ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବିରେ ତାତିଲେ ଆଦିବାସୀ : ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ, ପୁଲିସ ସହ ଧସ୍ତାଧସ୍ତି, ୪୮ ଘଣ୍ଟାର ମହଲତ ଦେଲା ସଂଘ

Advertisment

ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ବିଧାୟକ

ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ବିଧାୟକ

ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବିରେ ତାତିଲେ ଆଦିବାସୀ : ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ, ପୁଲିସ ସହ ଧସ୍ତାଧସ୍ତି, ୪୮ ଘଣ୍ଟାର ମହଲତ ଦେଲା ସଂଘ

ବଲାଙ୍ଗୀର : ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ କାନ ଧରି ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବି ଜୋର ଧରିଛି। ପୂର୍ବରୁ ସଶସ୍ତ୍ର ଆନ୍ଦୋଳନ ଚେତାବନୀ ଦେଇଥିବା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ବେଳେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଆଜି ପୂର୍ବାହ୍ନରେ ଶହ ଶହ ଆଦାବସୀ ଡଂକାବାଦ୍ୟର ତାଳେ ତାଳେ ଏକ ସଶସ୍ତ୍ର ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ପ୍ରାୟ ଦୁଇ ଘଣ୍ଟା କାଳ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ ଏବଂ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଥିଲେ। ଆଦିବାସୀମାନେ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଦୁଇ ଜଣ ଓଏସଏପି ଯବାନ ତଳେ ପଡ଼ି ଯାଇଥିଲେ। ଏତିକିବେଳେ ପୁଲିସ- ଆନ୍ଦୋଳନକାରୀଙ୍କ ଭିତରେ ଯୁକ୍ତିତର୍କ ହୋଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଶେଷରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆସନ୍ତା ୪୮ଘଣ୍ଟା ଭିତରେ ବିଧାୟକ ଶ୍ରୀ ମେହେରଙ୍କୁ ଗିରଫ କରା ନଗଲେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସଂଘ ଚେତାବନୀ ଦେଇଥିଲା।

ସଂଘ ପକ୍ଷରୁ କୁହାଯାଇଛି ଯେ, ପାଟଣାଗଡ଼ ବିଧାୟକ ଶ୍ରୀ ମେହେର ଜେଇଙ୍କୁ ଉଠବସ କରାଇବା ସହ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରା ମାଡ଼ ମରାଇଛନ୍ତି। ଏହି ଘଟଣାର ପ୍ରଶାସନିକ ତଦନ୍ତ ପରେ ଜିଲ୍ଲାପାଳ ମଧ୍ୟ ଘଟଣା ସତ ବୋଲି କହିଛନ୍ତି। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ବିଧାୟକଙ୍କୁ ଗିରଫ ନ କରି ସୁରକ୍ଷା ଦେଉଛି ବୋଲି ସଂଘ ଅଭିଯୋଗ କରିଛି। ତେଣୁ ତୁରନ୍ତ ପୁଲିସ ବିଧାୟକଙ୍କୁ ଗିରଫ ନ କଲେ ଏକ ବଡ଼ ଧରଣର ଆନ୍ଦୋଳନ ରାଜ୍ୟସାରା ହେବ ବୋଲି ସଂଘ ଚେତାବନୀ ଦେଇଛି।

ଆଜି ସଂଘର ଜିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ମହାସଚିବ ନିରଞ୍ଜନ ବିଶି, ସତ୍ୟନାରାୟଣ ଭୋଇ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ବିଧାୟକ

କଟକ : ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ୫ ତାରିଖ ଦିନ ଗମ୍ଭାରୀ ଗ୍ରାମରେ ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ କାନ ଧରି ଉଠବସ୍ କରାଇବା ଘଟଣାକୁ ନେଇ ପାଟଣାଗଡ ଥାନାରେ ଏତଲା ରୁଜୁ ହେବା ପରେ ବିଧାୟକ ହାଇକୋର୍ଟରେ ଆଜି ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି। ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ଓ ଦେବାଶିଷ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe