‘ଆଦିବାସୀଙ୍କ ଚାଲିଚଳଣି ସୁସ୍ଥ ଜୀବନର ବାର୍ତ୍ତା ଦିଏ’

ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ଲୋକ ଉତ୍ସବ ‘ଉନରୁମ୍’ ଉଦ୍‌ଘାଟିତ

‘ଆଦିବାସୀଙ୍କ ଚାଲିଚଳଣି ସୁସ୍ଥ ଜୀବନର ବାର୍ତ୍ତା ଦିଏ’

ବାଲେଶ୍ବର: ଆଦିବାସୀ ସଂସ୍କୃତି ଓ ପରମ୍ପରା ମାନବୀୟ ସମ୍ବେଦନଶୀଳତାକୁ ପ୍ରତିଫଳିତ କରିଆସିଛି। ଆଦିବାସୀ ସଂସ୍କୃତିରେ ମାର୍ମିକ ଉପଲବ୍ଧି ନିହିତ ରହିଛି। ପ୍ରକୃତିର ଉପାସକ ଆଦିବାସୀ ସମ୍ପ୍ରଦାୟ ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନଙ୍କର ଚାଲିଚଳଣି ସୁସ୍ଥ ଜୀବନର ବାର୍ତ୍ତା ଦେଇଥାଏ। ଶିକ୍ଷାକୁ ଶ୍ରେଣୀଗୃହର ଚାରିକାନ୍ଥ ଭିତରେ ଆବଦ୍ଧ ନରଖି ଏହାର ଅନନ୍ତ ପରିସର ସୃଷ୍ଟି କରିବା ଦରକାର। ଏପରି ହେଲେ ଆମେ ପ୍ରକୃତ ବିଶ୍ୱକୁ ଦେଖିପାରିବା ବୋଲି ଆଜି ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ତିନିଦିନିଆ ଅନ୍ତର୍ଜାତୀୟ ଲୋକୋତ୍ସବ ‘ଉନରୁମ୍’ (ପରିଚିତି)ର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଓଡ଼ିଶାର ସଂସ୍କୃତି, କଳା ଓ ହସ୍ତଶିଳ୍ପର ବିକାଶ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ଲୋକୋତ୍ସବରେ ଅତିଥି ଭାବେ ନେଦରଲାଣ୍ଡର ପ୍ରଫେସର ମୋହନ କେ ଗୌତମ ଏବଂ କଲିଫର୍ଣ୍ଣିଆର କଳା ନିର୍ଦ୍ଦେଶିକା ନାନ୍‌ସି ପପ୍ ଯୋଗଦେଇ ଆଦିବାସୀ ଜନଜୀବନର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ତଥା ସାମୂହିକ ଚେତନାର ବିଶେଷତ୍ବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶିକ୍ଷାଦାନ ଓ ଶିକ୍ଷାଗ୍ରହଣକୁ ବିଶ୍ୱକୈନ୍ଦ୍ରିକ କରିବା ଉପରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗୁରୁତ୍ବାରୋପ କରିଥିଲେ। କଳା କେବଳ ଆନନ୍ଦ ଉପଲବ୍ଧିର ତଥା ମନୋରଞ୍ଜନର ବିଷୟ ନୁହେଁ, ଏହା ଆତ୍ମଉପଲବ୍ଧିର ମାଧ୍ୟମ। ଫକୀରମୋହନ ବିଶ୍ବବିଦ୍ୟାଳୟ ଏହାର ଗୁରୁତ୍ବକୁ ବୁଝି ତାକୁ ଶ୍ରେଣୀ ଶିକ୍ଷାଦାନ ସହିତ ସମାନ୍ତରାଳରେ ରଖି ଗତି ପ୍ରଦାନ କରିବାରେ ପ୍ରୟାସ କରିଛି ବୋଲି ଶ୍ରୀଲଙ୍କାର ନୃତ୍ୟ ବିଶାରଦ ଚାନ୍ଦିନୀ କସ୍ତୁରୀ ଆରାଚ୍ଚି କହିଥିଲେ।

ସେହିପରି ଆଂଚଳିକ ଓ ଅନ୍ତର୍ଜାତୀୟସ୍ତର ପରମ୍ପରାରେ ବିଦ୍ୟମାନ ଥିବା ମୌଳିକ ଜ୍ଞାନ, କଳା, ସଂସ୍କୃତି, ନୃତ୍ୟ, ଗୀତ, ବାଦ୍ୟ, ଜୀବନଦର୍ଶନ ତଥା  ଜ୍ଞାନକୌଶଳ ସହିତ ସମସ୍ତଙ୍କୁ ପରିଚିତ କରାଇବା ପାଇଁ ବିଶ୍ବବିଦ୍ୟାଳୟର ଏ ପ୍ରୟାସକୁ ସାହିତ୍ୟ ଏକାଡେମୀ, କଲିକତାର ପ୍ରୋଗ୍ରାମ୍ ଅଫିସର ଡ. ମିହିର କୁମାର ଦାସ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଡ. ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ସଂସ୍କୃତି ପରମ୍ପରାଗତ ଜ୍ଞାନର ଏକ ସଙ୍ଗଠିତ ରୂପ ଏବଂ ଏହାର ପ୍ରଚାରପ୍ରସାର ଜୀବନକୁ ସୁନ୍ଦର ଓ ସୁଲଭ କରେ ବୋଲି କହିଥିଲେ। ସଂସ୍କୃତି ଆମର ଜାତୀୟ ଅସ୍ମିତା। ଏହା ଜୀବନରେ ରୂପାୟିତ ହୋଇ ନପାରିଲେ ସମୃଦ୍ଧ ସମାଜର ପରିକଳ୍ପନା ସମ୍ଭବ ନୁହେଁ ବୋଲି କୁଳସଚିବ କୁକୁମୀନା ଦାସ କହିଥିଲେ। ଉତ୍ସବରେ ଥିଏଟର୍‌, ଚିତ୍ରକଳା, ତାଳପତ୍ର ଲିଖନ, ଜଉ କଣ୍ଢେଇ ବିଷୟରେ କର୍ମଶାଳା, ଭୂତାତ୍ତ୍ବିକ ବସ୍ତୁ, ପ୍ରତ୍ନତାତ୍ତ୍ୱିକ ବସ୍ତୁ, ଫଟୋ ଓ ଚିତ୍ରକଳା ଆଦି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିସହିତ ଓଡ଼ିଶାର ଆଦିବାସୀ ତଥା ସାଂସ୍କୃତିକ ପରମ୍ପରା ଅନୁଯାୟୀ ବିଭିନ୍ନ ପିଠାପଣା, ବାଲେଶ୍ବରୀ ପାନ ପ୍ରଦର୍ଶିତ ହୋଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe