ଜନ୍ମବେଦିରୁ ଦର୍ଶନ ଦେଲେ ଚତୁର୍ଦ୍ଧା ବିଗ୍ରହ

ମିଳିଲା ଆଡ଼ପ ଅବଢ଼ା, ଆଜି ହେରାପଞ୍ଚମୀ

ଜନ୍ମବେଦିରୁ ଦର୍ଶନ ଦେଲେ ଚତୁର୍ଦ୍ଧା ବିଗ୍ରହ

ପୁରୀ : ରତ୍ନବେଦିରୁ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରା ଅବସରରେ ମହାପ୍ରଭୁ ଶୁକ୍ରବାର ଦିନ ଅଗଣିତ ଭକ୍ତଙ୍କୁ ଜନ୍ମବେଦି(ଆଡ଼ପ ମଣ୍ଡପ)ରୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଭକ୍ତ। ଦର୍ଶନକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡ୍‌ କରାଯାଇଥିଲା।

ମହାପ୍ରଭୁଙ୍କଠାରେ ଶୁକ୍ରବାରଠାରୁ ଅନ୍ନବ୍ୟଞ୍ଜନ ଲାଗି ହେବାପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇବାର ସୁଯୋଗ ପାଇଛନ୍ତି। ବର୍ଷକୁ ଥରେ ବାହାରୁଥିବା ଆଡ଼ପ ଅବଢ଼ା ପାଇବାପାଇଁ ଭକ୍ତଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ହଜାରହଜାର ଭକ୍ତ ଆଜି ଦର୍ଶନ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରୁ ପ୍ରଥମ ଆଡ଼ପ ଅବଢ଼ା ପାଇଛନ୍ତି। ଆଜି ମହାପ୍ରଭୁଙ୍କ ସମସ୍ତ ନୀତି ନିର୍ଦ୍ଧାରିତ ସମୟରେ ଓ ଶୃଙ୍ଖଳିତ ହୋଇଥିବାରୁ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିଛନ୍ତି। ଅନ୍ୟପଟେ ଆଜି ବନକଲାଗି ନୀତି ପାଇଁ ଦ୍ବିତୀୟ ଭୋଗମଣ୍ଡପ ପରେ ଦର୍ଶନ ବନ୍ଦ ରଖାଯାଇଛି। ପରେ ଶ୍ରୀମୁଖ ଶୃଙ୍ଗାର ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

publive-image
ଚତୁର୍ଦ୍ଧା ବିଗ୍ରହ ଗୁରୁବାର ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ କରିଥିଲେ। ଶୁକ୍ରବାର ଭୋର୍‌ ୪ଟାରେ ଦ୍ବାରଫିଟା ପରେ ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ଶେଷ ହୋଇଥିଲା। ଅବକାଶ ନୀତି ଶେଷପରେ ଭକ୍ତମାନେ ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିଥିଲେ। ପ୍ରଥମ ଭୋଗମଣ୍ଡପ ନୀତି ସଂପନ୍ନ ପରେ ଆଡ଼ପ ଅବଢ଼ା ବାହାରିଥିଲା। ସନ୍ଧ୍ୟାରେ ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହୋଇଥିଲା। ବଡ଼ସିଂହାର ବେଶ ଓ ଭୋଗ ପରେ ରାତ୍ର ପହୁଡ଼ ହୋଇଥିଲା।

ଶନିବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିବସ ଅର୍ଥାତ ହେରାପଞ୍ଚମୀରେ ମା’ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସିବାର ପରମ୍ପରା ରହିଛି। ହେରା ପଞ୍ଚମୀରେ ମା’ ଆସିଲା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe