ବର୍ଷୀୟାନ ଅଭିନେତ୍ରୀ ସୁନ୍ଦରମଣି ଦେବୀଙ୍କ ପରଲୋକ

Advertisment
ବର୍ଷୀୟାନ ଅଭିନେତ୍ରୀ ସୁନ୍ଦରମଣି ଦେବୀଙ୍କ ପରଲୋକ

ବ୍ରହ୍ମପୁର : ବର୍ଷୀୟାନ ଅଭିନେତ୍ରୀ ସୁନ୍ଦରମଣି ଦେବୀଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୋପାଳପୁର ଗୁନା ସାହିରେ ରହୁଥିବା ସୁନ୍ଦରମଣି ଦେବୀ ବିଗତ ଦିନରେ ମହାଲକ୍ଷ୍ମୀ ପୂଜା, ପରିଣାମ, ଦସ୍ୟୁ ରତ୍ନାକର, ପୁନର୍ମିଳନ, ଅନୁରାଧା, ଶ୍ରୀଜଗନ୍ନାଥ, ଅଭିଶାପ ଓ ଭୁଲ କାହାର ଭଳି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥିସହିତ, ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ଆକାଶବାଣୀ ଓ ଦୂରଦର୍ଶନରେ ଅଭିନୟ କରିବା ସହିତ ଶତାଧିକ ମଞ୍ଚ ନାଟକରେ ନିଖୁଣ ଅଭିନୟ କରି ଶ୍ରୋତା ଓ ଦର୍ଶକଙ୍କ ମନ ଜିଣିଥିଲେ। ସେ ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ଦୁଃଖୀରାମ ସ୍ୱାଇଁ, ବସନ୍ତ କୁମାର ପାଣିଗ୍ରାହୀ, ନାଟ୍ୟଶ୍ରୀ ରଘୁନାଥ ମିଶ୍ର, ମଞ୍ଚରତ୍ନ ନାରାୟଣ ସାମଲ, ଯଦୁ ରଥ, ମଦନ ମିଶ୍ର, ବୃନ୍ଦାବନ ବିଷୋଇଙ୍କ ସହିତ କାମ କରି କରିଥିଲେ।

ଅଭିନୟ କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମେତ ବହୁ ନାଟ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଧିତ କରାଯାଇଛି। ବ୍ୟବସାୟୀ ବନମାଳି ସାବତଙ୍କୁ ବିବାହ କରିବା ପରେ ସେ ଗୋପାଳପୁରରେ ସ୍ଥାୟୀ ଭାବେ ବସବାସ କରୁଥିଲେ। ପରବର୍ତ୍ତୀ ସମୟରେ ସମାଜସେବା ଓ ରାଜନୀତି କ୍ଷେତ୍ରରେ ପାଦ ଦେଇ ସେ ଦୁଇ ଥର କାଉନସିଲର୍‌ ଭାବେ ଗୋପାଳପୁର ଏନ୍‌ଏସିକୁ ନିର୍ବାଚିତ ହୋଇଥିଲେ। ନିଃସନ୍ତାନ ହୋଇଥିବାରୁ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକାକୀ ଜୀବନ ବିତାଉଥିଲେ। ସୁନ୍ଦରମଣିଙ୍କ ମୃତ୍ୟୁରେ ନାଟ୍ୟପ୍ରେମୀ ଓ ନାଟ୍ୟାନୁଷ୍ଠାନ ଗଭୀର ଶୋକ ପ୍ରକାଶ କରିବା ସହ ଅଭିନୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି ବୋଲି ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe