ଜନ୍ମବେଦିରୁ ଦର୍ଶନ ଦେଲେ ଚତୁର୍ଦ୍ଧା ବିଗ୍ରହ: ଭକ୍ତଙ୍କୁ ମିଳିଲା ଆଡ଼ପ ଅବଢ଼ା, ବନକଲାଗି ପାଇଁ ଦର୍ଶନ ବନ୍ଦ

Advertisment
ଜନ୍ମବେଦିରୁ ଦର୍ଶନ ଦେଲେ ଚତୁର୍ଦ୍ଧା ବିଗ୍ରହ: ଭକ୍ତଙ୍କୁ ମିଳିଲା ଆଡ଼ପ ଅବଢ଼ା, ବନକଲାଗି ପାଇଁ ଦର୍ଶନ ବନ୍ଦ

ପୁରୀ: ରତ୍ନବେଦିରୁ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଆଜି ଅଗଣିତ ଭକ୍ତଙ୍କୁ ଜନ୍ମବେଦି(ଆଡ଼ପ ମଣ୍ଡପ)ରୁ ଦର୍ଶନ ଦେଇଛନ୍ତି। ବର୍ଷତମାମ୍‍ ରତ୍ନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତ ଆଡ଼ପ ମଣ୍ଡପରେ ବିଜେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି କୋଟିପୂଣ୍ୟ ଲଭିଛନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା। ଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଭକ୍ତ। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡିଂ ବ୍ୟବସ୍ଥା କରାଯାଇଥିଲା। ସେପଟେ ମହାପ୍ରଭୁଙ୍କଠାରେ ଆଜିଠାରୁ ଅନ୍ନବ୍ୟଞ୍ଜନ ଲାଗି ହେବା ପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇବାର ସୁଯୋଗ ପାଇଛନ୍ତି। ବର୍ଷକୁ ଥରେ ବାହାରୁଥିବା ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ହଜାର ହଜାର ଭକ୍ତ ଆଜି ଦର୍ଶନ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରୁ ପ୍ରଥମ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ଅର୍ଜିଛନ୍ତି। ଅନ୍ୟପଟେ ଆଜି ବନକଲାଗି ନୀତି ପାଇଁ ଦ୍ବିତୀୟ ଭୋଗମଣ୍ଡପ ପରେ ଦର୍ଶନ ବନ୍ଦ ରଖାଯାଇଛି। ପରେ ଶ୍ରୀମୁଖ ଶୃଙ୍ଗାର ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ତିନିଦିନ ଧରି ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଗତକାଲି ସଂଧ୍ୟାରେ ଆଡ଼ପ ମଣ୍ଡପକୁ ଗୋଟିପହଣ୍ଡିରେ ବିଜେ କରିଥିଲେ। ବିଜେନୀତି ସଂପନ୍ନ ପରେ ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ମହାସ୍ନାନ, ମଇଲମ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଥିଲା। ସମୟ ଅଭାବରୁ ବିନା ରାତ୍ର ପହୁଡ଼ରେ ଆଜି ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ସକଳ ୮ଟା ୪୫ରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢ଼ିବା ପୂର୍ବାହ୍ଣ ୧୧ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଏଥିପାଇଁ ସକାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଭିଡ଼ ଲଗାଇଥିଲେ। ସାହାଣମେଲା ଦର୍ଶନ ପରେ ଅନ୍ୟାନ୍ୟ ନୀତି ବଢ଼ି ବଲ୍ଲଭ ଭୋଗ ଲାଗି ହୋଇଥିଲା। ପ୍ରଥମ ଭୋଗମଣ୍ଡପ ନୀତି ସଂପନ୍ନ ପରେ ଆଡ଼ପ ଅବଢ଼ା ବାହାରିଥିଲା। ସଂଧ୍ୟାରେ ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହୋଇଥିଲା। ବନକଲାଗି ଶେଷ ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା। ବଡ଼ସିଂହାର ବେଶ ଓ ଭୋଗ ପରେ ରାତ୍ର ପହୁଡ଼ ହୋଇଥିଲା। ବିଶ୍ୱାସ ରହିଛି, ମହାପ୍ରଭୁଙ୍କୁ ଥରେ ଜନ୍ମବେଦିରେ ଦର୍ଶନ କଲେ ୧୦ ବର୍ଷର ରତ୍ନବେଦି ଦର୍ଶନ ସହ ସମାନ ହୋଇଥାଏ। ଏଥିପାଇଁ ଭକ୍ତମାନେ ମହାପ୍ରଭୁଙ୍କ ଏହି ନବଯାତ୍ରାକୁ ବର୍ଷତମାମ୍‍ ଅନାଇ ରହିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe