ବିଂଝାରପୁର: ବିଂଝାରପୁର ବ୍ଲକ ଉତ୍ତରକୂଳ ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ହୋଇନି। ଏହାକୁ ନେଇ ଆଜି ଅଭିଭାବକ-ଶିକ୍ଷକ ବୈଠକରେ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆଦର୍ଶ ବିଦ୍ୟାଳୟ ଦାୟିତ୍ଵରେ ଥିବା ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ମଲିକ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ। ବିଦ୍ୟାଳୟଠାରୁ ମୁଖ୍ୟ ରାସ୍ତାକୁ ସରକାରୀ ଜମି ଲାଗିଛି। ଏହି ଜମିରେ ସ୍ଥାୟୀ ରାସ୍ତା ନିର୍ମାଣ ହେବ ବୋଲି କହିବାସହ ରବିବାର ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଏ ବିଷୟରେ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟିକାଙ୍କ ପାଖକୁ ଯିବାପାଇଁ ୯ ଜଣ ଅଭିଭାବକଙ୍କୁ ସେ ମନୋନୀତ କରିଥିଲେ।
ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ୧୫ ତାରିଖରେ ଆଦର୍ଶ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ। ମାତ୍ର ବିଂଝାରପୁର ବ୍ଲକର ଆଦର୍ଶ ବିଦ୍ୟାଳୟରେ ସର୍ବନିମ୍ନ ଭିତ୍ତିଭୂମି ଏଯାଏ ପ୍ରସ୍ତୁତ ହୋଇନାହିଁ। ରାସ୍ତା ନଥିବାରୁ ବିଲଖମାରରେ ତ ପୁଣି ପାଚେରି ଡେଇଁ ଯିବାକୁ ପଡ଼ୁଛି। ପୁଣି ପିଇବା ପାଣି ବ୍ୟବସ୍ଥା ନାହିଁ। ବିଜୁଳି ମଧ୍ୟ ନାହିଁ। ଏଭଳି ପରିସ୍ଥିତିରେ ପିଲାଏ କେମିତି ସ୍କୁଲକୁ ଯାଇ ପାଠ ପଢ଼ିବେ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ୨ବର୍ଷ ପୂର୍ବେ ଏହି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିଥିଲେ ହେଁ ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନି। ବିଦ୍ୟାଳୟକୁ ଯିବାକୁ ହେଲେ ଗୋଟିଏ ପଟରେ ଆଣ୍ଠୁଏ ପାଣି, ନହେଲେ ଅନ୍ୟପଟରେ ଗଲେ ଜନୈକ ଲୋକଙ୍କ ପାଚେରି ଡେଇଁ ଯିବାକୁ ପଡୁଛି। ବିଦ୍ୟାଳୟକୁ ଲାଗିଥିବା ସରକାରୀ ଜମି ରାସ୍ତାରେ ପାଣି କାଦୁଅ ଜମିରହି ଘାସ ବଣ ହୋଇଯାଇଛି। ଷଷ୍ଠ ଶ୍ରେଣୀରେ ୬୯ ଜଣ ଓ ସପ୍ତମ ଶ୍ରେଣୀରେ ୫୯ ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୧୨୮ ପିଲା ନାମ ଲାଖାଇଛନ୍ତି। ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୪ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ୪ ଶିକ୍ଷକ ଯଥେଷ୍ଟ ନୁହନ୍ତି ବୋଲି ଆଜି ଅଭିଭାବକମାନେ ଅଭିଯୋଗ କରିଥିଲେ। ବିଦ୍ୟାଳୟକୁ ରାସ୍ତା ନହେଲା ପର୍ଯ୍ୟନ୍ତ ତାଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି କେତେକ ଅଭିଭାବକ କହିଛନ୍ତି।
Follow Us