Additional budget of Rs 10,000 crore: ୧୦ହଜାର କୋଟିର ଅତିରିକ୍ତ ବଜେଟ୍! ମନ୍ତ୍ରିପରିଷଦ ବୈଠକରେ ଚିଠା ବଜେଟ୍‌ରେ ମୋହର

ଆସନ୍ତା ୨୮ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରିପରିଷଦ ଚିଠା ବଜେଟ୍‌ରେ ମୋହର ମାରିଛନ୍ତି।

fshfsfhsxvbv

ଭୁବନେଶ୍ବର: ଆସନ୍ତା ୨୮ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରିପରିଷଦ ଚିଠା ବଜେଟ୍‌ରେ ମୋହର ମାରିଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅତିରିକ୍ତ ବଜେଟ୍‌ ପରିମାଣ ପ୍ରାୟ ୧୦ହଜାର କୋଟି ଛୁଇଁଯିବ।

ଅନ୍ୟପକ୍ଷରେ ଚିଠା ଅତିରିକ୍ତ ବଜେଟ୍‌ ତର୍ଜମା କରିବା ସମୟରେ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ମୂଳ ବଜେଟ୍‌ର କେତେ ଅର୍ଥ ଖର୍ଚ୍ଚ କରିଛନ୍ତି, ତାହା ଜାଣିବାକୁ ଚାହିଁଥିଲେ। ବହୁ ବିଭାଗ ବଜେଟ୍‌ରେ ମିଳିଥିବା ଅର୍ଥକୁ ଗତ ୮ମାସ ମଧ୍ୟରେ ଆଖିଦୃଶିଆ ଖର୍ଚ୍ଚ କରିପାରି ନ ଥିବାରୁ କେଉଁଠି ସମସ୍ୟା ରହୁଛି ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। କେଉଁ ବିଭାଗକୁ କେତେ ଅତିରିକ୍ତ ବଜେଟ୍ ଦରକାର, କେଉଁଥିପାଇଁ ଦିଆଯିବ ସେନେଇ ବି ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଅତିରିକ୍ତ ବଜେଟ୍‌ରେ ମୁଖ୍ୟତଃ ପଞ୍ଚାୟତିରାଜ ଓ ପାନୀୟ ଜଳ, ବାଣିଜ୍ୟ ଓ ପରିବହନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ସମବାୟ ବିଭାଗକୁ ଅଧିକ ଫୋକସ୍ କରାଯିବ। ସରକାର ସଡ଼କ ଭିତ୍ତିଭୂମି, ଗମନାଗମନ ଓ ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ, ଧାନ କିଣାକୁ ଫୋକସ୍ କରୁଥିବାରୁ ଉପରୋକ୍ତ ୫ଟି ବିଭାଗକୁ ଅଧିକ ଗୁରୁତ୍ବ ଦେଇଛନ୍ତି।

ମନ୍ତ୍ରିପରିଷଦ ବୈଠକରେ ଚିଠା ବଜେଟ୍‌ରେ ମୋହର
ନିଯୁକ୍ତି ପ୍ରକ୍ରିୟା ସହଜ ହେଲା
କ୍ୟାବିନେଟ୍‌ରେ ୩ଟି ପ୍ରସ୍ତାବକୁ ଅନୁମୋଦନ

ସେହିପରି ମନ୍ତ୍ରିପରିଷଦ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ମୁଖ୍ୟତଃ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ଦ୍ବାରା ପୂରଣ ହେଉଥିବା କେତେକ ପଦବିର ନିଯୁକ୍ତି ପ୍ରକ୍ରିୟାରେ ଥିବା ଅସାମଞ୍ଜସ୍ୟ ଓ ଜଟିଳତାକୁ ସମାଧାନ କରାଯିବା ସହ ନୂଆ ପଦବି ସୃଷ୍ଟି କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ-ବର୍ଗ ଓ ଗ-୧ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ,୨୦୨୨ରେ ସଂଶୋଧନ କରାଯାଇଛି।  ଏଥିରେ ସିଡ୍ୟୁଲ୍‌-୧ରେ ୪ଟି ନୂତନ ପଦକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ବାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ମୋଟ ୨୪ଟି ଭିନ୍ନ ପଦଗୁଡ଼ିକୁ ମିଳିତ ସ୍ନାତକସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ। ଏହାସହ ବର୍ଷକୁ ଥରେ ନିଯୁକ୍ତି ପରୀକ୍ଷା ନକରି ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପର ମୁହୂର୍ତ୍ତରେ ଆୟୋଗଙ୍କ ପାଖରେ ଅଧିକ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଅଧିକରଣ ପତ୍ର ଆସିଲେ ସେହି କ୍ୟାଲେଣ୍ଡର ବର୍ଷରେ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରିପାରିବେ। ସେହିଭଳି ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ-ବର୍ଗ ଓ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ,୨୦୨୨ର ସଂଶୋଧନ କରାଯାଇଛି।

ଏଥିରେ ନୂତନ ୧୪ଟି ପଦ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ପୂର୍ବରୁ ଥିବା ୨୯ଟି ପଦର କ୍ରମିକ ସଂଖ୍ୟା ୧୦,୧୪,୧୫ ଓ ୧୭କୁ ବାଦ୍‌ ଦିଆଯାଇଛି। ଏହାଦ୍ବାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସମସ୍ତ ୩୯ଟି ସ୍ବତନ୍ତ୍ର ପଦକୁ ମିଳିତ ସ୍ନାତକସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ। ସେହିପରି ଉଚ୍ଚ ମାଧ୍ୟମିକ (୧୦+୨)ସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ,୨୦୨୨ରେ ସଂଶୋଧନ କରାଯାଇଛି। ଏଥିରେ ଉପରୋକ୍ତ ନିୟମାବଳୀର ସିଡ୍ୟୁଲ-୧ରେ ଗୋଟିଏ, ନୂତନ ପଦବି ତଥା ସ୍ବରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ଅଧୀନରେ ଥିବା କନିଷ୍ଠ ଅପରାଧ ବିଧି ସହାୟକ ପଦକୁ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଏଣିକି ମୋଟ ୧୨ଟି ଭିନ୍ନ ପଦକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରି‌ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe