ପରଲୋକରେ ଆଦିବାସୀ ନେତ୍ରୀ ଫ୍ରିଡ଼ା

Advertisment

ଜନ୍ମ ମାଟିରେ ଶେଷକୃତ୍ୟ ଆଜି

ଜନ୍ମ ମାଟିରେ ଶେଷକୃତ୍ୟ ଆଜି

ପରଲୋକରେ ଆଦିବାସୀ ନେତ୍ରୀ ଫ୍ରିଡ଼ା

ରାଉରକେଲା/ସୁନ୍ଦରଗଡ଼: ସୁନ୍ଦରଗଡ଼ର ପୂର୍ବତନ ସାଂସଦ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ସୁଶ୍ରୀ ଫ୍ରିଡ଼ା ଟପ୍ନୋ (୯୩)ଙ୍କର ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ଏଠାରେ ପହଞ୍ଚିବା ମାତ୍ରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଆସନ୍ତାକାଲି ପୂର୍ବାହ୍ନରେ ଫ୍ରିଡ଼ାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ବଡ଼ଗାଁ ବ୍ଲକ ରୁନୁଗାଁର ବଡ଼ପଡ଼ାରେ ପହଞ୍ଚିବା ପରେ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ରୁନୁଗାଁର ଜନ୍‌ ଟପ୍ନୋଙ୍କ କନ୍ୟା ଭାବେ ୧୯୨୫ ସେପ୍ଟେମ୍ବର ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ଫ୍ରିଡ଼ା ବଡ଼ଗାଁରୁ ପ୍ରାଥମିକ ଓ ସୁନ୍ଦରଗଡ଼ ବାଳିକା ହାଇସ୍କୁଲରୁ ମାଧ୍ୟମିକ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ସେ ଜଣେ ମେଧାବୀ ଛାତ୍ରୀ ଥିବାରୁ ଫ୍ରିଡ଼ାଙ୍କ ଉଚ୍ଚ ଶିକ୍ଷା ପାଇଁ ଗାଙ୍ଗପୁର ରାଜ୍ୟ (ସୁନ୍ଦରଗଡ଼)ର ତତ୍କାଳୀନ ରାଣୀ ଜାନକୀ ରତ୍ନା ଉଭୟ ଆର୍ଥିକ ଓ ନୈତିକ ସହାୟତା ଦେଇଥିଲେ। କଟକ ଶୈଳବାଳା ମହିଳା କଲେଜରୁ କଳାରେ ସ୍ନାତକ ଡିଗ୍ରୀ ହାସଲ ପରେ ଫ୍ରିଡ଼ା ରାଧାନାଥ ତାଲିମ୍‌ କଲେଜରୁ ବି.ଏଡ୍‌ ପାସ୍‌ କରିଥିଲେ। ତତ୍କାଳୀନ ରକ୍ଷଣଶୀଳ ସମାଜର କଟକଣାକୁ ଏଡ଼ାଇ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମହିଳା ଗ୍ରାଜୁଏଟ୍‌ ହେବାର ବିରଳ ଖ୍ୟାତି ଅର୍ଜନ କରିଥିବା ଫ୍ରିଡ଼ା ଜିଲ୍ଲା କଲ୍ୟାଣ ଅଧିକାରୀ (ଡିଡବ୍ଲ୍ୟୁଓ) ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ଉତ୍ତମ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇ ସେ ଆଦିବାସୀ-ହରିଜନ କଲ୍ୟାଣ ବିଭାଗର ଉପସଚିବ ପାହ୍ୟାରୁ ଅବସର ନେବା ପରେ ସମାଜ ସେବା ଓ ରାଜନୀତିରେ ପଦାର୍ପଣ କରିଥିଲେ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରାମର୍ଶରେ ଫ୍ରିଡ଼ା କଂଗ୍ରେସ ପ୍ରାର୍ଥୀ ଭାବେ ୧୯୮୫ରେ ରଘୁନାଥପାଲୀ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇ ସକ୍ରିୟ ରାଜନୀତିରେ ପଦାର୍ପଣ କରିଥିଲେ। ୧୯୯୦ ଯାଏ ସେ ମତ୍ସ୍ୟ ଓ ପଶୁପାଳନ, ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇଥିଲେ। ଏହା ପରେ ୧୯୯୧ ଓ ୧୯୯୬ରେ ସେ କ୍ରମାଗତ ଭାବେ ସୁନ୍ଦରଗଡ଼ ଲୋକସଭା ଆସନରୁ ଦଶମ ଓ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଫ୍ରିଡ଼ାଙ୍କ ଉଦ୍ୟମରେ ସଂସଦ ଭବନରେ ସ୍ୱାଧୀନତା ସଂଗ୍ରାମୀ ବିର୍ଶା ମୁଣ୍ଡାଙ୍କ ତୈଳ ଚିତ୍ର ସ୍ଥାନ ପାଇଥିଲା। ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ବିକାଶ ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଥିବା ଫ୍ରିଡ଼ା ସୁନ୍ଦରଗଡ଼ ଜିଲ୍ଲାର କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶ ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ବିର୍ଶା ମୁଣ୍ଡାଙ୍କ ଜୀବନାଦର୍ଶ ପ୍ରଚାର ଓ ପ୍ରସାର ପାଇଁ ଫ୍ରିଡ଼ା ‘ବିର୍ଶା ମୁଣ୍ଡା’ ‘ଧରତୀ ଆବା’, ‘ଶ୍ରଦ୍ଧାଞ୍ଜଳି’, ‘ଆବୁଆ ରାଜ୍‌’ ଆଦି ପତ୍ର-ପତ୍ରିକା ରଚନା କରିଥିଲେ। ନାରୀ ଶିକ୍ଷାର ବିକାଶ ପାଇଁ ରାଉରକେଲା ଉପକଣ୍ଠସ୍ଥ ଜଲ୍‌ଦାରେ ପ୍ରିୟଦର୍ଶିନୀ ମହିଳା କଲେଜ ସ୍ଥାପନ କରିବା ସହ ବାଳିକା ହକିର ପ୍ରସାର ନିମନ୍ତେ ସେ ନିରନ୍ତର ଉଦ୍ୟମ ଜାରି ରଖିଥିଲେ। ଏହି ଅବସରରେ ସେ ଓଡ଼ିଶା ମହିଳା ହକି ଆସୋସିଏସନ୍‌ର ସଭାନେତ୍ରୀ ଓ ଅଖିଳ ଭାରତ ଜୟପାଲ୍‌ କୋଲ୍ଡ କପ୍‌ ହକି ଟୁର୍ଣ୍ଣାମେଣ୍ଟର ପୃଷ୍ଠପୋଷକ ଥିଲେ। ଖ୍ରୀଷ୍ଟିଆନ୍‌ ପ୍ରତିନିଧି ଦଳରେ ସେ ବ୍ରିଟେନ୍‌, ଆମେରିକା, ପଶ୍ଚିମ ଜର୍ମାନୀ ଓ ଚୀନ୍‌ ଭ୍ରମଣ କରିଥିବା ଫ୍ରିଡ଼ା ଜଣେ ସଂସ୍କାବାଦୀ ନେତ୍ରୀ ଭାବେ ଜିଲ୍ଲାରେ ବେଶ୍‌ ଚର୍ଚ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe