ବେଆଇନ ସ୍କୁଲ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ଡିଇଓଙ୍କଠାରୁ ତଥ୍ୟ ମାଗିଲା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ମାନବାଧିକାର କମିସନଙ୍କ ନୋଟିସ୍ ପରେ ପଦ‌କ୍ଷେପ

ରାଜ୍ୟରେ ବେଆଇନ ଭାବେ ଚାଲୁଥିବା ବିଦ୍ୟାଳୟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏ ସଂପର୍କରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୨ରେ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା....

school1

ଭୁବନେଶ୍ବର: ରାଜ୍ୟରେ ବେଆଇନ ଭାବେ ଚାଲୁଥିବା ବିଦ୍ୟାଳୟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏ ସଂପର୍କରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୨ରେ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ତାହାକୁ ହେୟଜ୍ଞାନ କରି ରିପୋର୍ଟ ଦାଖଲ କରିନାହାନ୍ତି। ଏବେ ରାଜ୍ୟ ମାନବାଧିକାର କମିସନ ‌ରିପୋର୍ଟ ମାଗିବା ପରେ ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ କରାଯିବା ସହ ସେପ୍ଟେମ୍ବର ୧୫ ଅର୍ଥାତ୍‌ ଆସନ୍ତାକାଲି ସୁଦ୍ଧା ତଥ୍ୟ ଦାଖଲ କରିବାକୁ ଦେବଗଡ଼ ବ୍ୟତୀତ ରାଜ୍ୟର ସମସ୍ତ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୯ ତାରିଖରେ ନିର୍ଦ୍ଦେଶାଳୟ ପକ୍ଷରୁ ଡିଇଓମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଘରୋଇ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ଅଧିକାର ଆଇନ ଓ ଏସମ୍ପର୍କିତ ଗାଇଡ୍‌ଲାଇନ୍‌ ପାଳନ ହେଉଛି କି ନାହିଁ ତାହାର ଯାଞ୍ଚ କରିବାକୁ କୁହାଯାଇଥିଲା। ଯଦି କୌଣସି ବିଦ୍ୟାଳୟ ବିନା ଅନୁମତିରେ ଖୋଲିଥିବ କିମ୍ବା ଚାଲୁଥିବ, ଅନୁମୋଦନ ପାଇ ନଥିବ, ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରୁ ନଥିବେ, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ୨୦୨୨ ଡିସେମ୍ବରରେ ନିର୍ଦ୍ଦେଶ ଦିଆଯାଇଥିଲା। ଏସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତଥ୍ୟ ମିଳିପାରି ନାହିଁ। ଏକ ମାମଲାର ବିଚାର କରି ସେପ୍ଟେମ୍ବର ୧୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିସନ ଗତ ଅଗଷ୍ଟ ୧ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାହାକୁ ନଜରରେ ରଖି ସ୍ବତନ୍ତ୍ର ମେସେଞ୍ଜର ହେଉ ଅଥବା ଇ-ମେଲ୍‌ ଜରିଆରେ ଧାର୍ଯ୍ୟ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ବେଆଇନ୍ ତଥା ଅଣସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନ୍ୟାସନାଲ୍‌ ପ୍ୟାରେଣ୍ଟ୍ ଫେଡେରେସନ୍‌ର ସଭାପତି ଭୂମୋହନ ବେବର୍ତ୍ତା ପଟ୍ଟନାୟକଙ୍କ ପକ୍ଷରୁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଥିଲା। ତାହାର ଶୁଣାଣି କରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ନୋଟିସ୍ ଜାରି କରିବା ପରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ଅଭିଯୋଗକାରୀ ଦର୍ଶାଇଥିଲେ ଯେ ଓଡ଼ିଶା ଶିକ୍ଷା ଆଇନ ଓ ଶିକ୍ଷା ଅଧିକାର ଆଇନ-୨୦୦୯ ନିୟମାବଳୀକୁ ଉଲ୍ଲଂଘନ କରି ୧୫୦୦ରୁ ଅଧିକ ଅଣସ୍ୱୀକୃତିପ୍ରାପ୍ତ ବେସରକାରୀ ବିଦ୍ୟାଳୟ ବେଆଇନ ଭାବରେ ଚାଲୁଛି। ଏହାଦ୍ବାରା ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନିରାପତ୍ତା, ସୁରକ୍ଷା ଓ ଭବିଷ୍ୟତ ପ୍ରତି ବିପଦ ରହିଛି। ତେଣୁ ଏହି ବିଦ୍ୟାଳୟଗୁଡ଼ିକଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରିବା ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା ରହିଛି। ତେଣୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ୨୦୧୮ ମସିହାରୁ କ୍ରମାଗତ ଭାବରେ ଡିଇଓମାନଙ୍କୁ ଚିଠି ମାଧ୍ୟମରେ ଏହି ବିଦ୍ୟାଳୟ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରାଯିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଫେଡେରେସନ୍ ତରଫରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓ ସଚିବଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆସୋସିଏସନ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe