରିଖରେ ତତ୍କାଳୀନ ଅଧିକାରୀ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପରେ ମାମଲା ବନ୍ଦ ହୋଇ ଯାଇଥିଲା। ୨୦୧୭ ସେପ୍ଟେମ୍ବର ୪ ତାରିଖରେ ତତ୍କାଳୀନ ଏସପି ଜୟନାରାୟଣ ପଙ୍କଜଙ୍କ ନିର୍ଦ୍ଦେଶକ୍ରମେ ମାମଲାର ରିଓପନ୍ କରିଥିଲେ ତତ୍କାଳୀନ ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାୟକ। ମାମଲାର ତଦନ୍ତ କରି ୨୦୧୭ ନଭେମ୍ବର ୨୫ ତାରିଖରେ ସହଯୋଗୀ ଅନୀଲକୁ ଗିରଫ କରା ଯାଇଥିଲା। ଏହାର ପରଦିନ ୨୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେଦାନ୍ତକୁ ଗିରଫ କରିଥିଲା ପୁଲିସ। ୨୦୧୮ ମାର୍ଚ୍ଚ ୩୧ ତାରିଖରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ ମୋଟ୍ ୨୬ ଜଣ ସାକ୍ଷୀ ଥିବା ବେଳେ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରା ଯାଇଥିଲା। ସେହିପରି ରାୟର ନକଲ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ପଠାଯାଇଛି। କ୍ଷତିପୂରଣ ବାବଦରେ ସେମାନେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe