ରାଜପଥରେ ଭାରିଯାନ କଟକଣା କାଗଜ କଲମରେ ସୀମିତ

Advertisment

କୋଲ୍‌ ମୁଭର ଓ କମ୍ପାନୀ ଟ୍ରକ ଉପରେ କୋହଳ ମନୋଭାବ !

କୋଲ୍‌ ମୁଭର ଓ କମ୍ପାନୀ ଟ୍ରକ ଉପରେ କୋହଳ ମନୋଭାବ !

ରାଜପଥରେ ଭାରିଯାନ କଟକଣା କାଗଜ କଲମରେ ସୀମିତ

ଝାରସୁଗୁଡ଼ା: ଟ୍ରାଫିକର ନୂଆଁ ନିୟମ ଲାଗୁହେଲା ପରେ ସାରା ଦେଶରେ ଗାଡ଼ି ଚାଳକ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ସହିତ ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ପ୍ରଣୟନ କରାଯାଇଥିବା ଏହି ନିୟମ ଦୁର୍ଘଟଣା ଏଡ଼ାଇବାରେ ଯେତିକି ସହାୟକ ହେବ ବୋଲି କୁହାଯାଉଥିଲା ତାହା ହେଲାନାହିଁ। ଏହି ଆଇନକୁ ଅନୁପାଳନ କରାଯିବା ପାଇଁ ଉଦ୍ୟମ ହେଉନଥିବା ବେଳେ ଏହାକୁ କଡ଼ାକଡ଼ି ତଦାରଖ ପାଇଁ ସରକାରୀ ଅଧିକାରୀ ମାନେ ସେତେଟା ଧ୍ୟାନ ଦେଉନଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ଆଇନ ପରେ  ଝାରସୁଗୁଡ଼ା ଜିଲ୍ଲାରେ ଦୁର୍ଘଟଣା ହ୍ରାସରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିବା ଜଣାଯାଇଛି। ଆଇନ ତଦାରଖ କରୁଥିବା ପୁଲିସ ଓ ପରିବହନ ବିଭାଗ କେବଳ ବାଇକ ବାଲାଙ୍କ ମୁଣ୍ଡ ଉପରେ ହେଲମେଟ ଅଛି ନା ନାହିଁ ତାକୁ  ଯାଞ୍ଚ କରି ଫାଇନ କାଟୁଥିବା ଦେଖାଯାଇ ଆସୁଛି। ରାଜ୍ୟ ସ୍ତରୀୟ ପଦସ୍ଥ ଅଧିକାରୀ ମାନେ ଏହି ନିୟମ ଫାଇନ୍‌ ନୁହେଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କରାଯାଇଛି  ବୋଲି କହିଥିଲେ ମଧ୍ୟ ପୁଲିସ, ପରିବହନ ଅଧିକାରୀ ଓ ତାଙ୍କ କର୍ମଚାରୀ ମାନେ ଫାଇନ ଆଦାୟକୁହିଁ ବେଶୀ ଗୁରୁତ୍ବ ଦେଇ ଆସୁଛନ୍ତି।

କଟକଣା ଜାରି କରି ବିଭାଗ ଚୁପ୍‌ , ପାର୍କିଂସ୍ଥାନ ନ‌ଦେଖି ଲାଇସେନ୍ସ ପ୍ରଦାନ

ଲୋକଙ୍କ ଠାରୁ କିଭଳି ଜରିମାନା ଆଦାୟ କରିବେ ସେ ନେଇ ଏହି ଅଧୀକାରୀ ମାନେ କେବଳ ଯୋଜନା ପ୍ରସ୍ତୁତ କରୁଛନ୍ତି। ଜିଲ୍ଲାର ଅନେକ ଥାନା ‌ଜନସାଧାରଣଙ୍କ ସୁରକ୍ଷା କରିବା ପରିବର୍ତ୍ତେ ଗାଡ଼ି ଯାଞ୍ଚ କରିବାକୁ ବେଶୀ ଆଗଭର ହୋଇ ପଡ଼ିଛନ୍ତି। ଶିଳ୍ପ କାରଖାନା ଓ କୋଇଲା ଖଣିରେ ଭର୍ତ୍ତି ହୋଇଥିବା ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର, ରେଙ୍ଗାଲି, କୋଲାବିରା ପ୍ରଭୃତି ଥାନା ଗୁଡ଼ିକ ଅଧିନରେ ହଜାର ହଜାର ଟ୍ରକ ନିୟମ ଭାଙ୍ଗି ଚଳାଚଳ କରୁଥିବା ବେଳେ ଏହି ଟ୍ରକ ମାନଙ୍କୁ ଜବତ କରିବା ନିମନ୍ତେ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଏକାଧିକ ଥର ବୈଠକ ବସି ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଗତ ୫ ବର୍ଷ ମଧ୍ୟରେ ରାଜପଥ ପାର୍କିଂ ଉପରେ କଟକଣା କରାଯିବାକୁ  ଜିଲ୍ଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ଥର ବିଜ୍ଞପ୍ତି ପ୍ରକାଶ ପାଇଛି।

ମାତ୍ର ରାଜପଥ ପାର୍କିଂ ସମସ୍ୟା ଯେମିତିକୁ ସେମିତି ରହିଛି। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଟ୍ରକ ଦୁର୍ଘଟଣାରେ ବହୁ ଲୋକଙ୍କ ଅକାଳ ବିୟୋଗ ଘଟୁଛି।  ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଟ୍ରକ ପାର୍କିଂ ସମସ୍ୟା ଆଜି ପର୍ଯ୍ୟନ୍ତ ସାମାଧାନ ହୋଇ ପାରିନାହିଁ। ଗତ ଜୁଲାଇ ୫ ତାରିଖ ଠାରୁ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପରିବହନ ବିଭାଗ ପୁଣି ରାସ୍ତାକଡ଼ ପାର୍କିଂ ଉପରେ କଟକଣା ଜାରି କରି କିଛି ହାତଗଣତି ଗାଡ଼ିକୁ ଚଲାନ କାଟି ନିରବ ରହି ଯାଇଛି। ରାଜପଥ ପାର୍କିଂ, ରାସ୍ତା କଡ଼ ଅବରୋଧ ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବା ବେଳେ ହଜାର ହଜାର ଟ୍ରକ ବିନା ପରମିଟ୍‌, ବିନା ଫିଟ୍‌ନେସ ଓ ଜରୁରୀ ପ୍ରମାଣ ପତ୍ର ବିନା ଚଳାଚଳ କରୁଥିବା ସଂପର୍କରେ ଖୋଦ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ମାନେ ଅବଗତ ଥିଲେ ସୁଦ୍ଧା ଏମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ବହୁ ଦିନରୁ ହୋଇ ଆସୁଛି।

କୋଇଲା, ପାଉଁଶ, ବାଲି, ଗୋଡ଼ି ଓ ଅନ୍ୟାନ୍ୟ ଗୁଣ୍ଡ ଦ୍ରବ୍ୟ ପରିବହନ କରୁଥିବା ଟ୍ରକ ଗୁଡ଼ିକ ତାଙ୍କ ଡ଼ାଲାରେ ତାରପୋଲିନ ଢ଼ାଙ୍କିବା ନିୟମକୁ ଖୋଲାଖୋଲି ଉଲଙ୍ଘନ କରୁଥିବା ଦେଖା ଯାଉଛି। ଟ୍ରକର ପଛ ଲାଇଟ ଜଳିବା ପାଇଁ କଡ଼ା ନିୟମ ରହିଛି ମାତ୍ର କୌଣସି କୋଇଲା ଟ୍ରକର ପଛ ଲାଇଟ ଜଳୁନଥିବା ଦେଖା ଯାଉଛି। କିଛି ଟ୍ରକର ନମ୍ବର ପ୍ଲେଟ ମଧ୍ୟ ଦେଖା ଯାଉନଥିବା ଜଣାଯାଇଛି। ଟ୍ରକ ପରିବହନ ଲାଇସେନ୍‌ସ ଦେବା ପୂର୍ବରୁ ପାର୍କିଂ ସ୍ଥାନ ଦେଖାଇବାକୁ ପଡ଼ି ଥାଏ ମାତ୍ର ଝାରସୁଗୁଡ଼ାରେ କୌଣସି ପାର୍କିଂ ସ୍ଥାନ ନଥାଇ ପରିବହନ ଲାଇସେନ୍‌ସ ପ୍ରଦାନ କରାଯାଉଥିବା ବା ଗୋଟିଏ ପାର୍କିଂ ସ୍ଥାନକୁ ଦେଖାଇ ଏକାଧିକ ପରିବହନ କମ୍ପା‌ନୀ ଲାଇସେନ୍‌ସ ହାତେଇଥିବା ଜଣାଯାଇଛି।

ରାସ୍ତା କଡ଼ରେ ପରିବହନ ଅଫିସ ଖୋଲା ଯାଇଥିବାରୁ ବହୁ ଟ୍ରକ ଡ୍ରାଇଭର ମାଲ ଲୋଡ଼ କରି ଚଲାନ ସଂଗ୍ରହ ପାଇଁ ରାସ୍ତା କଡ଼ରେ ଘଣ୍ଟା ଘଣ୍ଟା ଅଟକି ରହୁଥିବା ବେଳେ ରାସ୍ତା କଡ଼ରେ ଥିବା ହୋଟେଲ ସମ୍ମୁଖରେ ଶହ ଶହ ଟ୍ରକ ଦିନ ରାତି ଅଟକି ରହି ରାସ୍ତା ଅବରୋଧ କରୁଛନ୍ତି।  ସହର ମଧ୍ୟରେ କିସାନ ଛକ ଠାରୁ ପ୍ରସନ୍ନ ପଣ୍ଡା ଛକ ଓ ସେଠାରୁ ଏଚ୍‌.କଣ୍ଟାପାଲି, ଗାନ୍ଧୀଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଗ୍ୟାରେଜ ଗୁଡ଼ିକରେ ଟ୍ରକ ମାନଙ୍କ ଲମ୍ବା ଲାଇନ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ବାଇକ ଚାଳକ ମାନଙ୍କ ପଛରେ ପଡ଼ି କ୍ଷମତା ଠାରୁ  ଅଧିକ ମାଲ ବୋଝେଇ ଟ୍ରକ, ଫିଟନେସ୍‌ ନଥିବା ବସରେ ଯାତ୍ରୀ ସେବା ଭଳି ଗୁରୁତର ଘଟଣାକୁ ଅଣାଦେଖା କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe