୯୦ ଡେଙ୍ଗୁରୋଗୀଙ୍କ ଠିକଣା ମିଳୁନି: ଗତଥରରୁ ଶିଖିଲେନି

Advertisment

ସଚେତନତା ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ

ସଚେତନତା ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ

ଡେଙ୍ଗୁ ପରେ ଫାଇଲେରିଆ ବିପଦ! ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ହଜାର ଟପିଲା

NDTV

ଭୁବନେଶ୍ୱର: ମୌସୁମୀ ଆସିବା ପୂର୍ବରୁ ରାଜଧାନୀରେ ଡେଙ୍ଗୁ ବ୍ୟାପିଲାଣି। ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ, ଅର୍ଥାତ୍‌ ୬ ମାସ ମଧ୍ୟରେ ଭୁବନେଶ୍ବରରେ ୧୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ପ୍ରତ୍ୟେକ ଦିନ ନିୟମିତ ଭାବରେ ଗୋଟିଏ ଦୁଇଟି ରୋଗୀ ଚିହ୍ନଟ ହେଉଛନ୍ତି। ୬ ମାସ ମଧ୍ୟରେ ପ୍ରାୟ ୭,୦୦୦ ନମୂନା ପରୀକ୍ଷା ସରିଲାଣି। ଅର୍ଥାତ୍‌ ମାସକୁ ପ୍ରାୟ ୧,୦୦୦ ନମୂନା ପରୀକ୍ଷା ହେଉଛି। କିନ୍ତୁ ଗତଥର ଡେଙ୍ଗୁ ବ୍ୟାପିବା ପ୍ରସଙ୍ଗରୁ ଶିକ୍ଷାଲାଭ କରିନଥିବାରୁ ଅନେକ ରୋଗୀଙ୍କୁ ଚିହ୍ନଟ କରିହେଉନି। କାରଣ ବିଭିନ୍ନ ହସ୍‌ପିଟାଲ୍‌ରେ ରୋଗୀ ପରୀକ୍ଷା କରିବା ସମୟରେ ଯେଉଁ ଠିକଣା ଦେଉଛନ୍ତି, ସେଠାରେ ରୋଗୀ ମିଳୁନାହାନ୍ତି। ଦାୟିତ୍ବରେ ଥିବା ଅଧିକାରୀମାନେ ରୋଗୀମାନଙ୍କର ପୂରା ଓ ନିର୍ଭୁଲ ଠିକଣା ରଖୁନାହାନ୍ତି ବା ରଖି ପାରୁନାହାନ୍ତି। ଫଳରେ ରୋଗୀ ରହୁଥିବା ଅଞ୍ଚଳ ଚିହ୍ନଟ କରି ସଚେତନତା ସୃଷ୍ଟି କରିବା ବା ମଶାବଂଶ ଲୋପ କରିବାକୁ ଉଦ୍ୟମ କରିବା ସମ୍ଭବ ହେଉନାହିଁ। ଏହାକୁ ନେଇ ସିଟି ହେଲ୍‌ଥ ସୋସାଇଟି ସମେତ ବିଏମ୍‌ସିର ଚିନ୍ତା ବଢ଼ିଛି। କେବଳ ଏତିକି ନୁହେଁ, ଗତବର୍ଷ ଏହି ଅବଧି (ଜାନୁଆରିରୁ ଜୁନ୍‌)ରେ ଏଠାରେ ରୋଗୀ ସଂଖ୍ୟା ୯୨ ଥିବା ବେଳେ ଏଥର ୧୨୦ , ବଡ଼ ବିପଦର ସଙ୍କେତ ଦେଇଛି।

ପୂର୍ବବର୍ଷ ମଧ୍ୟ ଏଭଳି ସମସ୍ୟା ହୋଇଥିଲା। ଅନେକ ରୋଗୀ ଭୁବନେଶ୍ବର ବାହାରୁ ଆସିଥିଲେ ମଧ୍ୟ ଏଠାରେ ବନ୍ଧୁବାନ୍ଧବଙ୍କ ଠିକଣା ଲେଖିଥିବାରୁ ସମସ୍ୟା ହୋଇଥିଲା। କେତେକ ଠିକଣାରେ କେବଳ ‘ଭୁବନେଶ୍ବର’ ଲେଖିଥିବାରୁ ସେମାନଙ୍କୁ ଖୋଜିବା ସମ୍ଭବ ହୋଇନଥିଲା। କେତେକଙ୍କର ମୋବାଇଲ୍‌ ନମ୍ବରରେ ଇନ୍‌କମିଂ କଲ୍‌ ସୁବିଧା ନଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସବୁ ପରେ ଏହାକୁ ନେଇ ସମୀକ୍ଷା ବା ତର୍ଜମା ହେଲାନାହିଁ କି ହସ୍‌ପିଟାଲ୍‌ମାନଙ୍କରେ ଡେଙ୍ଗୁରୋଗୀଙ୍କ ଠିକ୍‌ ଠିକଣା କିଭଳି ଦାଖଲ ହେବ, ସେନେଇ ବ୍ୟବସ୍ଥା ହେଲା ନାହିଁ। ଫଳରେ ଏହି ଘଟଣାର ପୁନରାବୃତ୍ତି ଘଟିଛି। ପୁଣି ଥରେ ସିଟି ହେଲ୍‌ଥ ସୋସାଇଟି ଓ ବିଏମ୍‌ସି ମିଳିତ ଭାବେ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ତେଣେ ଡେଙ୍ଗୁ ବଢ଼ି ଚାଲିଛି। କାଳବୈଶାଖୀ ପ୍ରଭାବରେ ହୋଇଥିବା‌ ବର୍ଷା‌ରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଡେଙ୍ଗୁମଶାଙ୍କ ବଂଶ ବୃଦ୍ଧି ହେବା ଆଶଙ୍କା ରହିଥିବା ବେଳେ ଏପଟେ ରୋଗୀ ଚିହ୍ନଟ ନ ହେବା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଭୁବନେଶ୍ବରର ମୋଟ୍‌ ୫ ସ୍ଥାନରେ ଡେଙ୍ଗୁ ନମୂନା ପରୀକ୍ଷା ହେଉଛି। ଆର୍‌ଏମ୍‌ଆର୍‌ସି ଓ ଏମ୍‌ସ୍‌ରେ ପରୀକ୍ଷା ହେଉଥିବା ନମୂନା ସଂଖ୍ୟା ଓ ରୋଗୀଙ୍କ ସଂଖ୍ୟା ନେଇ ବିଏମସି ଓ ଜିଲ୍ଲା ପ୍ରଶାସନକୁ ଖବର ମିଳୁନାହିଁ। ଫଳରେ ଚିନ୍ତା ବଢ଼ିଛି।

ପୂର୍ବବର୍ଷ ତୁଳନାରେ ଏ ଯାବତ୍‌ ଅଧିକ ରୋଗୀ ଚିହ୍ନଟ ହୋଇଥିବାରୁ ସିଟି ହେଲ୍‌ଥ ସୋସାଇଟି ନମୂନା ପରୀକ୍ଷା ବଢ଼ାଇଥିବା କହିଛି। କିନ୍ତୁ ଏନେଇ ଉପଯୁକ୍ତ ସଚେତନତା କରିହେବ ବା ଏହାକୁ କିଭଳି ରୋକାଯାଇ ପାରିବ ସେ ନେଇ ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ଏ ପର୍ଯ୍ୟନ୍ତ ଘର ଘର ବୁଲି ମଶା ଉତ୍ପତ୍ତି ସ୍ଥଳ ଖୋଜିବା ଟିମ୍‌ ପ୍ରାୟ ୩,୦୦୦ ଘର ବୁଲି ମଶାଉତ୍ସ ନଷ୍ଟ କରିଥିବା କହିଛି। ଏହି ପ୍ରକ୍ରିୟାରେ ୨୦ଟି ଘରର ଫୁଲକୁଣ୍ଡ, ପଇଡ଼ଖୋଳ ଓ ଚଢ଼େଇଙ୍କୁ ପାଣି ଦେବାକୁ ଛାତ ଉପରେ ରଖାଯାଇଥିବା ମାଟିପାତ୍ରରୁ ମଶାଙ୍କ ଲାର୍ଭା ମିଳିଛି ଓ ତାକୁ ନଷ୍ଟ କରାଯାଇଛି। ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳରେ ମଶାତେଲ ଛିଞ୍ଚା ଯାଉଛି। କିନ୍ତୁ ୧୨୦ ରୋଗୀଙ୍କ ମଧ୍ୟରୁ ୯୦ ଜଣ ଚିହ୍ନଟ ହୋଇ ପାରି ନାହାନ୍ତି। ଏଣୁ ସେହି ରୋଗୀମାନଙ୍କ ଅଞ୍ଚଳରେ ମଶା ଦମନକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପାରୁନାହିଁ। ୧୨୦ ମଧ୍ୟରୁ ମାତ୍ର ୩୦ ଜଣଙ୍କ ଠିକଣା ଠିକ୍‌ ଥିବାରୁ ଟିମ୍‌ ସମ୍ପୃକ୍ତ ଘର ଓ ପାଖରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି। କିନ୍ତୁ ବାକି ୯୦ ଜଣଙ୍କୁ ନେଇ ଚିନ୍ତା ବଢ଼ିଛି। ଏଣେ ଗତ ୧୮ ତାରିଖରୁ ଭୁବନେଶ୍ବରରେ ବର୍ଷା ଲାଗି ରହିଛି। ହେଲେ ଭୁବନେଶ୍ବରରେ ମଶାଧୂଆଁ ସହ ବୁଦା କାଟିବା କାମ ପଛାଇଛି। ମଶାତେଲ ଛିଞ୍ଚିବା କାମ ମଧ୍ୟ ଯଥେଷ୍ଟ ହେଉନାହିଁ। ଏଣୁ ଏଥର ଡେଙ୍ଗୁ ପୂର୍ବଥରର ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe