ଡାବୁଗାଁରୁ କଟକ: ଏସ୍‌ଆଇରୁ ଅତିରିକ୍ତ ଏସ୍‌ପି, ୩୭ବର୍ଷର ଚାକିରିରେ କମାଇଛନ୍ତି ଅଚଳାଚଳ ସମ୍ପତ୍ତି

ଡାବୁଗାଁରୁ କଟକ: ଏସ୍‌ଆଇରୁ ଅତିରିକ୍ତ ଏସ୍‌ପି, ୩୭ବର୍ଷର ଚାକିରିରେ କମାଇଛନ୍ତି ଅଚଳାଚଳ ସମ୍ପତ୍ତି

କଟକ : କଟକ ତୁଳସୀପୁରସ୍ଥିତ ସିଗ୍‌ନାଲ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ ବେଳେ ତାଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନରୁ ମିଳିଥିବା ଅମାପ ସମ୍ପତ୍ତି ଦେଖି ଚଢ଼ଉ କରୁଥିବା ଟିମ୍‌ର ଆଖି ଖୋସି ହୋଇଯାଇଛି। କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ବିଏମ୍‌ଡବ୍ଲୁ କାର୍‌ ଓ ୨୦ଲକ୍ଷ ଟଙ୍କାର ବାଇକ୍ ବ୍ୟବହାର କରୁଥିବା ଶ୍ରୀ ମିଶ୍ରଙ୍କ ବିଳାସପୂର୍ଣ୍ଣ ଘର ଓ ସମ୍ପତ୍ତିକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହେବା ସହ ଚାକିରି ଜୀବନରେ କିଭଳି ଏତେ ଅଚଳାଚଳ ସମ୍ପତ୍ତିର ମାଲିକ ହେଲେ ତାକୁ ଜାଣିବା ପାଇଁ ଉତ୍ସୁକତା ବଢ଼ିଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରୁ ଆସି କଟକ ଓ ଯାଜପୁରରେ ନିଜର ବ୍ୟାବସାୟିକ ସାମ୍ରାଜ୍ୟ ମେଲାଇବା ଘଟଣା ସମସ୍ତଙ୍କୁ ଚକିତ କରିଛି।

publive-image

ମିଳିଥିବା ତଥ୍ୟ ମୁତାବକ, ଶ୍ରୀ ମିଶ୍ର ୧୯୮୫ ମସିହା‌ରେ ଓଡ଼ିଶା ପୁଲିସରେ ଏସ୍‌ଆଇ( ସବ୍‌-ଇନ୍‌ସପେକ୍ଟର୍‌) ଭାବେ ନିଜର କ୍ୟାରିଅର୍‌ ଆରମ୍ଭ କରି ୩୭ବର୍ଷର ଚାକିରି କାଳରେ ବର୍ତ୍ତମାନ ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି। ଆଉ ମାତ୍ର ଦୁଇମାସ ପରେ ସେ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ୨୦୨୩ରେ ଅବସର ନେଇଥାନ୍ତେ। ତେ‌ବେ ଅବସରର ବର୍ଷକ ପୂର୍ବରୁ ଶ୍ରୀ ମିଶ୍ର ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ଶ୍ରୀ ମିଶ୍ରଙ୍କ ଅମାପ ସମ୍ପତ୍ତି ତାଙ୍କୁ ବିବାଦୀୟ କରିପକାଇବା ସହ ତାଙ୍କ ରୋଜଗାରକୁ ସନ୍ଦେହ ଘେରକୁ ନେଇ ଯାଇଛି। ଶ୍ରୀ ମିଶ୍ର ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ କାମ କରି ପରବର୍ତ୍ତୀ ସମୟରେ ସାଲେପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାମ କରିଥିଲେ। ସାଲେପୁରରେ ହିଁ ସେ ଇନ୍‌ସପେକ୍ଟର୍‌ ପାହ୍ୟାକୁ ପଦୋନ୍ନତି ପାଇଥିଲେ। କିଛିବର୍ଷ ପାଇଁ ସେ ଗଂଜାମ ଜିଲ୍ଲାର ଜରଡ଼ା ଓ ଅନ୍ୟ ଥାନାରେ ଆଇଆଇସି ଭାବେ କାମ କରିବା ପରେ କଟକ ଜିଆର୍‌ପି ଥାନା ଅଧିକାରୀ ହୋଇଥିଲେ। ପଦୋନ୍ନତି ପାଇ କଟକ କମିସନରେଟ୍‌ ପୁଲିସର ଜୋନ୍‌-୧ ରେ ଏସିପି ଓ ପରେ ପରେ କମିସନରେଟ୍‌ ପୁଲିସର ଅତିରିକ୍ତ ଡିସିପି ଭାବେ କାମ କରୁଥିଲେ। ୨୦୨୧ ଡିସେମ୍ବର ମାସରେ ସେ ସିଗନାଲ୍‌ ବିଭାଗରେ ଅତିରିକ୍ତ ଏସ୍‌ପି ଭାବେ ଯୋଗଦେଇଥିଲେ। ଆସନ୍ତା ଦୁଇମାସ ପରେ ସେ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥାନ୍ତେ। ଆସନ୍ତା ୨୦୨୩ରେ ସେ ଅବସର ନେଇଥାନ୍ତେ।

ତେବେ ଶ୍ରୀ ମିଶ୍ରଙ୍କ ଚାକିରି ଜୀବନର ଅଧିକାଂଶ ସମୟ କଟକ ଓ ଯାଜପୁରରେ କଟିଥିଲା। ଯାଜପୁରରେ ଥିବା ବେଳେ ଏକ ଗଣ୍ଡଗୋଳରେ ତାଙ୍କର ହାତ ଭାଙ୍ଗିଥିଲା। ଏକାଧିକ ଥର ବଦଳି ହୋଇଥିଲେ ବି ସେ କୌଣସି ପ୍ରକା‌ରରେ ବଦଳି ଆଦେଶ ଟାଳି ଦେଉଥିଲେ। ଭିଜିଲାନ୍‌ସ ପକ୍ଷରୁ ତାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଆଜି ସକାଳୁ ଆରମ୍ଭ ହୋଇଥିବା ଚଢ଼ଉ ରାତି ପର୍ଯ୍ୟନ୍ତ ଜାରି ରହିଛି। ଭିଜିଲାନ୍‌ସ ଟିମ୍‌ ତାଙ୍କ ସମୁଦାୟ ସମ୍ପତ୍ତିର ଆକଳନ କରିପାରି ନଥିବା ସୂଚନା ମିଳିଛି।

publive-image

ବଡ଼ଚଣାରେ ସାମ୍ରାଜ୍ୟ ମେଲାଇଥିଲେ
ଛତିଆ : କଟକ କମିସନରେଟ୍ ପୁଲିସର ଏ.ଏସ.ପି ତ୍ରିନାଥ ମିଶ୍ରଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଖଏରାସ୍ଥିତ ତାଙ୍କ ଶ୍ବଶୁର ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ତେବେ, ଯାଜପୁରର ବଡ଼ଚଣା ବ୍ଲକ୍‌ରେ ଶ୍ରୀ ମିଶ୍ର ଏକପ୍ରକାର ସାମ୍ରାଜ୍ୟ ମେଲାଇଥିବା ଦେଖିବାକୁ ମିଳିଛି।

ଭିଜିଲାନ୍ସ ଖୋଳତାଡ଼ ପରେ ଜଣାପଡ଼ିଛି ଯେ ବଡ଼ଚଣାର ତେଲିଗଡ଼ ଠାରେ ଶ୍ରୀମିଶ୍ରଙ୍କର ‘ଶାନ୍ତିଲତା ଫାର୍ମ ହାଉସ୍‌’ ରହିଛି। ଏହି ଫାର୍ମ ହାଉସରୁ ବିଭିନ୍ନ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ତାଙ୍କର ଚଣ୍ତିଖୋଲସ୍ଥିତ ଶାନ୍ତିଲତା କେୟାରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହି ସଂସ୍ଥାଟି ତାଙ୍କ ପତ୍ନୀ ଦୀପ୍ତିଲତା ଚୌଧୁରୀଙ୍କ ନାମରେ ରହିଛି। ଏହାସହିତ ଚଣ୍ତିଖୋଲସ୍ଥିତ ଶାନ୍ତିଲତା ଟ୍ରାନ୍ସପୋର୍ଟ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା।

ମଙ୍ଗଳବାର ଦିନ ଶ୍ରୀ ମିଶ୍ରଙ୍କର ଶ୍ବଶୁର ଘର ବଡ଼ଚଣାସ୍ଥିତ ଖଏରା ସମେତ ୪ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଚଢ଼ାଉ ସମୟରେ ୧ ଲକ୍ଷ ୧୯୦ ଟଙ୍କା ଓ ୧୧୫ ଗ୍ରାମ ସୁନା ଜବତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe