ବନ୍ୟା ଆସିଲେ ବଦଳୁଛି ଠିକଣା

Advertisment
ବନ୍ୟା ଆସିଲେ ବଦଳୁଛି ଠିକଣା

New Indian Express

ଯାଜପୁରସଦର : ପ୍ରତିବର୍ଷ ବୈତରଣୀରେ ବନ୍ୟା ଆସିଲେ ୨୬ ପରିବାରର ଠିକଣା ବଦଳିଯାଏ। ସପରିବାର ଆସବାବପତ୍ର ଧରି ଚାଲି ଆସନ୍ତି ନଦୀବନ୍ଧକୁ। ଅପେକ୍ଷା କରନ୍ତି ବନ୍ୟା କମିବା ପର୍ଯ୍ୟନ୍ତ। ଏହିପରି ୫୦ ବର୍ଷ ହେଲା ବନ୍ୟାଜଳ ପାଇଁ ଯାତନା ଭୋଗୁଛନ୍ତି ଲୋକେ। ପ୍ରଶାସନର ନାକ ତଳେ ଥାଇ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି। ସରକାରଙ୍କ ସମସ୍ତଙ୍କୁ ପକ୍କା ଘର ଯୋଜନା ଏମାନଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି।

ଯାଜପୁର ବ୍ଲକ୍‌ରେ ବିକାଶ ଆକାଶ ଛୁଉଁଛି। ସମସ୍ତଙ୍କୁ ସରକାରୀ ଯୋଜନାର ହକ୍ ମିଳୁଥିବା ପ୍ରଚାର ହେଉଥିବାବେଳେ ଏଠାକାର ଚିତ୍ର ଭିନ୍ନ କଥା କହୁଛି। ବ୍ଲକ୍‌ ଅନ୍ତର୍ଗତ ପଣସା ପଞ୍ଚାୟତ ଆଙ୍କୁଲା ଗ୍ରାମର ୨୬ଟି ମୁଣ୍ଡା ପରିବାରଙ୍କ ପରିସ୍ଥିତି ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏହି ୨୬ ପରିବାର ବାପ, ଜେଜେ ଅମଳରୁ ୬୦/୭୦ ବର୍ଷ ହେଲା ସରକାରୀ ଜମିରେ ରହି ଆସୁଛନ୍ତି। ସେମାନଙ୍କ ପାଇଁ ସରକାରୀ ସହାୟତା କେବଳ ରାସନରେ ସୀମିତ ରହିଛି। ଏହି ଲୋକମାନେ ଭୋଟ ଦେଉଥିବା ବେଳେ ସେମାନଙ୍କ ପାଖରେ ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡ ରହିଛି। ହେଲେ ଭୂମିହୀନ ଯୋଜନାରେ ସେମାନଙ୍କୁ ସାମିଲ କରାଯାଇ ନାହିଁ କିମ୍ବା ଆବାସ ଯୋଜନାରେ ଘର ମିଳିନାହିଁ। ବହୁ ସ୍ବଚ୍ଛଳ ଲୋକ ଦୁଇତିନି ଥର ସରକାରୀ ଆବାସ ହାତେଇ ନେଉଥିବା ବେଳେ ଏହି ଆଦିବାସୀ ମୁଣ୍ଡାସାହିବାସୀ ଏଥିରୁ ବଞ୍ଚିତ ରହିଛନ୍ତି। ପ୍ରତିଦିନ ମୂଲମଜୁରି ଲାଗି ପରିବାର ଚଳାଉଥିବା ମୁଣ୍ଡାସାହି ଲୋକଙ୍କୁ ନିର୍ବାଚନ ବେଳେ ନେତାଙ୍କ ଦେଖା ମିଳେ। ହେଲେ ପରେ ସମସ୍ତେ ସେମାନଙ୍କ କଥା ଭୁଲିଯାଆନ୍ତି।

ବନ୍ୟା ସମୟରେ ଏହି ପରିବାରଗୁଡ଼ିକ ପିଲାଛୁଆ ଧରି ଡହଳବିକଳ ହୋଇଥାନ୍ତି। ସେମାନେ କିପରି ବନ୍ୟା ଭୟରୁ ମୁକୁଳି ଭଲରେ ରହିବେ ସେନେଇ କେହିକେବେ ଚିନ୍ତା କରିନଥିବା କୋହଭରା କଣ୍ଠରେ ଦୁଃଖ ବଖାଣନ୍ତି। ଏହି ନିରକ୍ଷର ଲୋକମାନେ ନିଜର ହକ୍‌ ପାଇଁ ସ୍ବର ଉଠାଇପାରୁନାହାନ୍ତି। ବନ୍ୟା ଆସିଲେ ଏହି ଲୋକଙ୍କୁ ଘର ଛାଡ଼ି ନଦୀବନ୍ଧକୁ ଯିବାକୁ ପଡ଼େ। ନଦୀବନ୍ଧରେ ୩/୪ ଦିନ ଜରିପାଲ ତଳେ ରାତି କାଟିବା ପରେ ପାଣି କମିଲେ ନିଜ ଚାଳିଆକୁ ଫେରନ୍ତି। ବନ୍ୟାରେ ଶୋଇ ପଡ଼ିଥିବା ଘରକୁ ଭୂଇଁରୁ ଉଠାଇ ଧୋଇ ଯାଇଥିବା କାନ୍ଥରେ ମାଟି ଲିପନ୍ତି। ବର୍ଷବର୍ଷ ଧରି ଗୁହାରି କଲେ ମଧ୍ୟ ପ୍ରଶାସନ ନିକଟରେ ସେମାନଙ୍କ ଦୁଃଖଦୁର୍ଦ୍ଦଶା ପହଞ୍ଚିପାରିନି। ଏ ସମ୍ପର୍କରେ ତହସିଲଦାର ସୁଶାନ୍ତ କୁମାର ପତିଙ୍କୁ ପଚାରିବାରୁ, ସେମାନଙ୍କୁ କିପରି ସମସ୍ତ ସରକାରୀ ସୁବିଧା ମିଳିପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe