ବନ ବିଭାଗ ଦ୍ୱାରା ଅଟକ ଯୁବକଙ୍କ ମୃତ୍ୟୁ ମାମଲା : ଥାନା ଘେରିଲା ଆଦିବାସୀ ସଂଘ

Advertisment
ବନ ବିଭାଗ ଦ୍ୱାରା ଅଟକ ଯୁବକଙ୍କ ମୃତ୍ୟୁ ମାମଲା : ଥାନା ଘେରିଲା ଆଦିବାସୀ ସଂଘ

ସିନାପାଲି : ଛତିଶଗଡ଼ ସୀମାନ୍ତ ଧରୁଆଗୁଡ଼ି ରେଂଜ ଅଫିସରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ତାଲାକୋଟ ଭାନସିପଡ଼ା ଗାଁର ଲବକୁମାର ମାଝୀଙ୍କ ମୃତ୍ୟୁକୁ ନେଇ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି। ରବିବାର ଅଞ୍ଚଳର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ସିନାପାଲି ଥାନା ଘେରାଉ କରିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଆଦିବାସୀ ସଂଘର ଏକ ବିଶାଳ ଶୋଭାଯାତ୍ରା ଆସି ଥାନା ସାମନାରେ ପହଞ୍ଚିଥିଲା। ସେଠାରେ ଉଭୟ ପୁଲିସ ଓ ବନ ବିଭାଗ ବିରୋଧରେ ସ୍ଲୋଗାନ ଦେଇ ବହୁ ସମୟ ପର୍ଯ୍ୟନ୍ତ ରାଜରାସ୍ତା ଅବରୋଧ କରାଯାଇଥିଲା। ପରେ ମୃତ ଲବଙ୍କ ପତ୍ନୀ ମଦନେ ମାଝୀ ସିନାପାଲି ଥାନାରେ ଏତଲା ଦେଇଥିଲେ। ଶେଷରେ ସିନାପାଲି ପୁଲିସ ଏତଲା ଗ୍ରହଣ କରି ଅଭିଯୁକ୍ତମାନଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି ବୋଲି ଖଡ଼ିଆଳ ଏସ୍‌ଡିପିଓ ସି.ଏଚ. ହୃଦୟାନନ୍ଦଙ୍କ ଠାରୁ ପ୍ରକାଶ।

ମଦନେ ମାଝୀଙ୍କ ଏତଲା ଅନୁସାରେ, ଗତ ୧୬ ତାରିଖ ଗୁରୁବାର ଅପରାହ୍ନରେ ସିନାପାଲି ରେଞ୍ଜସ୍ଥିତ ନଙ୍ଗଲବୋଡ଼ ଫରେଷ୍ଟ ବିଟ୍‌ରେ କାର୍ଯ୍ୟରତ କିଛି ବନ କର୍ମଚାରୀ ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଧରୁଆଗୁଡ଼ି ଫରେଷ୍ଟ ରେଞ୍ଜ ବିଟରୁ ୭ଟି ବାଇକ୍‌ରେ ଆସି ଲବଙ୍କୁ ଜୋର୍‌ ଜବରଦସ୍ତି ବାଇକ୍‌ରେ ବସାଇ ନେଇଥିଲେ। ନେବା ବେଳେ ତାଙ୍କୁ ବାଟରେ ଅଟକାଇ ଏକ ମହୁଲ ଗଛରେ ଲୁହା ଶିକୁଳିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଲବଙ୍କ ସ୍ତ୍ରୀ ମଦନେ ଓ ନାବାଳିକା ଝିଅ କୁନ୍ତଳା ମାଝୀ ଗାଁର ଜଣେ ସଂପର୍କୀୟଙ୍କ ସହିତ ଧରୁଆଗୁଡ଼ି ରେଞ୍ଜ ଅଫିସକୁ ଯାଇଥିଲେ। ସେଠାରେ ରେଞ୍ଜ ଅଫିସର ସକାଳୁ ଜମିପଟ୍ଟା ଓ ପାଞ୍ଚ ହଜାର ଟଙ୍କା ନେଇ ଆସିଲେ ଲବଙ୍କୁ ଛାଡ଼ି ଦିଆଯିବ ବୋଲି କହିବାରୁ ସେମାନେ ଘରକୁ ଚାଲି ଆସିଥିଲେ। ଆରଦିନ ସକାଳେ କାଗଜପତ୍ର ଓ ଟଙ୍କା ଧରି ଗଲା ବେଳକୁ ସେଠାରେ ପୁଲିସର ଛାଉଣି ଦେଖିବାକୁ ପାଇଥିଲେ। ଲବଙ୍କ ସ୍ତ୍ରୀ ଓ ଝିଅଙ୍କୁ ଏକ ସାଦା କାଗଜରେ ଦସ୍ତଖତ କରାଇ ନେଲା ପରେ ଲବଙ୍କ ଶବ ସେଠାରେ ଥିବା ଏକ ପାଇଖାନା ଗୃହରେ ଝୁଲୁଥିବା ପୁଲିସ ଦେଖାଇ ଦେଇଥିଲା। ରାତି ସାରା ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ମାରି ମରିଗଲା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ବେକରେ ଗାମୁଛା ପକାଇ ପାଇଖାନା ଘର ଛାତରେ ବାନ୍ଧି ଦିଆଯାଇଥିଲା ବୋଲି ମଦନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe